Latest Odisha News

ପ୍ରଫେଟଙ୍କୁ ନେଇ ବିବାଦ ଭିତରେ ଚଳିତ ମାସରେ ମୋଦୀ ଯିବେ ୟୁଏଇ

ନୂଆଦିଲ୍ଲୀ: ୟୁୁନାଇଟେଡ୍ ଆରବ ଏମରେଟସ (ୟୁଏଇ) ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ମାସ ଶେଷ ସପ୍ତାହରେ ମୋଦୀ ୟୁଏଇ ଯିବେ ବୋଲି ସୂଚନା ରହିଛି। ୟୁଏଇ ପରେ ମୋଦୀ ଜର୍ମୀନୀ ଯିବେ। ଯେଉଁଠି ସେ ଜି-ସେଭେନ ବୈଠକରେ ଯୋଗ ଦେବେ। ଏହି ବୈଠକ ଜୁନ ୨୬ରୁ ଆରମ୍ଭ ହୋଇ ଜୁନ୍ ୨୮ରେ ଶେଷ ହେବ।

ଏହା ପୂର୍ବରୁ ମୋଦୀ ୨୦୧୯ରେ ୟୁଏଇ ଶେଷ ଥର ପାଇଁ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଅର୍ଡର ଅଫ୍ ଜୟେଦ (Order of Zayed) ସମ୍ମାନରେ ସମ୍ମାନୀତ କରିଥିଲା ଏହି ଇସଲାମିକ ଦେଶ। ଏହା ପୂର୍ବରୁ ୨୦୨୫ ଏବଂ ୨୦୧୮ରେ ମୋଦୀ ୟୁଏଇ ଗସ୍ତ କରିଥିଲେ। ମୋଦୀ ଚଳିତ ଥର ଗସ୍ତ ବେଳେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଷ୍ଟାମ୍ପ ଲୋକାର୍ପଣ କରିବେ ଏଥିସହ ରୁ ପେ’ କାର୍ଡର ଉନ୍ମୋଚନ କରିବେ।

ଚଳିତ ବର୍ଷ ଉଭୟ ଭାରତ ଏବଂ ୟୁଏଇ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ । କାରଣ ଉଭୟ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ବା ମୁକ୍ତ ବ୍ୟବସାୟ ପାଇଁ ଚୁକ୍ତି କରିଛନ୍ତି। ଆମେରିକା ପରେ ଭାରତ ୟୁଏଇକୁ ସର୍ବାଧିକ ନିଜର ସାମଗ୍ରୀ ରପ୍ତାନୀ କରେ । ସେହିପରି ୟୁଏଇ ଭାରତ ସହିତ ଦ୍ୱିତୀୟ ସର୍ବାଧିକ ମୂଲ୍ୟରେ ବ୍ୟବସାୟ (ତେଲକୁ ଛାଡି) କରେ। ଯାହାକି ଉଊୟ ଦେଶକୁ ବାନ୍ଧି ରଖିଛି । ସେହିପରି ୟୁଏଇରେ ୩୦ ଲକ୍ଷରୁ ଅଧିକ ଭାରତୀୟ ବସବାସ କରନ୍ତି। ଯାହାକି ୟୁଏଇରେ ମୋଟ୍ ଜନସଂଖ୍ୟାର ୩୫ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ, ନୂପୁର ଶର୍ମା ପ୍ରଫେଟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଇସଲାମିକ୍ ଦେଶଗୁଡ଼ିକ ସହ ଭାରତର ତିକ୍ତତା ବଢିଛି। ଏହି ଇସଲାମିକ ଦେଶ ମଧ୍ୟରେ ୟୁଏଇ ମଧ୍ୟ ରହିଛି । ୧୫ରୁ ଅଧିକ ଇସଲାମିକ ରାଷ୍ଟ୍ର ଭାରତୀୟ ଦୂତାବାସଙ୍କୁ ସମନ କରି ପକ୍ଷ ରଖିବାକୁ କହିଥିଲେ। ଯେଉଁଥିରେ ୟୁଏଇ ମଧ୍ୟ ରହିଛି। ଏପରିକି ପଡ଼ୋଶୀ ଦେଶ କତାର ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଥିଲା। ହେଲେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ କୂଟନୀତିକ ଦୃଷ୍ଟିରୁ ଭାରତର ଆଭିମୁଖ୍ୟକୁ ଇସଲାମିକ ଦେଶ ବୁଝିଥିବା ସୂଚନା ରହିଛି। ଏବେ ନୂପୁର ଶର୍ମା ବିଜେପିରୁ ନିଲମ୍ବିତ ହୋଇସାରିଛନ୍ତି। ସେହିପରି ନୂପୁରଙ୍କ ମନ୍ତବ୍ୟକୁ ସମର୍ଥନ କରିଥିବା ଅନ୍ୟତମ ନେତା ନବୀନ ଜିନ୍ଦଲଙ୍କୁ ମଧ୍ୟ ବିଜେପି ବହିଷ୍କୃତ କରିସାରିଛି।

Comments are closed.