– ଦେବଦତ୍ତ ରଥ
ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ। କ୍ଷୀର ଗରମ ଥିବା ହେତୁ ଏହା ଶ୍ରୀକୃଷ୍ଣଙ୍କ ହୃଦୟରେ କଷ୍ଟ ଅନୁଭୂତ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”! ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ ପ୍ରତ୍ୟେକ ନିଶ୍ୱାସରେ ତାଙ୍କର ନାମ ରହିଛି? ମୁଁ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଏ, ତଥାପି ଆପଣ ମତେ କାହିଁକି ଡାକନ୍ତି ନାହିଁ? ଶ୍ରୀକୃଷ୍ଣ କହିଲେ, ଦେବୀ! ତୁମେ କେବେ ରାଧାଙ୍କୁ ଭେଟିଛ? ଏହା କହି ଶ୍ରୀକୃଷ୍ଣ ଅଳ୍ପ ହସିଲେ। ପରଦିନ ରୁକ୍ମିଣୀ ରାଧାଙ୍କୁ ଭେଟିବା ପାଇଁ ତାଙ୍କ ପ୍ରାସାଦରେ ପହଞ୍ଚିଥିଲେ। ରାଧାଜୀଙ୍କ କୋଠରୀ ବାହାରେ ସେ ଜଣେ ଅତ୍ୟନ୍ତ ସୁନ୍ଦର ମହିଳାଙ୍କୁ ଦେଖିଲେ ଏବଂ ମୁହଁରେ ତୀକ୍ଷ୍ଣତା ହେତୁ ସେ ଭାବିଲେ ଏ’ ହିଁ ରାଧା। ଏବଂ ତାଙ୍କ ପାଦ ସ୍ପର୍ଶ କଲେ।
ମହିଳା ଜଣଙ୍କ କହିଲେ, ତୁମେ କିଏ ? ରୁକ୍ମିଣୀ ନିଜ ପରିଚୟ ଦେବା ସହ ରାଧାଙ୍କୁ ଭେଟିବାକୁ ଆସିଥିବା କଥା କହିଲେ। ଏହା ଶୁଣି ମହିଳା ଜଣଙ୍କ କହିଲେ, ମୁଁ ରାଧା ନୁହେଁ, ରାଧାଜୀଙ୍କର ଦାସୀ। ରାଧାଜୀଙ୍କୁ ତୁମେ ସାତ ଦ୍ୱାର ପାର ପରେ ଭେଟିବାକୁ ପାଇବ। ସାତ ଦ୍ୱାର ଅତିକ୍ରମ କରି ଯାଉଥିବା ସମୟରେ ପ୍ରତ୍ୟେକ ଦ୍ୱାରରେ ଜଣେ ସୁନ୍ଦରରୀ ଏବଂ ତେଜସ୍ୱୀ ମହିଳାଙ୍କୁ (ଦାସୀ) ଦେଖି, ଦାସୀମାନେ ଯଦି ଏତେ ସୁନ୍ଦରୀ, ତେଜସ୍ୱୀ ତେବେ ରାଧାରାଣୀ ନିଜେ କିପରି ହୋଇଥିବେ ବୋଲି ରୁକ୍ମିଣୀ ମନେମନେ ଭାବୁଥିଲେ। ଶେଷରେ ରୁକ୍ମିଣୀ ଯାଇ ରାଧାଜୀଙ୍କ କୋଠରୀରେ ପହଞ୍ଚିଥିଲେ। ରାଧାଜୀଙ୍କୁ ଦେଖିଲେ।
ଅତ୍ୟନ୍ତ ସୁନ୍ଦରୀ, ଦୀପ୍ତିମୟୀ, ତେଜସ୍ୱୀ, ଯାହାର ଚେହେରା ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା। ରୁକ୍ମିଣୀ ହଠାତ୍ ତାଙ୍କ ପାଦତଳେ ପଡ଼ିଗଲେ। କିନ୍ତୁ, ଏ’ କ’ଣ? ରାଧାଜୀଙ୍କର ସମଗ୍ର ଶରୀରରେ ସିଝିଗଲା ପରି ଫୁଲା ଦାଗ ଗୁଡ଼ିକ ଦେଖି ରୁକ୍ମିଣୀ ଆଶ୍ଚର୍ଯ୍ୟ ହୋଇଗଲେ! ରୁକ୍ମିଣୀ ପଚାରିଲେ ଏ’ କ’ଣ? ରାଧାଜୀ’ କହିଲେ ଦେବୀ, ଗତକାଲି ତୁମେ କୃଷ୍ଣଜୀଙ୍କୁ ଦେଇଥିବା କ୍ଷୀର ଅଧିକ ଗରମ ଥିଲା। ଯାହା ତାଙ୍କ ହୃଦୟରେ ଫୁଲା ସୃଷ୍ଟି କରିଥିଲା ଏବଂ ମୁଁ ତ’ ତାଙ୍କ ହୃଦୟରେ ସର୍ବଦା ବାସ କରେ!
Comments are closed.