ଭିକାରି ଓ ସ୍ୱେଚ୍ଛାସେବୀ
ମୃଣାଳ
ପ୍ରକାଶ ଆଉ ସୁବ୍ରତ ଦୁଇଜଣ ସ୍ୱେଚ୍ଛାସେବୀ। ଏମ୍ଏ ପାଇଲା ପରେ ସେମାନେ ଅନ୍ୟମାନେ ଯେମିତି କରନ୍ତି, ସେମିତି ସେମାନେ ବେସରକାରୀ ଚାକିରି ପାଇଁ ଚେଷ୍ଟା କଲେ, ହେଲାନି। ତାପରେ ଦୁହେଁ ଗୋଟେ ସ୍ୱେଚ୍ଛାସେବୀ ସଙ୍ଗଠନରେ କାମକଲେ। ସେଠି ସମାଜସେବାର ଇଲମ ନେଇ ଚାରିବର୍ଷ ହେଲା ଦୁହେଁ ମିଶି ଗୋଟେ ସ୍ୱେଚ୍ଛାସେବୀ ସଙ୍ଗଠନ କରିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କର ସେବାକରନ୍ତି ସେମାନେ। କେତେବେଳେ ବୃକ୍ଷରୋପଣ ସମ୍ପର୍କରେ ଜନସଚେତନତା ଜାଗ୍ରତ କରି ସମାଜର ସେବାକରନ୍ତି, କେତେବେଳେ ପାରିବାରିକ ଝଗଡ଼ା ମେଣ୍ଟାଇ ସମାଜରେ ଶାନ୍ତି ସ୍ଥାପନରେ ସାହାଯ୍ୟ କରନ୍ତି। କେତେବେଳେ ଆମେରିକା କିଆଁ ଇରାକ ଉପରେ ବୋମା ପକେଇଲା, ତାର ପ୍ରତିବାଦରେ ଶୋଭଯାତ୍ରା କରନ୍ତି। କେତେବେଳେ ପୁଣି ବିଶ୍ୱରେ ଉଷ୍ଣତା ବଢ଼ିଯାଉଛି, ତାକୁ କମେଇବା ପାଇଁ ସେମିନାର କରନ୍ତି। ସେବାକରି ଦୁଇ ପଇସା ହେଉଛି ସେମାନଙ୍କର। ସେମାନଙ୍କର ହୃଦବୋଧ ହୋଇଯାଇଛି, ଚାକିରିବାକିରିଠୁଁ ସମାଜସେବା ପେସା ହିସାବରେ ଢେର ଭଲ।
ଗୋଟେ ମାରୁତି ଭ୍ୟାନ୍ ଅଛି ସେମାନଙ୍କର। ଶବ ବୋହିବା ପାଇଁ ଏକ ଆମେରିକୀୟ ସଂସ୍ଥାର ଅନୁଦାନରେ କିଣା ହୋଇଥିଲା। ଏତେ ସୁନ୍ଦର ମାରୁତି ଭ୍ୟାନଟାକୁ ଶବ ବୋହିବା କାମରେ ଲଗେଇବାକୁ ସେମାନଙ୍କ ମନ କହିଲାନି। ତାକୁ ସେମାନେ ନିଜ କାମରେ ବ୍ୟବହାର କରନ୍ତି। ଭ୍ୟାନ୍ କିଣାହେବା ପରେ ପରେ ତା ବଡିରେ ଲେଖାହୋଇଥିଲା- ଶେଷ ଯାତ୍ରା, ଇଂରାଜୀରେ ଲାଷ୍ଟ ଜର୍ଣ୍ଣି- ଅନୁଦାନ ଦେଇଥିବା ସଂସ୍ଥାକୁ ଏହାର ଫଟୋ ପଠେଇସାରିଲା ପରେ ଶେଷକୁ କରାହୋଇଛି ଶୁଭ, ଲାଷ୍ଟକୁ କରାହୋଇଛି ବେଷ୍ଟ୍। ଶେଷଯାତ୍ରା ଲେଖାହୋଇଥିବା କୌଣସି ଭ୍ୟାନରେ ବସି ଶ୍ୱଶୁରଘରକୁ କିମ୍ବା ଧରନ୍ତୁ ପାନଶାଳାକୁ ଯାଇ ହେବକି?
ବର୍ତ୍ତମାନ ସନ୍ଧ୍ୟା ଆଠଟା। ପ୍ରକାଶ ଆଉ ସୁବ୍ରତ ସହରର ଏକ ସମ୍ଭ୍ରାନ୍ତ ପାନଶାଳାରୁ ବାହାରିଛନ୍ତି। ଦିନସାରା ଏତେ ସେବାକରିବାକୁ ପଡେ଼ ଯେ ଦେହମନ ଥକିଯାଏ। ସନ୍ଧ୍ୟାବେଳେ ଦୁଇଚାରି ପାତ୍ର ପାନୀୟ ନପଡ଼ିଲେ ପରଦିନକୁ ପୁଣି ସେବା କେମିତି କରିବେ ସେମାନେ!
ସେମାନେ ଟଳମଳ ପାଦରେ ବାହାରକୁ ବାହାରିଲେ ତ ଜଣେ ଭିକାରି କେଉଁଠି ଥିଲା, ସେମାନଙ୍କ ସାମ୍ନାରେ ହାତ ବଢେ଼ଇ ଠିଆ ହେଲାା ବାବୁ… ଏ ଭିକାରିମାନେ ଜାଣିଛନ୍ତି କାହାକୁ କେତେବେଳେ ଭିକ ମାଗିବାକୁ ପଡେ଼। ପେଟରେ ପାନୀୟ ପଡ଼ିଲେ ଅନେକେ ଆବଶ୍ୟକତାରୁ ଅଧିକ ଉଦାର ହୋଇଉଠନ୍ତି। ସେ ସମୟରେ ଟଙ୍କାଏ ଜାଗାରେ ଦଶଟଙ୍କା ମିଳିବା ଆଦୌ ଅସମ୍ଭବ କଥା ନୁହେଁ। କିନ୍ତୁ ଭିକାରିମାନଙ୍କର ବି ବେଳେବେଳେ ଭୁଲହୁଏ। ଯେମିତି ଏବେ ହେଲା।
ପ୍ରକାଶ କହିଲା, ଭାଗ୍ ବେ… ବାବୁ। ଆବେ ଶଳା ବାବୁ କିଏ?
– ଆପଣ ବାବୁ।
– ମୁଁ ବାବୁ। ତୁ କିଏ?
– ମୁଁ ଦୀନଦୁଃଖୀ ଭିକାରି।
– ପଳା ଶଳା। ଶଳା ବେଗର… କାମ କା ନ କାଜ କା, ଦୁସମନ ଅନଜାନ କା…! ତୁ ଜାଣିଛୁ ସୁବ୍ରତ ରିସର୍ଚ୍ଚ କଣ କହୁଛି? ଏମାନେ ପଇସା ନେଇ ମଦ ପିଅନ୍ତି। ଗଂଜେଇ ପିଅନ୍ତି। ଯାବତୀୟ ଆଣ୍ଟି ସେସିଆଲ କାମରେ ଥାନ୍ତି। ଇଆଡେ଼ ହାତ ପତେଇ ତୋର ସହାନୁଭୁତି ଜାଗ୍ରତ କରି ଟଙ୍କା ନେଇଯିବ। ସିମପ୍ୟାଥି!
ସୁବ୍ରତ କହିଲା, ସିମ୍ପ୍ୟାଥିଟା ଭଲ ପ୍ୟାଥି, ହୋମିଓପାଥିଠୁଁ ଭଲ କାମକରେ । ରୀନାର କାଶ ଛାଡ଼ୁନଥିଲା, ହୋମିଓପାଥିରେ କାମ ହେଲାା
– ରୀନା କିଏ?
– ରୀନା ମୋ ଗାର୍ଲଫ୍ରେଣ୍ଡ୍।
– ତା କଥା ଛାଡ଼ । ମୁଁ ଏ ଭିକାରିମାନଙ୍କ କଥା କହୁଛି।
– କହ।
– ଏମାନେ ସମାଜର କଳଙ୍କ। ଦାରିଦ୍ର୍ୟକୁ ବେପାର କରିଛନ୍ତି ଶଳେ। ଇଡିଅଟ୍… କେତେ ଦିନ ଆଉ ଭିକମାଗି ଚଳିବ? ନିଜ ଗୋଡ଼ରେ କେବେ ଠିଆ ହେବ ବେ?
– ଭାଇ, ସେମତି କୁହନି।
– କାହିଁକି?
– ବେପାର ଭାବରେ ଦାରିଦ୍ର୍ୟଟା କିଛି ଖରାପ ଜିନିଷ ନୁହେଁ।
– ମାନେ?
– ଭାବି ଦେଖ, ଦାରିଦ୍ର୍ୟ ନଥିଲେ ଦାରିଦ୍ର୍ୟ ଦୂରୀକରଣ ଯୋଜନା କେମିତି ରହନ୍ତା?
– ଠିକ୍ କଥା।
– ଦାରିଦ୍ର୍ୟ ଦୂରୀକରଣ ଯୋଜନା ନଥିଲେ, ଆମେ କେଉଁଠି ଥାନ୍ତେ? ସେବା ନେବା ଭଳି ଲୋକ ନଥିଲେ, ଆମେ ସେବା କରୁଥାନ୍ତେ କାହାକୁ?
– ହାଁ, ଭାଇ ତୁମେ ଠିକ କଥା କହିଛ। ମୋର ଭୁଲ ହୋଇଗଲା। ଭାଇ ବେଗର୍, ତୁମେ ଭିକ ମାଗୁଥାଅ। ଅନାଦି ଅନନ୍ତ କାଳ ଯାଏଁ ମାଗୁଥାଅ। ତମେ ଭିକ ମାଗୁଥାଅ, ତମକୁ ଦେଖେଇ ଆମେ ବି ମାଗୁଥାଉ। ତମେ ଆମେ ଭାଇ ଭାଇା
ଟଳମଳ ପାଦରେ ଦୁହେଁ ମାରୁତି ଗାଡ଼ି ଆଡ଼କୁ ଆଗେଇ ଗଲେ।
…………….
ସଂଚାରମାର୍ଗ, ଢେଙ୍କାନାଳ ୭୫୯ ୦୦୧
Comments are closed.