Latest Odisha News

BREAKING NEWS

ମମତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସକ୍ରିପସନ୍: ଡ଼ାକ୍ତରଙ୍କୁ ମାଡ଼ମାରିଥିବା ଅଭିଯୁକ୍ତଙ୍କୁ ଦଣ୍ଡଦିଅ

ନୂଆଦିଲ୍ଲୀ: ଡ଼ାକ୍ତରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି ଚିଠି ପ୍ରଦାନ କରିଛନ୍ତି ।

ଇଣ୍ଡିଆନ ମେଡ଼ିକାଲ୍ ଆସୋସିଏସନ (ଆଇଏମଏ)ର ଏକ ପ୍ରତିନିଧିଦଳ ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦେଶବ୍ୟାପୀ ଡ଼ାକ୍ତରମାନଙ୍କ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତ ରାଜ୍ୟରେ ଡ଼ାକ୍ତରମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ଅନେକ ସ୍ଥାନରେ ସେପରି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏନେଇ ସମସ୍ତ ରାଜ୍ୟରେ ନିୟମ ତଥା ଏକ ଆଚରଣ ବିଧି ପ୍ରସ୍ତୁତ କରି ଲାଗୁ କରିବାକୁ ଆଇଏମଏ ପକ୍ଷରୁ ଦାବି କରାଯାଇଛି ।

ପଶ୍ଚିମବଙ୍ଗରେ ଡ଼ାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ କେନ୍ଦ୍ରକରି ଏବେ ସମଗ୍ର ଦେଶରେ ଏହା ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଣାଇ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନମାନଙ୍କରେ ଡ଼ାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହାକୁ କେନ୍ଦ୍ରକରି ଡ଼ାକ୍ତରମାନେ ଦେଶବ୍ୟାପୀ ଆନ୍ଦୋଳନ ଜାରି କରିଛନ୍ତି । ଏହାର ଦେଶର ସ୍ୱାସ୍ଥ୍ୟସେବା ଉପରେ କୁପ୍ରଭାବ ପକାଉଛି । “ପଶ୍ଚିମବଙ୍ଗରେ ଡ଼ାକ୍ତରମାନେ ଧାରଣା ଦେବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି, ଏହା କ୍ରମେ ସମଗ୍ର ଦେଶକୁ ବ୍ୟାପୀବାରେ ଲାଗିଛି । ”

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରିମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ, “ଯେଉଁସବୁ ସ୍ଥାନମାନଙ୍କରେ ଡ଼ାକ୍ତରମାନଙ୍କୁ ଆକ୍ରମଣ ହେଉଛି ସେଠାରେ ପ୍ରଶାସନ ଆଇନ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।”

ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ଚିକିତ୍ସାରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ନିମନ୍ତେ ରହିଥିବା ୨୦୧୭ ଆକ୍ଟ ସମ୍ପର୍କୀତ ନିୟମର ଲେଖା ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କୁ ଏହି ପତ୍ରରେ ସଂଲଗ୍ନ କରି ପଠାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.