ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୧
ମହାରାଣୀ ମନ୍ଦୋଦରୀ ନିଜେ ଆସିଛନ୍ତି ତାଙ୍କର କେଶବନ୍ଧନ ପାଇଁ। ଲଙ୍କାରେ କ’ଣ ଦାସୀ ପରିଚାରୀଙ୍କର ଅଭାବ ଯେ, ଲଙ୍କେଶ୍ୱରଙ୍କର ପାଟରଣୀ, ପୁତ୍ରବଧୂର ସେବା କରିବେ ?
ଶାଶୂଙ୍କର ବିମଳ ସ୍ନେହ ଦେଖି ସୁଲୋଚନାଙ୍କର ଚକ୍ଷୁକୋଣରେ ଅଶ୍ରୁ ଜକେଇ ଆସିଲା। କୋଳେଇନେଲେ ମନ୍ଦୋଦରୀ। କହିଲେ, ” ଛିଃ.. ପୁତ୍ରୀ ! ଇଏ କ’ଣ ? ମୁଁ ବି ତୁମର ମାତା। ପୁତ୍ରୀର ଶୃଙ୍ଗାର ମାତା ନିଜ ହସ୍ତରେ କରିବା ଦ୍ୱାରା ମନରେ ଯେଉଁ ଅପାର ଆନନ୍ଦ ଜାତ ହୁଏ , ତାହା ତୁମେ ବୁଝି ପାରିବନି ଏବେ। ”
ସୁଲୋଚନା ଓ ଇନ୍ଦ୍ରଜିତଙ୍କର ଇପ୍ସିତ ବାସର ରାତ୍ରି। ପ୍ରଥମ ମିଳନ ରାତ୍ରି ପାଇଁ କେତେ ସୁନେଲି ସ୍ୱପ୍ନ ସଜାଇ ରଖିଥାନ୍ତି ପ୍ରତ୍ୟେକ ଅନୂଢା କନ୍ୟା। ଇନ୍ଦ୍ରଜିତଙ୍କ ପରି ସୁପୁରୁଷଙ୍କୁ ଲାଭ କରି ସୁଲୋଚନା କେତେ ଜନ୍ମର ପୂଣ୍ୟଫଳ ଲାଭ କରିବା ପରି ଅନୁଭବ କରୁଛନ୍ତି। ସୁଲୋଚନାଙ୍କ ପରି କନ୍ୟାରତ୍ନ, ଯାହାର ପ୍ରାପ୍ତି ନିମିତ୍ତ ସ୍ୱୟଂ ଦେବରାଜ ଇନ୍ଦ୍ର ମଧ୍ୟ ଲାଳାୟିତ, ସେପରି ରତ୍ନ ପୁଣି ଯାହାଙ୍କୁ ହୃଦୟରେ ସ୍ଥାପନ କରି ପୂଜା କରୁଛନ୍ତି ସେ’ ନିଜକୁ ଭାଗ୍ୟବାନ ମନେ କରିବା ତ ସ୍ୱାଭାବିକ !
ପ୍ରଥମ ରାତ୍ରି , ପରସ୍ପରକୁ ଜାଣିବାର ରାତ୍ରି, ବୁଝିବାର ରାତ୍ରି, ଏକ ପ୍ରାଣ ହୋଇ ଆଜୀବନ ଏକତ୍ର ରହିବାର ଅଙ୍ଗୀକରବଦ୍ଧତାର ରାତ୍ରି, ଶପଥର ରାତ୍ରି, ପ୍ରୀତିର ରାତ୍ରି।
ସୁଲୋଚନା ଧୀରେ ଧୀରେ ବୁଝି ପାରୁଥିଲେ ଏହି ବିଶାଳ ଦୈତ୍ୟଙ୍କର ଭିତରେ ଏକ କୋମଳ ଶିଶୁ ମନଟିଏ ରହିଛି।
ଇନ୍ଦ୍ରଜିତ କହିଲେ, ହେ ସୁଲୋଚନେ ! ତୁମ ପ୍ରତି ମୋର ପ୍ରେମ ଓ କର୍ତ୍ତବ୍ୟ ରହିବା ସହିତ ମୋର ପିତା ଓ ମାତୃଭୂମି ପ୍ରତି ମଧ୍ୟ ଅଗାଧ ନିଷ୍ଠା ଓ କର୍ତ୍ତବ୍ୟ ରହିଛି। ପିତା ମୋ ପାଇଁ ଈଶ୍ୱର। ତାଙ୍କର ବାକ୍ୟ ପାଳନ କରିବା ମୋର ପରମ କର୍ତ୍ତବ୍ୟ। ”
ସୁଲୋଚନା କହିଲେ, ” ଆପଣଙ୍କ ପରିବାର ମୋର ମଧ୍ୟ ପରିବାର। ମୁଁ ଆପଣଙ୍କର ଅନୁଗାମିନୀ। ମୋର ପ୍ରେମ, ଭକ୍ତି, ଶ୍ରଦ୍ଧା ଓ ନିଷ୍ଠା ସବୁକିଛି ଆପଣଙ୍କ ଚରଣ ତଳେ ସମର୍ପିତ। ”
ମଧୁର ଆବେଗରେ , ପରସ୍ପରଙ୍କର ପ୍ରଣୟର ଆବେଶରେ ହଜିଯାଉଥିଲେ ଦୁଇ ପ୍ରେମୀ….
Comments are closed.