ଭୁବନେଶ୍ୱର: ବିଦେଶ ମାଟିରେ ମହକିଛି ଓଡ଼ିଆ ପର୍ବ, ମହକିଛନ୍ତି ଓଡ଼ିଆ । ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ବିଦେଶରେ ପାଳିତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମରେ ପାଳନ କରିଛନ୍ତି ରଜ ।
ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ କୁଆଲାଲମ୍ପୁରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଓଡ଼ିଆ (କମ୍ୟୁନିଟି ଆଫେୟାର୍ସ ଆଣ୍ଡ ଲେବର) ଶ୍ରୀମତି ଅମ୍ରିତା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଓଡ଼ିଶାଠାରୁ ଏତେ ଦୂରରେ ରହି ମଧ୍ୟ ପ୍ରବାସୀମାନଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଓଡ଼ିଆଣୀମାନଙ୍କର ‘ବନସ୍ତେ ଡାକିଲା ଗଜ…..’କୁ ନେଇ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ବିମୁଗ୍ଧ ହୋଇଥିଲେ । ସେହିପରି ସମ୍ବଲପୁରୀ ଗୀତ ରଙ୍ଗବତୀକୁ ନେଇ ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମରେ ବେଶ ମଜା ଉଠାଇଥିଲେ ଓଡ଼ିଆ ଦର୍ଶକ ।
ଓଡ଼ିଶାର ସୌମ୍ୟା ମିଶ୍ର, ବିଣାପାଣୀ ପ୍ରଧାନ, ବିଜଲୀନା ଶତପଥୀ, ସଞ୍ଜୁ ସାମଲ ଓ ବ୍ରତତୀ ପ୍ରିୟଦର୍ଶନୀ ପ୍ରମୁଖ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ । କୁନିକୁନି କଳାକାର ମାନଙ୍କ ମଧ୍ୟରେ ଓଡିଆ ପରମ୍ପରା ପ୍ରତିଥିବା ପ୍ରସ୍ତୁତି ଖୁବ୍ ବେଶ ମନଛୁଆଁ ହୋଇଥିଲା । ମାଲେସିଆ ଓଡିଆ କମ୍ୟୁନିଟିର ସଭାପତି ଦୀପ୍ତି ରଞ୍ଜନ ନନ୍ଦ, ଉପସଭାପତି ଏକାମ୍ର ମହାପାତ୍ର ଏବଂ ସେକ୍ରେଟେରୀ ସ୍ନିଗ୍ଧା ମିଶ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।
ରଜପାନ ଏଇ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା । କାର୍ଯ୍ୟକ୍ରମ ଶେଷରେ ସୁସ୍ୱାଦୁ ଓଡିଆ ଖାଦ୍ୟ ପରିବେଷଣ ସମସ୍ତଙ୍କୁ ନିଜ ମାଟି ମହକକୁ ଫେରାଇ ନେଇଥିଲାଷ ନିଶା ଦାସ, ସୀମନ୍ତିନୀ ନନ୍ଦ ଓ ଅସୀମା ପଣ୍ଡାଙ୍କ ତତ୍ତ୍ୱାବଧାନରେ ମନୋରଞ୍ଜନ ପୂର୍ଣ୍ଣ ଏହି ସାଂସ୍କୃତିକ ଉତ୍ସବ ଖୁବ ସୂଚାରୁ ରୂପେ ସମାପନ ହୋଇଛି ।
Comments are closed.