Latest Odisha News

BREAKING NEWS

‘ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ : ମହାମାରୀ ସହ ଲଢ଼େଇ କରିବାକୁ ହେବ; ଡୋଷ୍ଟାରିଲିମାବ ଆଶା ହୋଇପାରିବ

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ବାଇଟ୍ସ ଏବଂ ଓଡ଼ିଶା ସମ୍ବାଦ’ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’ । ଗୁରୁବାର ସ୍ଥାନୀୟ ମେ ଫେୟାର କନଭେନସନ ଠାରେ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ବିଗତ ତିନି ବର୍ଷ ଭିତରେ ମହାମାରୀର କରାଳ ରୂପ ଏବଂ ଏକ କଷ୍ଟକର ସମୟ ଭିତରେ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ବୁଝି ପ୍ରାୟ ସମସ୍ତ ବିଶ୍ୱବାସୀ ସତର୍କ ହୋଇଥିଲେ ।

ଏହି ଜରୁରୀକାଳୀନ ସମୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତାର ଆବଶ୍ୟକତା ଏବଂ ଅତି ନିକଟରେ ଆଶା ସଂଚାରିଥିବା କ୍ୟାନ୍ସର ଔଷଧ ଡୋଷ୍ଟାରିଲିମାବକୁ ଆଲୋଚ୍ୟ ବିଷୟ କରି ଅନୁଷ୍ଠିତ ହୋଇଥିଲା ସୁଶ୍ରୁତ ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ ।

ଅତି ଜରୁରୀ ସୂଚନାତ୍ମକ ଏହି କାର୍ଯ୍ୟକ୍ରମରେ ଦୁଇଟି ଆଲୋଚ୍ୟ ବିଷୟ ‘ମହାମାରୀ ସହ ଲଢ଼େଇ’ ଏବଂ ‘କ୍ୟନ୍ସର ମହୌଷଧିର ଆଶା’ ରହିଥିଲା । ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଶ୍ୱିନୀ ଗ୍ରୁପ ଅଫ୍ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ସୁବ୍ରତ ଜେନା ଏବଂ ସମ ଅଲ୍ଟିମେଟ ମେଡିକେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଶ୍ୱେତପଦ୍ମା ଦାଶ ଉପସ୍ଥିତ ରହିଥିଲେ ।

ଭାରତରେ ଭେଷଜ ବିଜ୍ଞାନର ସ୍ରଷ୍ଟା ସଶ୍ରୁତଙ୍କ ଜୀବନୀ ଏବଂ ଅବଦାନ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲର ଉଦ୍ୟମରେ ଓଡ଼ିଶା କିଭଳି କୋଭିଡ ମୁକାବିଲାରେ ଦକ୍ଷ ରାଜ୍ୟ ଭାବେ ଠିଆ ହୋଇପାରିଥିଲା ସେ ବିଷୟ ଉପରେ ଡାକ୍ତର ସୁବ୍ରତ ଜେନା ଆଲୋକପାତ କରିଥିଲେ । ସରକାରୀ ସ୍ୱାସ୍ଥ୍ୟ ସେବା ସର୍ବଦା ଆବଶ୍ୟକତାକୁ ପୂର୍ଣ୍ଣ କରିବା କଷ୍ଟକର । ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଘରୋଇ ହସ୍ପିଟାଲ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିପାରିବେ ବୋଲି ଡାକ୍ତର ଜେନା ମତ ରଖିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ସମ୍ ଅଲ୍ଟିମେଟର ସିଇଓ ଡ. ଶ୍ୱେତପଦ୍ମା ଦାଶ ବର୍ତ୍ତମାନର କରୋନା ମହାମାରୀ କିଭଳି ଆମକୁ ପରାଧୀନ କରିଦେଇଛି, ସେ ବିଷୟରେ ଆଲୋକପାତ କରିଥିଲେ । ଏହି ଜରୁରୀ ସମୟରେ କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ତ୍ତାକୁ ଉପସ୍ଥାପନ କରିଥିଲେ ।

କୋଭିଡର ଖୁବ୍ କମ ସମୟ ବ୍ୟବଧାନ ପୂର୍ବରୁ ଆରମ୍ଭ ହୋଇଥିବା ହସ୍ପିଟାଲ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ମହାମାରୀକୁ ମୁକାବିଲା କରିଥିଲା ସେ ବିଷୟରେ ମତ ରଖିଥିଲେ ।

ମୁଖ୍ୟ ଅତିଥି, ଶ୍ରୀ ନବ କିଶୋର ଦାସ କରୋନା ସମୟରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲର ସହଭାଗିତାରେ ହୋଇଥିବା ଜରୁରୀ ପରିସ୍ଥିତିକୁ ମୁକାବିଲା କରି ନିୟନ୍ତ୍ରଣ କରିବା ବିଷୟରେ କହିଥିଲେ । ଏହି ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିରେ କାର୍ଯ୍ୟ କରିଥିବା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟର ଭିତର ଏବଂ ଉପାନ୍ତ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଘରୋଇ ହସ୍ପିଟାଲର ସହଯୋଗ ନିତ୍ୟାନ୍ତ ବୋଲି ଶ୍ରୀ ଦାସ କହିଥିଲେ । ଏବଂ ଏଥିଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ ଦାସ କହିଥିଲେ ।

ଉଦଘାଟନୀ ଅଧିବେଶନ ଆଲୋଚ୍ୟ ପ୍ରସଙ୍ଗରେ, ମହାମାରୀର ଅନ୍ତ ହୋଇନି ଏବଂ ଏହା ସହିତ ଆମକୁ ଲଢ଼େଇ କରିବାକୁ ପଡ଼ିବ ବୋଲି ଆଲୋଚକ ମାନେ ମତ ଦେଇଥିଲେ । ଏହି ଆଲୋଚନାରେ ଅତିଥି ମାନେ ଥିଲେ, ଡାକ୍ତର ନୀରୋଜ କୁମାର ମିଶ୍ର, ଡାକ୍ତର ଜୟନ୍ତ କୁମାର ପଣ୍ଡା ଏବଂ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ।

ବଦଳୁଥିବା ଭେରିଏଣ୍ଟ ସହ ଆମକୁ ଚଳିବାକୁ ହେବ ଏବଂ ଆସୁଥିବା ସମସ୍ତ ଟୀକା ଓ ବୁଷ୍ଟର ଡୋଜ ନେବାକୁ ହେବ ବୋଲି ଆଲୋଚନା ହୋଇଥିଲା । ଏବଂ ସତର୍କତା ହିଁ ଆମକୁ କରୋନା ଲଢ଼େଇରେ ବଡ଼ ଅସ୍ତ୍ର ହେବ ବୋଲି ଆଲୋଚକ ମାନେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ।
ଉଦଯାପନୀ ଉତ୍ସବର ଆଲୋଚନା ପ୍ରସଙ୍ଗ ଥିଲା କ୍ୟାନ୍ସର ମହୌଷଧିର ଆଶା ।

ଏହି ଅଧିବେଶନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ । କରୋନା ସମୟରେ ରାଜ୍ୟ ସରକାରଙ୍କ ସଫଳ ମୁକାବିଲା ବିଷୟରେ ଆଲୋଚନା କରିବା ସହ ଏହି ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଡାକ୍ତରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ମୁଖ୍ୟ ନୀଲାଞ୍ଜନା ମୁଖର୍ଜୀ ।

ଏହି ଆଲୋଚନାରେ ଭାଗ ନେଇଥିଲେ ଡାକ୍ତର କୃପାସିନ୍ଧୁ ପଣ୍ଡା, ଡାକ୍ତର ମାଧବାନନ୍ଦ କର ଏବଂ ଡାକ୍ତର ସୌମ୍ୟ ସୁରଥ ପଣ୍ଡା । ସଦ୍ୟ ବାହାରିଥିବା ଡୋଷ୍ଟାରିଲିମାବ ଏକ ଆଶା ହୋଇପାରିବ ବୋଲି ଆଲୋଚକ ଡାକ୍ତର ମାନେ ମତ ଦେଇଥିଲେ । କିନ୍ତୁ ସମୟାନୁଯାୟୀ ହେଉଥିବା ଗବେଷଣା ଅନୁସାରେ ଏହାର କାର୍ଯ୍ୟକାରିତା ଜଣାପଡ଼ିବ ବୋଲି ଆଲୋଚକ ମାନେ ମତ ଦେଇଥିଲେ । ଏହି ଔଷଧର ପାଶ୍ୱର୍ ପ୍ରତିକ୍ରିୟା ସ୍ୱଳ୍ପ ରହିଛି ଏବଂ ପରବର୍ତ୍ତୀ ସମୟରେ ଏହାର ବ୍ୟବହାର ଉପଲବ୍ଧି ଜଣାପଡ଼ିବ ବୋଲି ଆଲୋଚକ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାମ୍ବାଦିକ ତଥା ଉପସ୍ଥାପକ ବଳଭଦ୍ର ରଥ ।

ଗ୍ରୁପ୍ ଏଡିଟର ସନ୍ଦୀପ ମିଶ୍ର ଏବଂ ଓଡ଼ିଶା ବାଇଟ୍ସ ଏଡିଟର ପୂଣ୍ୟପ୍ରଭା ରଥ ଉପସ୍ଥିତ ଅତିଥି ମାନଙ୍କୁ ଉପଢ଼ୌକନ ଏବଂ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.