Latest Odisha News

BREAKING NEWS

ରଥ ଉପରେ ଶେଷ ହେଲା ଅଧରପଣା ନୀତି, କାଲି ନୀଳାଦ୍ରି ବିଜେ

ପୁରୀ: ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ, ସୁବାସିତ ପଣା । ୩ ଗୋଟି ରଥରେ ୩ଟି ଲେଖାଏ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ପରମ୍ପରା ଅନୁସାରେ ହୋଇଛି । ରଥ ଉପରେ ପଣା ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ । ରଥରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡି ଚାମଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଅର୍ପଣ କରାଯାଇଥାଏ ।

ଆଜି ଅଧରପଣା ନୀତି ସମାପ୍ତ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ଫେରିଯିବେ । ଅଧରପଣା ନୀତି ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଜନ ସମୁଦ୍ର ଲାଗିଥିଲା । ଜୟ ଜଗନ୍ନାଥ… ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହେଉଥିଲା ଗଗନ ପବନ ।

ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ । ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ। ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ ।

ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା କରନ୍ତି । ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ ।

Leave A Reply

Your email address will not be published.