Latest Odisha News

BREAKING NEWS

୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା କୋରାପୁଟ ଜିଲ୍ଲାର ୨ଗୋଟି ବ୍ଲକର ୩୧ଟି ପଞ୍ଚାୟତର ୧ ଲକ୍ଷ ୬୧ ହଜାର ୯୦୨ ଜଣ ଲୋକଙ୍କୁ ପାନୀୟ ଜଳ ମିଳିବ । ଜୟପୁର ବ୍ଲକର ୧୫ଟି ପଞ୍ଚାୟତ ଓ କୁନ୍ଦ୍ରା ବ୍ଲକର ୧୬ଟି ପଞ୍ଚାୟତର ଲୋକ ଉପକୃତ ହୋଇ ପାରିବେ । ଏହି ପ୍ରକଳ୍ପ ପାଇଁ ୨୬୧ କୋଟି ୯୭ ଲକ୍ଷ ୪୧ ହଜାର ଟଙ୍କା ଅନୁମୋଦନ କରାଯାଇଛି । ୨୪ ମାସ ମଧ୍ୟରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ରାୟଗଡ଼ା ଜିଲ୍ଲାର ୩ ଗୋଟି ବ୍ଲକରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୨ଗୋଟି ବ୍ଲକର ୧୫ଟି ପଞ୍ଚାୟତର ୩୫ ହଜାରରୁ ଅଧିକ ଲୋକ ଉପକୃତ ହୋଇପାରିବେ । ରମନାଗୁଡ଼ା ବ୍ଲକର ୭ଟି ପଞ୍ଚାୟତ ଓ କୋଲନରା ବ୍ଲକର ୮ଟି ପଞ୍ଚାୟତବାସୀ ଉପକୃତ ହେବେ । ଏଥିପାଇଁ ୧୧୪ କୋଟି ୬୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ପ୍ରକଳ୍ପ ୨୪ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିଭଳି ଜଗତସିଂହପୁର ଜିଲ୍ଲାର ୪ଟି ବ୍ଲକର ୮୫ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବ । ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ବ୍ଲକ ପାଇଁ ୪୩୧ କୋଟି ୧୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ଅନୁଗୁଳ ଜିଲ୍ଲାର ୨ଟି ବ୍ଲକ କିଶୋରନଗର ଓ ଆଠମଲ୍ଲିକରେ ପାନୀୟ ପ୍ରକଳ୍ପ ପାଇଁ ୩୫୬ କୋଟି ୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଅବଢ଼ା ପରିଯୋଜନା ମାଧ୍ୟମରେ ପୁରୀରେ ହେବ ଧର୍ମଶାଳା । ବାସେଳୀସାହି ଧର୍ମଶାଳା ପ୍ରକଳ୍ପ ପାଇଁ ୧୩୫ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟକ ସ୍ୱଳ୍ପ ଖର୍ଚ୍ଚରେ ରହଣି ସହ ଅନ୍ୟ ସୁବିଧା ପାଇ ପାରିବେ । ଏହାଛଡ଼ା ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଆଇଟି ପଲିସି-୨୦୨୨ ପ୍ରୋତ୍ସାହନକୁ ଅନୁମୋଦନ ମିଳିଛି । ଆଇଟି ପାର୍କ ନିମନ୍ତେ ସ୍ଥାୟୀ ପୁଞ୍ଜିନିବେଶ କଲେ କମ୍ପାନୀମାନଙ୍କୁ ପୁଞ୍ଜିନିବେଶର ୨୫ ପ୍ରତିଶତ (ସର୍ବାଧିକ ୨୦.୦୦ କୋଟି ଟଙ୍କା) ସରକାର ଦେବେ । ସୌରଶକ୍ତି କେନ୍ଦ୍ରର ବିକାଶ ପାଇଁ ଖର୍ଚ୍ଚ ଅର୍ଥର ୧୫ ପ୍ରତିଶତ ସରକାର ଫେରାଇବେ । ଓଡ଼ିଶା ମୋବାଇଲ୍ ଟାୱାରା, ଅପ୍ଟିକାଲ୍ ଫାଇବର କେବୁଲ୍ ଏବଂ ଟେଲିକମ୍ ଭିତ୍ତିଭୂମି ନୀତି ୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି । ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ 2୦୧୭ରେ ସଂଶୋଧନ କରାଯାଇ ବ୍ୟବସ୍ଥାର ସରଳୀକରଣ କରାଯିବ ।

Comments are closed.