Latest Odisha News

BREAKING NEWS

DL ବାତିଲ୍ ଭୟ ଦେଖାଇ ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇଥିଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଆୟୁଷ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରାବାହାଲ ପିଏଚସିର ମେଡିକାଲ୍ ଅଫିସର ତଥା ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ଡକ୍ଟର ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । ଗତ ୧୭ ତାରିଖରେ ଅଟୋ ରିକ୍ସା ଚାଳକ ଯାତ୍ରୀ ନେଇ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଯାତ୍ରୀଙ୍କ ସହ ଆହତ ହୋଇଥିଲେ ଅଟୋ ଚାଳକ ଜଣଙ୍କ ।

ଚିକିତ୍ସା ପାଇଁ ଅଟୋ ଚାଳକ ଗଇରାବାହାଲ ପିଏଚସିକୁ ଆସିଥିଲେ । ସେଠାରେ ଡକ୍ଟର ବେହେରା ଅଟୋ ଚାଳକଙ୍କୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ ସ୍ଥାନୀୟ ପୋଲିସକୁ ଜଣାଇ ଦେବି ବୋଲି କହିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିଦେବାର ଭୟ ଦେଖାଇଥିଲେ ଡାକ୍ତର ମହାଶୟ । ଶେଷରେ ଉପାୟ ଶୂନ୍ୟ ହୋଇ ଡାକ୍ତରଙ୍କୁ ଅଟୋ ଡ୍ରାଇଭର ଜଣଙ୍କ ୮ ହଜାର ଟଙ୍କା ଦେଇଥିଲେ ।

ଆଜି ଆଉ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଟଙ୍କା ସହ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡାକ୍ତର ବେହେରା । ଡାକ୍ତରଙ୍କ ଠାରୁ ଭିଜିଲାନ୍ସ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି । ଏନେଇ ରାଉରକେଲା ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି । ଏନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।

Leave A Reply

Your email address will not be published.