କାଶୀପୁର: ‘କରୋନା’ ସଂକ୍ରମଣ ଭଳି ରାୟଗଡା କାଶୀପୁରରେ ଝାଡାବାନ୍ତି ମାଡି ଚାଲିଛି। ସ୍ଥିତି ବେଲଗାମ ହୋଇଛି। ଏହି କ୍ରମରେ ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ହଇଜା ଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ମୃତକ ଜଣକ ହେଲେ ଟିକିରି ଗ୍ରାମ ଜାମୁଗୁଡା ସାହିର ସୁନି ମାଝୀ (୫୬) ଏବଂ ପାନବନ୍ଧ ଗ୍ରାମର ବିଟା ମାଝୀ (୨୭) ।
ଗତ ଦୁଇ ଦିନ ଧରି ଉଭୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଡାକ୍ତରଖାନାକୁ ନ ଯାଇ ଘରେ ହିଁ ଚିକିତ୍ସିତ ହେଉଥିଲେ। ଏହେ ଦୁହିଁଙ୍କର ମୃତ୍ୟୁ ଘଟିଛି।
ସେହିଭଳି ଗତ କାଲି ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)ଙ୍କର ମଧ୍ୟ ସମାନ ଭାବେ ମୃତ୍ୟୁ ଘଟିଥିଲା । ସେ ମଧ୍ୟ ଡାକ୍ତରଖାନାକୁ ନ ଯାଇ ଶଙ୍କରଡା ଗ୍ରାମର ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏବେ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ଗ୍ରାମକୁ କବଳିତ କରିଛି ହଇଜା । ଗତ କାଲି ସନ୍ଧ୍ୟା ସୁଦ୍ଧା ୩୧୩ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ଆଜିର ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।
ଜିଲ୍ଲାପାଳ ସ୍ୱାଧା ଦେବ ସିଂ କହିଛନ୍ତି ଯେ, ସୁନି ମାଝୀ ଆଜି ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ମେଡିକାଲ ସ୍ଥାନାନ୍ତରିତ ସମୟରେ ମୃତ୍ୟୁ ଘଟିଛି । ଏବେ ୨୯୭ ଗାଁରେ ସର୍ଭେଲେନ୍ସ କରାଯାଉଥିବା ସେ ସୂଚନା ଦେଇଛନ୍ତି। ତେବେ ପୂର୍ବାପେକ୍ଷା ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା କମୁଥିବା ସେ କହିଛନ୍ତି।ସେହିପରି ୨୬୪ ଗାଁ ବିଶୋଧନ ହୋଇଥିବା ଜଣାପଡିଛି ।
କାଶୀପୁରରେ ହଇଜା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି ବିରୋଧୀ ବିଧାନସଭାର ଶୂନ୍ୟକାଳରେ ଉଠାଇଥିଲେ। ବିରୋଧୀ କଂଗ୍ରେସ ଏବଂ ବିଜେପି କହିଛନ୍ତି, ପାଖରେ ଥିବା ଉତ୍କଳ ଆଲୁମିନା କମ୍ପାନୀରୁ ନିର୍ଗତ ପାଣି ନଦୀରେ ମିଶୁଛି। ଏହି ପାଣିକୁ ଲୋକେ ପିଉଛନ୍ତି। ତେଣୁ ହଇଜା ବ୍ୟାପୁଛି।
Comments are closed.