ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମସିଆଖାଲି ପଞ୍ଚାୟତର ସରପଞ୍ଚ କେ. ବୁଲୁ ଏକ ମାମଲାରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ସରପଞ୍ଚ ବୁଲୁଙ୍କୁ ନିଲମ୍ବିତ କରାଯାଇଛି । ପଞ୍ଚାୟତିରାଜ ବିଭାଗର ସୁପାରିଶ କ୍ରମେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି ।
ନାଏବ ସରପଞ୍ଚ ବାସନ୍ତୀ ରାଉଳ ସରପଞ୍ଚ ଦାୟିତ୍ୱରେ ରହିବେ। ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା ୨୧(୨) ଅନୁଯାୟୀ ବୁଲୁଙ୍କୁ ନିଲମ୍ବନ କରାଯାଇଥିବା କୁକୁଡ଼ାଖଣ୍ଡି ବିଡ଼ିଓଙ୍କ ତରଫରୁ ଜାରି ନିର୍ଦେଶରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ ଯେ, ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀ ଏବଂ ବର୍ତ୍ତମାନର ସରପଞ୍ଚ ବୁଲୁଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଲାଗି ରହିଥିଲା । ଗତ ଜୁନ୍ ୬ ତାରିଖରେ ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ବୁଲୁଙ୍କ ସମର୍ଥକମାନେ ମନୋଜ ଏବଂ ତାଙ୍କ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ମନୋଜ ଏବଂ ତାଙ୍କର ଦୁଇଜଣ ସମର୍ଥକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ମାମଲାରେ ସରପଞ୍ଚ ବୁଲୁଙ୍କ ସମେତ ୬ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ସଦର ଥାନା ପୋଲିସ।