Latest Odisha News

BREAKING NEWS

ତାଇଓ୍ୱାନକୁ ଦଖଲ କରିବାକୁ ସି ଜିନପିଙ୍ଗ୍ ଦେଖୁଛନ୍ତି ସ୍ବପ୍ନ!

ତାଇଓ୍ବାନକୁ ଦଖଲ କରିବ କି ଚୀନ? ଏ ପ୍ରଶ୍ନ କୁ ନେଇ ସାରା ବିଶ୍ବରେ ଏବେ ଚର୍ଚା, ଆଲୋଚନା ଚାଲିଛି । ତେବେ ଏହି ଆଲୋଚନାକୁ ଚାଇନା ପୁଣି ଖୋରାକ ଯୋଗାଉଛି । ଏବେ ତାଇଓ୍ବାନକୁ ଦଖଲ କରିବା ପାଇଁ ପୁଣି  ଚାଇନା ନୂଆ ପ୍ଲାନ କରିଛି । ଏଥିପାଇଁ ପ୍ରଥମେ ଧମକ ଦେବା ପରେ ଏବେ ତାଇଓ୍ବାନ  ଉପକୂଳରେ ବୃହତ ସମରାଭ୍ୟାସ ମଧ୍ୟ ଚଳାଇଛି । ତାଇଓ୍ବାନ ଚୀନର ଏଭଳି ଧମକକୁ ଖାତିର ନକରିବାରୁ ଏବେ ଚୀନ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିଛନ୍ତି । ଏହାର ଶୀର୍ଷକ ରହିଛି -ତାଇଓ୍ବାନ ପ୍ରଶ୍ନ ଓ ନୂଆ ଯୁଗରେ ଚୀନର ଏକୀକରଣ ।

ଏଥିରେ ଚୀନ କହିଛି  ତାଇଓ୍ବାନକୁ ଦଖଲ କରିବା ଚୀନବାସୀଙ୍କ ସ୍ବପ୍ନ ରହିଆସିଛି ।  ଚୀନର ସଂପୂର୍ଣ୍ଣ ଏକୀକରଣ ଜରୁରୀ ହୋଇଥିବାରୁ ଚାଇନାବାସୀ ଏହା ହିଁ ଚାହାଁନ୍ତି ଯେ  ।  ପୁରୁଣା କାଳରୁ ତାଇଓ୍ବାନ ଚୀନର ଏକ ଅଂଶ ଭାବେ ରହିଆସିଛି ଓ ଇତିହାସ ଏହା କହୁଛି ।

କଥା ଉଠୁଛି ଚାଇନା ଏତେ ଶୀଘ୍ର କଣ ପାଇଁ ଏପରି ଯାେଜନା କରୁଛି । ଏହା ଶୀଘ୍ର ନୂହେଁ । ଏହି ଦୁଇ ଦେଶ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଛି । ଚାଇନା କହୁଛି ତାଇଓ୍ବାନ ଆମର । ଅଥଚ ତାଇଓ୍ବାନ କହୁଛି ଆମେ ସ୍ବାଧୀନ ରାଷ୍ଟ୍ର । ଆମ ଉପରେ କାହାର ଶାସନ ଲଦିଦେବା ଉଚିତ ନୁହେଁ । ଏଭଳି ସମୟରେ ଯେତେବେଳେ ଆମେରିକା ସଂସଦର ବାଚସ୍ପତିଙ୍କ ତାଇଓ୍ବାନ ଗସ୍ତ କଲେ ତାହା ପରେ ଚାଇନା ରାଷ୍ଟ୍ରପତିଙ୍କ ମୁଣ୍ଡ ଆଉ କାମ କରୁନାହିଁ । ଆମେରିକା ତାଇଓ୍ବାନର ସ୍ବାଧୀନତାକୁ ସମର୍ଥନ କରୁଛି । ଯେଉଁଥିପାଇଁ ତାଇଓ୍ବାନ କହୁଛି ଆମେ ସ୍ବାଧୀନ ରାଷ୍ଟ୍ର ଆମ ଉପରେ କାହାର ଅଧିକାରକୁ ଆମେ ଗ୍ରହଣ କରିବୁନାହିଁ ।

ସେପଟେ ତାଇଓ୍ବାନର ଏହି ଦାବିକୁ ବଳ ଦେଉଛି ଆମେରିକା । ଦୀର୍ଘ ୫୦ ବର୍ଷ ଧରି ତାଇଓ୍ବାନକୁ ଶକ୍ତି ଦେଇ ଆସିଛି ଆମେରିକା । କେବଳ ଆମେରିକା ନୁହେଁ ପ୍ରାୟ 59 ଟି ଦେଶ ଏବେ ତାଇଓ୍ବାନ ସପକ୍ଷରେ ଅଛନ୍ତି । ଏପରିକି ୟୁରୋପୀୟ ୟୁନିଅନ୍ ବି ତାଇଓ୍ବାନକୁ ସମର୍ଥନ କରୁଛି ।  ହଂକଂ ମଧ୍ୟ ତାଇଓ୍ବାନର ସ୍ବାଧୀନତା ପାଇଁ ସମର୍ଥନ ଘୋଷଣା କରିଛି । ବିଶେଷ କରି ତାଇଓ୍ବାନ ସହ  ସହିତ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଜାପାନ, ବ୍ରିଟେନ ସହିତ ଅନ୍ୟାନ୍ୟ ଦେଶ ମଧ୍ୟ ସମର୍ଥନ କରିବାରେ ଲାଗିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ  ତାଇଓ୍ବାନ ପୂର୍ବରୁ ଚୀନର କ୍ବିଙ୍ଗ ରାଜବଂଶ ଦ୍ବାରା ଶାସିତ ହେଉଥିଲା । ୧୮୯୫ରେ ହୋଇଥିବା ଚୀନ-ଜାପାନ ଯୁଦ୍ଧରେ ଜାପାନ ବିଜୟୀ ହେବାପରେ ତାଇଓ୍ବାନକୁ ଅଧିକାର କରିଥିଲା । ଏହା ପରେ ଜାପାନ ବେଶ କିଛି ବର୍ଷ ଧରି ତାଇଓ୍ବାନକୁ ଶାସନ କରିଥିଲା । ସେବେଠୁ ସମୁଦ୍ର ଭିତରେ ତାଇଓ୍ବାନ ଏକ  ସାମରିକ ଘାଟିରେ ପରିଣତ ହେବାରେ ଲାଗିଲା । ୧୯୪୫ରେ ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନର ପରାଜୟ ହେଲା, ସେତେବେଳେ ପୁଣି ତାଇଓ୍ବାନ  ଚୀନ ଅଧିନକୁ ଆସିଥିଲା ।

କିନ୍ତୁ ଏହାର କିଛି ବର୍ଷ ପରେ  ୧୯୪୯ରେ ଚୀନରେ ଗୃହଯୁଦ୍ଧ ହେଲା ।  ଗୃହଯୁଦ୍ଧରେ କମ୍ୟୁନିଷ୍ଟ ଦଳ  ଚାଇନାକୁ ନିଜ ଅଧିନକୁ ଆଣି ସରକାର ଗଠନ କରିଥିଲା ।   ଫଳରେ କେଏମଟିଙ୍କ ନେତୃତ୍ବରେ ରିପବ୍ଲିକ ଅଫ ଚାଇନା (ଆରଓସି) ଦଳ ଏବଂ ନେତାମାନେ ତାଇଓ୍ବାନକୁ ପଳାଇ ଯାଇ ସେଠାରେ ଶାସନ କରିଥିଲେ । ସେବେଠାରୁ ସେମାନେ ତାଇଓ୍ବାନକୁ ସ୍ବତନ୍ତ୍ର ଦେଶ ଭାବିବାରେ ଲାଗିଲେ ।  ଏପରି କିଛି ବର୍ଷ ବିତିଗଲା ପରେ ପୁଣି  ୧୯୮୦ ଦଶକରେ ତାଇଓ୍ବାନ ଏକ ଗଣତନ୍ତ୍ରରେ ପରିଣତ ହେଲା ଓ ୧୯୯୬ରେ ସେଠାରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ହେଲା । ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା ଦେଶ ଶାସନ ଚାଲିଲା ।

ଏହାପରେ ଚାଇନା -ତାଇଓ୍ବାନ ମଧ୍ୟରେ କ୍ଷମତାକୁ ନେଇ ଟକରା ଟକରି ଚାଲିଲା । ଚୀନ ଯେତେବେଳେ ବି ଧମକ ଦେଲା ତାଇଓ୍ବାନ ସରକାର ଆମେରିକାର ଶରଣରେ ପଶିଲେ ଏବଂ ଆମେରିକା ତାଇଓ୍ବାନକୁ ସୁରକ୍ଷା ଦେଲା । ଏହା ସହ  ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଶକ୍ତି କେନ୍ଦ୍ର ତାଇଓ୍ବାନ ହୋଇଥିବାରୁ ଜାପାନ ଏବଂ ଆମେରିକା ତାଇଓ୍ବାନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଲାଗିଲେ । ଆର୍ଥିକ ସହଯୋଗଠୁ ଆରମ୍ଭ କରି ସାମରିକ ସହଯୋଗ ପର୍ଯ୍ୟନ୍ତି ତାଇଓ୍ବାନ ନିକଟରେ ପହଁଚାଇଲା ଆମେରିକା । ଚୀନର ଦାବିକୁ  ଆମେରିକା ମଧ୍ୟ ପ୍ରତ୍ୟାଖାନ କରିବାରେ ଲାଗିଲା । ୨୦୦୦ ମସିହା ପରେ ତାଇୱାନ ଖୋଲାଖୋଲି ଭାବେ ନିଜକୁ ସ୍ବାଧୀନ ଦେଶ ଦାବି କରିବାରୁ ପୁଣି ସେବେଠାରୁ ଚୀନ ରାଗରେ ତାଇଓ୍ବାନକୁ ଧମକାଇବାରେ ଲାଗିଛି ।

୨୦୧୬ ରେ, ତାଇୱାନର  ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ନିର୍ବାଚିତ ହେବା ପରେ ସେ ଚୀନକୁ ଜମାରୁ ପସନ୍ଦ କରୁନାହାଁନ୍ତି। ତେବେ ଚୀନ ରାଷ୍ଟ୍ରପତି କ୍ଷମତାଶାଳୀ ହୋଇଥିବା ବେଳେ ତାଇଓ୍ବାନକୁ ତାଙ୍କ ସମୟରେ ନିଜ ଦେଶରେ ସାମିଲ କରିପାରୁନାହାଁନ୍ତି । ଚୀନ ରାଷ୍ଟ୍ରପତିଙ୍କ ଧମକକୁ ତାଇଓ୍ବାନ ଖାତିର ନକରି ଆମେରିକାର ସଂସଦର ବାଚସ୍ପତିଙ୍କୁ ନିଜ ଦେଶକୁ ନିମନ୍ତ୍ରଣ କରିବା ପରେ ଦୁଇଦେଶର ସଂପର୍କ ପୁରାପୁରି ବିଗିଡି ଯାଇଛି । ସି ଜିନପିଙ୍ଗ ଏଭଳି ସମୟରେ ତାଇଓ୍ବାନକୁ ଅଧିକାର କରାଯିବ ବୋଲି ଖୋଲାଖୋଲି କହିଲେଣି । ତେବେ ଚୀନ ତାଇଓ୍ବାନ ଅଧିକାର କରିବା ପାଇଁ ତାଇଓ୍ବାନ  ଉପରେ କେବେ ଆକ୍ରମଣ କରୁଛି ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଯେପରି ଯୁଦ୍ଧ ବିମାନ ଉଡାଣ ଅଭ୍ୟାସ କରୁଛି ଏବଂ ମିସାଇଲ ମାଡ କରୁଛି ଏଥିରେ ଚାଇନା ଯେ କୈାଣସି ସମୟରେ ଆକ୍ରମଣ କରିପାରେ ତାହା ବିଶ୍ବବାସୀ ଆଲୋଚନା କରୁଛନ୍ତି । ଏବେ ଚାଇନା ଖୋଲାଖୋଲି ତାଇଓ୍ବାନକୁ ଦଖଲ କରାଯିବ କହି ବିଶ୍ବର ଅନେକ ବଡ଼ ବଡ଼ ଦେଶ ଏପରିକି ଆମେରିକାକୁ ମଧ୍ୟ ଚ୍ୟାଲେଂଜ ଦେବାରେ ଲାଗିଛି । ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ ଯୁଦ୍ଧ ହେଉଛି ନା ଚୀନ ନିରବ ରହୁଛି । ଆଉ ଚାଇନା ରାଷ୍ଟ୍ରପତିଙ୍କ ସ୍ବପ୍ନ ସତ ହେଉଛି ନା ନାହିଁ ।

Leave A Reply

Your email address will not be published.