ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ନାୟକ । ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ଆଦିବାସୀ ଅଞ୍ଚଳରେ ପରମ୍ପରା ଓ ସଂକୃତିକୁ ନେଇ ବହୁ ପରୀକ୍ଷାନିରୀକ୍ଷା ପୂର୍ବକ ନୂଆ ଦିଗ ପ୍ରଦାନ କରିବାରେ ସେ ସକ୍ଷମ ହୋଇଛନ୍ତି। ଆଦିବାସୀ ଜନ-ଜୀବନକୁ ନେଇ ତାଙ୍କ ଦ୍ୱାରା ରଚିତ ପୁସ୍ତକ ପାଠକ ମହଲରେ ବେଶ ଆଦୃତ । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ପୁରସ୍କାରରେ ପୁଷସ୍କୃତ ଓ ସମ୍ମାନରେ ସମ୍ମାନିତ।
ଲେଖକ ନିରଞ୍ଜନ ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ
ଆପଣ ଏକାଧାରରେ ଜଣେ ସଫଳ ସ୍ତମ୍ଭକାର, ଗାଳ୍ପିକ, ଓ କବି । ତେବେ କେଉଁ ପରିଚୟ ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦେଇଛି ଓ କାହିଁକି?
କବିତା ହିଁ ମୋର ଆତ୍ମ ସନ୍ତୋଷର ପ୍ରଥମ ମାଧ୍ୟମ। ଭାବନାରୁ ଜନ୍ମନିଏ କବିତା। ଅନ୍ତରର ଭାବରେ ସୃଷ୍ଟି ହେଉଥିବା ସର୍ଜନା ନିଜକୁ ଅଧିକ ଆତ୍ମସନ୍ତୋଷ ପ୍ରଦାନ କରିଥାଏ। ପ୍ରବନ୍ଧ ଓ ଗଳ୍ପଠାରୁ କବିତା ଲେଖିବାର ନିଶା କିଛି ନିଆରା ଆନନ୍ଦ ଦେଇଥାଏ।
ଲେଖିଲା ବେଳେ ଅନୁଭୁତିକୁ ରୂପ ଦେଇଛନ୍ତି କି?
ହଁ । ନିଜ ଅନୁଭୂତିର ହିଁ ଲେଖାର ମୌଳିକ ଦିଗରେ ପ୍ରଗତିଶୀଳ କରାଇଥାଏ। ଅନୁଭୂତି ରହିଲେ ଲେଖାଟି ନିଜର ଉପସ୍ଥିତି ଜାହିର କରିବାରେ ସକ୍ଷମ ହୁଏ।
ଆପଣଙ୍କ ରଚନାରେ ସରଳ ଆଞ୍ଚଳିକ କଥିତ ଭାଷାର ପ୍ରୟୋଗ ସାଙ୍ଗକୁ ଜନଜୀବନର ଚିତ୍ର ଦେଖିବାକୁ ମିଳେ । ଏ ସମ୍ପର୍କରେ କିଛି କହନ୍ତୁ ।
ସରଳ ଆଞ୍ଚଳିକ ଭାଷା ପାଠକମାନଙ୍କର ବୋଧଗମ୍ୟ ହୁଏ। ସମସ୍ତଙ୍କ ପାଇଁ କଥିତ ଭାଷା ବୁଝିବା ପାଇଁ ସହଜ ହୋଇଥାଏ। ପିଲାବେଳୁ ଅଞ୍ଚଳର ଜନ-ଜୀବନ ସହ ଯଡିତ। ଜନଜୀବନ ସହ ଜଡିତ କଥିତ ଭାଷାର ମଧୁରତା ବେଶ ଅଧିକ। ପ୍ରାକ ଓଡ଼ିଆ ସାହିତ୍ୟରେ ଲୋକ ଭାଷାର ପ୍ରଚଳନ ରହିଛି। ମଧୁବାବୁଙ୍କ ସମୟ । ଗୋପିନାଥ ମହାନ୍ତିଙ୍କ ସମୟକୁ ଦେଖିଲେ ସାହିତ୍ୟରେ କଥିତ ଭାଷାର ପ୍ରୟୋଗ ସ୍ପଷ୍ଟ ଜଣାପଡେ।
ଆପଣ ଅନେକ ଉପଯୋଗୀ ଫିଚର୍ ଲେଖିଛନ୍ତି। ଫିଚର ସମ୍ପର୍କରେ ଆପଣଙ୍କ ଦୃଷ୍ଟିଭଙ୍ଗୀ କେମିତି?
ଜନଜୀବନର କଥାକୁ ଫିଚର ରୂପ ଦେବା ନିଆରା ଲାଗେ। ଫିଚର ପାଇଁ ଅଧିକ ସମୟ ଲାଗିଯାଏ। ତଥ୍ଯ ସଂଗ୍ରହ ଓ ଗବେଷଣା ସହ ସମୟର ସଦୁପଯୋଗ ହିଁ ଫିଚର ଲେଖକଙ୍କୁ ସିଦ୍ଧହସ୍ତ କରିଥାଏ।
ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ବର୍ତ୍ତମାନ ଓଡ଼ିଆ ସାହିତ୍ୟ ପାଇଁ ଆଗ୍ରହ ଓ ନିଷ୍ଠା ରହିଥିଲେ ମଧ୍ଯ ଭାଷା ସାହିତ୍ୟ ଦିଗରେ ଉଦ୍ୟମର ଘୋର ଅଭାବ ପରିଲକ୍ଷିତ ହେଉଛି। ୧୯୫୪ ଭାଷା ଆଇନକୁ କଡାକଡି ପାଳନ ହୋଇପାରିନାହିଁ । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ଭବିଷ୍ୟତରେ ଓଡ଼ିଆ ଭାଷା ପାଇଁ କାମ ହୋଇନାହିଁ। ଭବିଷ୍ୟତ ଅଛି କିନ୍ତୁ ଆଗ୍ରହ ଓ ଉଦ୍ୟମ ରହିଲେ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଉଜ୍ଜ୍ବଳ ଦିଶିବ।
ପୁରସ୍କାର ସାହିତ୍ୟର ମାପଦଣ୍ଡ ନିର୍ଦ୍ଧାରଣ କରିବାରେ ସହାୟକ ହୁଏ କି ?
ନା । ପୁରସ୍କାର ମାପଦଣ୍ଡ ନୁହେଁ। ସ୍ବାଭିମାନ ଓ ସର୍ଜନ ମନସ୍କ ଲେଖକମାନଙ୍କ ପାଇଁ ପୁରସ୍କାର ପ୍ରଭାବ ପକାଇ ପାରିନଥାଏ। ହଁ ଏତିକି ଯେ ପୁରସ୍କାର ଲେଖିବା ପାଇଁ ଉତ୍ସାହ ଓ ପ୍ରେରଣା ଯୋଗାଇଥାଏ।
ଆପଣ ଦୀର୍ଘଦିନ ଧରି ପେଙ୍ଗ କୁଇ ଆଦିବାସୀଙ୍କ ଉପରେ ଗବେଷଣା କରି ଆସୁଛନ୍ତି । ତାହା ଆପଣଙ୍କ ସାହିତ୍ୟ ସର୍ଜନାରେ କେତେଦୂର ସହାୟକ ହୋଇଛି ବୋଲି ଆପଣ କହିବେ ?
ମୋର ସରକାରୀ କର୍ମକ୍ଷେତ୍ରରେ ବହୁ ଜନଜାତିଙ୍କ ସହ ଯୋଗାଯୋଗ ରହେ। ସେମାନଙ୍କ ଭାଷା ସଂସ୍କୃତି ଲୋକ ସାହିତ୍ୟ ବେଶ ସମୃଦ୍ଧ । ସେମାନଙ୍କ ଚାଲିଚଳନ ବେଶଭୂଷା ଖାଦ୍ଯ ନୃତ୍ୟ ଗୀତ ବାଦ୍ଯ ଭାଷା ହିଁ ମୋର ସର୍ଜନା ସୃଷ୍ଟିର ଏକ ମାଧ୍ୟମ ହୋଇଥାଏ।
ସାମାଜିକ ଗଣମାଧ୍ୟମର ସାହିତ୍ୟକୁ ଆପଣ କିପରି ଭାବରେ ଦେଖନ୍ତି ?
ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ବିଭିନ୍ନ ଲେଖା ଆସେ। ପଢିହୁଏ। ଅନ୍ୟ ଲେଖକମାନଙ୍କ ଲେଖାକୁ ପ୍ରଶଂସା ବି କରିହୁଏ। କିଛି କବିତା ପ୍ରବନ୍ଧ ଗଳ୍ପ ସାଇତି ରଖିବାକୁ ହୁଏ। ଆଗ୍ରହ ଲାଗେ। ସାମାଜିକ ଗଣମାଧ୍ୟମ ସାହିତ୍ୟ ପାଇଁ ଏକ ନୂଆ ପ୍ଲାଟଫର୍ମ। କିନ୍ତୁ ବହି ପଢିବାର ଆନନ୍ଦ ସାମାଜିକ ଗଣମାଧ୍ୟମରେ ନ ଥାଏ। ସାମାଜିକ ଗଣମାଧ୍ୟମରେ ବେଶି ମଜ୍ଜି ନ ରହି ସର୍ଜନା ମନସ୍କ ହେଲେ ଭଲ ଲେଖା ସୃଷ୍ଟି ହୋଇପାରିବ।
ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ପେଶା ସରକାରୀ ଚାକିରୀ। ସାହିତ୍ୟ ମୋର ନିଶା। ସାହିତ୍ୟକୁ ନେଇ ପେଶା କରିବାର ସେମିତି କିଛି ଯୋଜନା ନାହିଁ। ଭବିଷ୍ୟତରେ କବିତା ଫିଚର ଓ ପ୍ରବନ୍ଧ ସଙ୍କଳନ ପ୍ରକାଶନ ଲକ୍ଷ୍ୟରେ ରହିଛି।
Comments are closed.