Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ରିଲିଫ୍ ଘୋଷଣା କରିଛନ୍ତି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପାଣି ପସିଥିବା ଗାଁରେ ବିପନ୍ନଙ୍କୁ ୧୫ ଦିନ ଲାଗି ରିଲିଫ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଜଳମଗ୍ନ ଗାଁ ସବୁରେ ୭ ଦିନ ପାଇଁ ରିଲିଫ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୨) ପାଣି ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯାଇ ପରବର୍ତ୍ତୀ ୧୫ ଦିନ ଭିତରେ ଘର ଭଙ୍ଗା ଓ ଫସଲ  କ୍ଷତି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା-ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଏବଂ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରିଥିଲେ ।

୩) ବନ୍ୟା ପ୍ରକୋପ ଥମି ନଥିବା ବେଳେ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଆଉ ଏକ ଲଘୁଚାପ । ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଏବଂ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

୪) ଲଘୁଚାପ ପ୍ରଭାବରେ ଉପକୂଳ ଜିଲ୍ଲା ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ।

୫) ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ ବନ୍ୟା ଜଳରେ ବୁଡ଼ି ରହିଥିବା କାରଣରୁ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ୍ ପକ୍ଷରୁ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ASOର ଲିଖିତ ପରୀକ୍ଷା ଆସନ୍ତା ରବିବାର ୨୧ ତାରିଖରେ ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଯାଏ ASO ପରୀକ୍ଷା ସ୍ଥଗିତ ଥିବା ସୂଚନା ଦେଇଛନ୍ତି OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ।

୬) ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି । ବର୍ତ୍ତମାନ ୨୮ଟି ଗେଟ୍ ଦେଇ ବନ୍ୟା ପାଣି ଛଡାଯାଉଛି । ସେପଟେ ପୁରୀ ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବନ୍ୟା ସ୍ଥିତି ପାଇଁ କାଲି ଓ ଶନିବାର ଜିଲ୍ଲାର ୧୧ଟି ବ୍ଲକରେ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

୭) କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ମୋଟ୍ ୫୨ଟି ପଞ୍ଚାୟତର ୨୩୫ଟି ଗାଁ, ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ୫୦ ହଜାର ୬୬୭ ଜଣ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆଠଗଡ ବ୍ଲକ୍‌ର ୧୭ଟି ପଞ୍ଚାୟତର ୫୮ଟି ଗାଁର ୭ ହଜାର ୫ ଶହ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୪ ହଜାର ୮୩୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ୮ଟି ସ୍ଥାନରେ ଦୁଇ ଓଳି ରନ୍ଧା ଖାଦ୍ୟ ଦିଆଯାଉଛି ।

୮) ବନ୍ୟା ପାଣିରୁ ଉଦ୍ଧାର ବେଳେ ଅଘଟଣ । ନିମାପଡ଼ା ବଡ଼ସିରୁବିଳା ପଞ୍ଚାୟତର କାଶିଆ ଛକରୁ ଗଡ଼ତୋରିହଁ ଯାଉଥିବା ଏକ ଡଙ୍ଗା ବନ୍ୟା ପାଣିରେ ଓଲଟିପଡ଼ିଛି । ଡଙ୍ଗା ଓଲଟିବା କାରଣରୁ ୧୫ ଜଣ ଲୋକ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ପାଣିକୁ ଡେଇଁ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି  ।

୯) ବନ୍ୟା ପାଣି କମୁଥିବା ବେଳେ ବଢ଼ିବାରେ ଲାଗିଛି ଚାଷୀଙ୍କ ଚିନ୍ତା । ପ୍ରଥମେ ଲଗାଣ ବର୍ଷା, ପରେ ପୁଣି ଲଘୁଚାପ ଆଉ ଶେଷରେ ବନ୍ୟା-ସବୁ ବୁଡାଇ ଦେଇଛି । ଚାଷୀ ମାନେ ବିଲରେ ହଳ ପରେ ବିହନ ବୁଣିଥିଲେ । ବିହନ ଗଜା ହେଉ ହେଉ ଆରମ୍ଭ ହେଲା ପ୍ରକୃତିର ଦାଉ । ଏବେ ବିଲରେ ବିହନ ଗୁଡିକ ପଚି ଯାଇଛି । ଏବେ ସୁଦ୍ଧା ଚାଷ ଜମିରୁ ଜଳସ୍ତର କମି ନାହିଁ । ପୁଣି ଆଗକୁ ଲଘୁଚାପ ଚିନ୍ତାକୁ ଦୁଇଗୁଣା କରିଛି ।

୧୦) ଜଙ୍ଗଲରେ ବୁଲୁଛି ଅସୁସ୍ଥ ଦନ୍ତା । କଟର ନରସିଂହପୁର ଜଙ୍ଗଲରେ ହାତୀଟିକୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଅଧିକାରୀ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି । ହାତୀକୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଗୋଟିଏ ଦାନ୍ତ ନଥିବା ମଧ୍ୟ ଜଣାପଡିଛି । ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଟ୍ରାଙ୍କୁଲାଇଜ୍‌ କଲା ପରେ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।

୧୧) ମହାରାଷ୍ଟ୍ରର ରାୟଗଡ଼ରେ ଏକ ବଡ଼ ଆତଙ୍କୀ କାର୍ଯ୍ୟକଳାପର ପର୍ଦ୍ଦାଫାସ୍‌ ହୋଇଛି । ଉକ୍ତ ଅଞ୍ଚଳରୁ ପୋଲିସ୍‌କୁ ଦୁଇଟି ସନ୍ଦିଗ୍ଧ ନୌକା ମିଳିଛି । ସେଥିମଧ୍ୟରୁ ଗୋଟିଏରେ ଏକେ ୪୭, ରାଇଫଲ୍‌, ଗୁଳି, ବାରୁଦ ଆଦି ମିଳିଛି । ଏହାକୁ ନଜରରେ ରଖି ରାୟଗଡ଼ ଅଞ୍ଚଳରେ ହାଇ ଆର୍ଲଟ୍‌ ଜାରି କରାଯାଇଛି । ଜନ୍ମାଷ୍ଟମୀର ଗୋଟିଏ ଦିନ ପୂର୍ବରୁ ଏବଂ ଗଣେଶ ଚତୁର୍ଥୀକୁ କିଛି ଦିନ ଥିବା ବେଳେ, ଏଭଳି ସନ୍ଦିଗ୍ଧ ଗୋଳା ବାରୁଦ ଭର୍ତ୍ତି ନୌକା ମିଳିବା କୌଣସି ଏକ ବଡ଼ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛି ।

୧୨) ସାଥି କଏଦୀକୁ ହତ୍ୟା ଘଟଣାରେ ୧୫ ଜଣ କଏଦୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା କୋର୍ଟ । ଗୁରୁବାର ଝାଡ଼ଖଣ୍ଡ ପୂର୍ବ ସିଂଘଭୂମୀ ଜିଲ୍ଲା ଅତିରିକ୍ତ କୋର୍ଟ ଦୋଷୀମାନଙ୍କୁ ଏଭଳି ସଜା ଶୁଣାଇଛନ୍ତି । ଜାମସେଦପୁରରେ ୨୦୧୯ ଘାଘିଡିହ ସେଣ୍ଟ୍ରାଲ୍‌ ଜେଲ୍‌ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୧୫ ଜଣ ମିଶି ଜଣେ ସାଥି କଏଦୀଙ୍କୁ ହତ୍ୟା କରିଥିଲେ ।

୧୩) ଋଷ୍ର କମୁଥିବା ଜନସଂଖ୍ୟା ଦେଖି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏକ ଅଜବ ନିଷ୍ପତ୍ତି ନେଇଛନ୍ତି । ଜନସଂଖ୍ୟା ବଢାଇବାକୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ୍ । ଜଣେ ମହିଳା ୧୦ରୁ ଅଧିକ ଛୁଆ ଜନ୍ମ କଲେ ଆର୍ଥିକ ସହାୟତା ଦିଆଯିବ । ଯେଉଁ ମହିଳାମାନେ ୧୦ କିମ୍ବା ଅଧିକ ସନ୍ତାନ ପ୍ରସବ କରିବେ, ସେମାନଙ୍କୁ ପାଳନ କରି ବଢ଼ାଇବେ । ସେମାନଙ୍କୁ ଋଷ୍ ସରକାରଙ୍କ ପକ୍ଷରୁ ‘ମଦର ହିରୋଇନ୍’ଆଖ୍ୟା ଦିଆଯିବ ।

୧୪) ଭାରତୀୟ ଘରୋଇ କ୍ରିକେଟ୍‌ରେ ସବୁଠୁ ସଫଳ କୋଚ୍‌ ଭାବେ ପରିଚିତ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଆଗାମୀ ଆଇପିଏଲ୍‌ ସିଜନ ପାଇଁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । ଗତ ସିଜନରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ନାଇଟ ରାଇଡର୍ସ କୋଚ୍‌ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସେ ଇଂଲଣ୍ଡ ଟେଷ୍ଟ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି ।

୧୫) ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଖରାପ ହୋଇଛି । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଅଛି । ଏବେ ଯାଏଁ କୌଣସି ସୁଧାର ଆସୁନାହିଁ । ୮ ଦିନ ପରେ ବି ବେହୋଶ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।  ଡାକ୍ତରମାନେ ପରିବାରକୁ କହିଛନ୍ତି, ତାଙ୍କ ବ୍ରେନ୍‌ ଡେଡ୍‌ ହୋଇ ଯାଇଥିବା ବେଳେ ହାର୍ଟ ମଧ୍ୟ ଠିକ୍‌ ସେ ଭାବରେ କାମ କରୁନାହିଁ ।

Leave A Reply

Your email address will not be published.