Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା, ସେମିଫାଇନାଲ୍ ଲକ୍ଷ୍ୟରେ ବିରାଟ

ମାଞ୍ଚେଷ୍ଟର୍: ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି କୌଣସି ମ୍ୟାଚ ହାରିନାହିଁ । ସେମିଫାଇନାଲ୍ ଯିବା ଲାଗି ୱେଷ୍ଟଇଣ୍ଡିଜକୁ ବିରାଟ ବାହିନୀ ଆଜି ପରାସ୍ତ କରବାକୁ ଲକ୍ଷ୍ୟ ରଖିଛି । ପଏଣ୍ଟତାଲିକାରେ କଙ୍ଗାରୁ ଓ କିୱି ଦଳ ପଛକୁ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି । ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ଲାଗି ଆଉ ୨ଟି ବିଜୟ ଆବଶ୍ୟକ ପଡୁଛି । ତେଣୁ ୱେଷ୍ଟଇଣ୍ଡିଜ ପୂର୍ବରୁ ଖେଳିଥିବା ୬ଟି ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ ନ’କରି ୪ଟି ପରାଜୟର ସାମ୍ନା କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚରେ ଜିତିବାକୁ ସମସ୍ତ ଶକ୍ତି ଖଟାଇବ ବୋଲି ଆଶା ।

ଭାରତୀୟ ଦଳ ପୂର୍ବ ମ୍ୟାଚରେ ଆଫଗାନିସ୍ତାନ ଭଳି ଦୁର୍ବଳ ଦଳ ଆଗରେ ପରାଜୟର ସାମ୍ନା କରି ଶେଷ ଆଡ଼କୁ ଭଲ ଖେଳ ପ୍ରଦର୍ଶନ କରିବାରୁ ଅଳ୍ପକେ ମ୍ୟାଚ୍ ଜିତିପାରିଥିଲା । ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ସନ୍ତୁଳିତ ତଥା ଶକ୍ତିଶାଳୀ ବ୍ୟାଟିଂ ଲାଇନ-ଅପ ଏବେ ଶିଖର ଧାୱନଙ୍କ ଅନୁପସ୍ଥିତିରେ ଦଳରେ ସାମାନ୍ୟ ଚାପ ସୃଷ୍ଟି ହୋଇଛି । ବିରାଟଙ୍କ ଦଳରେ ବ୍ୟାଟିଂ ଅପେକ୍ଷା ଏବେ ବୋଲିଂ ବିଭାଗ ଅଧିକ ଶକ୍ତିଶାଳୀ ମନେହୁଏ ।

ଟିମ୍ ଇଣ୍ଡିଆର ବ୍ୟାଟିଂ ଯେତିକି ମାତ୍ରାରେ ରୋହିତ, ବିରାଟ, ରାହୁଲ ଓ ଧୋନୀଙ୍କ ଉପରେ ନିର୍ଭରଶୀଳ ସେତିକି ମାତ୍ରାରେ ଦଳର ବୋଲିଂ ବିଭାଗ ସାମି, ବୁମରା ଏବଂ ଚହଲଙ୍କ ଉପରେ ନିର୍ଭର କରୁଛି । ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରୁ ଭାରତୀୟ ଦଳ କରିଥିବା ଅନେକ ଭୁଲକୁ ଏହି ମ୍ୟାଚରେ ସୁଧାରିବାକୁ ନିଶ୍ଚିତ ଚେଷ୍ଟା କରିବ ।

ୱେଷ୍ଟଇଣ୍ଡିଜ ବୋଲର୍ ଓସାନେ ଥୋମାସ ଓ ସିମରନ କଟରେଲ୍ ଦୁର୍ଦ୍ଧଶ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଅଟକାଇବାକୁ ଚେଷ୍ଟା କରିବେ । ସେହିପରି ପରାକ୍ରମୀ କାରବୀୟାନ୍ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ବ୍ୟାଟରୁ ଆକ୍ରମଣାତ୍ମକ ବ୍ୟାଟିଂକୁ ପ୍ରତିହତ କରିବାକୁ ସାମି ଓ ବୁମରା ଚେଷ୍ଟା କରିବେ । ଆଜି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ୍ ଏବଂ କୁଲଦୀପ ଯାଦବ ସେମାନଙ୍କର ସ୍ମିନ ମାଧ୍ୟମରେ ଇଣ୍ଡିଜ୍ ବ୍ୟାଟିଂକୁ ହଇରାଣ କରିବା ଲାଗି ସମସ୍ତ କୌଶଳ ଦେଖାଇବାକୁ ଚେଷ୍ଟା କରିବେ ।

ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ବିଜୟ ଶଙ୍କର, ଯଶପ୍ରିତ ବୁମରା ଓ ମହମ୍ମଦ ସାମି ।

ୱେଷ୍ଟଇଣ୍ଡିଜ ଦଳ:

ଜାସନ୍ ହୋଲ୍ଡର୍, କ୍ରିସ୍ ଗେଲ୍, ସିମରନ ହ୍ୱାଟମେୟର, ନିକୋଲସ ପୁରନ୍, ହୋପ୍, ବ୍ରାଥୱେଟ, ଆସଲ୍ଲେ ନର୍ସ, ଏଭିନ ଲୁଇସ୍, କେମର୍ ରୋଚ୍, ସିମରନ କଟରେଲ ଓ ଓସାନେ ଥୋମାସ ।

ସଂଘର୍ଷପୂର୍ଣ୍ଣ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ଟିମ୍ ଇଣ୍ଡିଆ ଏଯାଏଁ ଭୁଲି ପାରିନାହିଁ, ତେବେ ୱେଷ୍ଟଇଣ୍ଡିଜ ଦଳରେ ରହିଛନ୍ତି କିଛି ବିଶ୍ୱସ୍ତରୀୟ କ୍ରିକେଟର୍ । ପରିସ୍ଥିତି ଓ ଚାପରେ ପଡ଼ି ମଧ୍ୟ ଏହି ଖେଳାଳିମାନେ ମ୍ୟାଚର ମୋଡ଼ ପରିବର୍ତ୍ତନ କରିଦେବାର କ୍ଷମତା ରଖିଛନ୍ତି । କପ୍ତାନ ବିରାଟ କୋହଲୀ ସେମିଫାଇନାଲକୁ ପ୍ରବେଶ କରିବା ଲାଗି କେବଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇବେ ବୋଲି କ୍ରିକେଟ୍ ବିଶାରଦମାନେ ଆଶା ରଖିଛନ୍ତି ।

Leave A Reply

Your email address will not be published.