Latest Odisha News

କବିତା : ବଦଳା ବ୍ୟକ୍ତିତ୍ୱ

ମାନସ ରଞ୍ଜନ ନାୟକ

ବ୍ଯକ୍ତ ଅବ୍ଯକ୍ତର ଅସ୍ପଷ୍ଟ ଦିଗନ୍ତେ ଚକଚକ୍ ବ୍ଯକ୍ତିତ୍ବର ଧ୍ରୁବତାରା
ସବୁ ଛଳନାର ଆବରଣ ତଳେ ସୁପ୍ତ ଅମାୟିକ ଚେତନାର ଧାରା
ବିବର୍ତ୍ତନ ଡିଣ୍ଡିମେ ନୀରବଛିନ୍ନ ବଦଳେ ଭବ୍ୟ ସଭ୍ଯତାର ଅସ୍ତିତ୍ଵ
ପାର୍ଥିବ ସଂସାରେ ସ୍ବାର୍ଥ ଶାସନରେ କ୍ଷଣିକେ ବଦଳେ କୃତ୍ରିମ ବ୍ଯକ୍ତିତ୍ବ ।

ମାତୃଗର୍ଭୁ ହିଁ ସାଉଁଟିନିଏ ଜୀବନ ବ୍ଯକ୍ତିତ୍ବର ଅମୂଲ୍ଯ ଉପାଦାନ
ଆଭୂମ ମୁହୂର୍ତ୍ତୁ ସନ୍ତର୍ପଣେ ଗଢିଚାଲେ ବ୍ୟକ୍ତିତ୍ୱର ନିଅଁ ଅଭିମାନ
ବାସ୍ତବତାର କ୍ରୂର ଆଘାତରେ ଚେତନାର କୋଣାର୍କ ଶତଧା ବିଦୀର୍ଣ୍ଣ
ସାଲିସକରା ପଶାପାଲି ବାଜି ଜିତି ବ୍ଯକ୍ତିତ୍ବ କେବେ ହୁଏ କି ଉତ୍ତୀର୍ଣ୍ଣ ?

ପରିବାରର ପାରିଲା ପଣରେ ପରିପୁଷ୍ଟ ହୁଏ ତା’ ବ୍ୟକ୍ତିତ୍ୱର ଜଡ
ସ୍ବାବଲମ୍ବୀ ହେଲେ ବ୍ଯକ୍ତିତ୍ବର ସୂର୍ଯ୍ୟମୁଖୀ ଢଳିଯାଏ ଅନ୍ଯ ଏକ ମୋଡ
ବସ୍ତୁବାଦୀ ଚାକଚକ୍ଯ ମୋହ ଆଗେ ବଳିପଡେ ଅନ୍ତଃକରଣର କୋହ
ପ୍ରାପ୍ତି ପୀୟୂଷର ଉତ୍ତାଳ ତରଙ୍ଗେ ହଜେ ଉଚ୍ଚ ବ୍ୟକ୍ତିତ୍ୱର ଲଘୁ ବାହ ।

ଯୌବନ ପାପର ଉଚ୍ଚାଟ କାମନା ବ୍ଯକ୍ତିତ୍ବକୁ କରେ ସଂକ୍ରମିତ
କାଳର କଷଟିରେ କଷି ହୋଇ ପୁଣି ବ୍ଯକ୍ତିତ୍ବ ସାଜେ ଖଡ୍ଗଠୁ ଶାଣିତ
ଦାୟିତ୍ୱ କର୍ତ୍ତବ୍ଯ ଧର୍ମ ଓ କର୍ମର ଚକ୍ରବ୍ୟୁହେ ପ୍ରତିକ୍ଷଣ ବିଚଳିତ
ଦାନ ଦୟା ପ୍ରେମ ଓ ଶ୍ରମର ମହାମନ୍ତ୍ରେ ବ୍ଯକ୍ତିତ୍ବ ସଦା ବିଶ୍ୱବନ୍ଦିତ ।

ମଞ୍ଜୁରୀ ରୋଡ୍ ଭଦ୍ରକ୍
ମୋ- ୯୮୯୦୮୫୧୪୨୭

Comments are closed.