Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଡେରା ବାବା ନାନକ

୧୯୨୫ ମସିହାରେ ଅବିଭକ୍ତ ଭାରତର ସିଆଲକୋଟରେ ଜନ୍ମଲାଭ କରିଥିବା ଯୋଗୀନ୍ଦର ପାଲ୍ ଉର୍ଦ୍ଦୁ ସାହିତ୍ୟର ପ୍ରଖ୍ୟାତ ସାହିତ୍ୟକାର । ଦେଶ ବିଭାଜନ ପରେ ସେ ଭାରତକୁ ଚାଲିଆସିଥିଲେ ଏବଂ ଏହାର ତିକ୍ତ ଅନୁଭୂତିକୁ ନେଇ ଅନେକ ମନୋଜ୍ଞ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ । ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଶ୍ରୀ ପାଲ୍ ୨୦୧୬ ମସିହାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୭

ମୂଳ ଉର୍ଦ୍ଦୁ : ଯୋଗୀନ୍ଦର ପାଲ୍‌

ଯେତେବେଳେ ଶରୀରକୁ କିଛି ଗୋଟିଏ ବାଧା ପହଞ୍ଚେ, ତାହା ଆତ୍ମାକୁ ବି ଛୁଇଁଥାଏ । ଜୀବନସାରା ସେ ସ୍ମୃତି ଅପାସୋରା ରହିଯାଏ । ସେଇଥିପାଇଁ ପ୍ରାୟ ପଚାଶ ବର୍ଷ ବିତି ସାରିଥିଲେ ସୁଦ୍ଧା ବାରମ୍ବାର ମୋ ମନକୁ ସେଇ ଗୋଟିଏ ସ୍ମୃତି ଆସୁଥିଲା । ମଝିରେ ମଝିରେ ମୋ ଦିନ ଭିତରକୁ ଧଶେଇ ପଶି ସ୍ୱପ୍ନରେ ଜଳଜଳ ହୋଇ ଦୃଶ୍ୟ ହେଉଥିଲା । ପ୍ରଥମେ ଗାଈଗୋରୁ ପଲଙ୍କ ସାମ୍‌ନାରେ । ସେମାନଙ୍କ ପଛକୁ କୁଦୁଲୁକାଦୁଲୁ ପଞ୍ଝାଏ ଛୁଆ ଓ ସବା ପଛରେ ଝୋଟଭଳି ପାଚିଲା ଦାଢ଼ିଆ କେଇଟା ବୁଢ଼ାଲୋକ । ଠିକ୍ ଦଳେ ଉଡ଼ନ୍ତା ଚଢ଼େଇ ଭଳି… ଆଉ ମୁଁ… ଆଚ୍ଛା, ମୁଁ ଯଦି ସମ୍ପୂର୍ଣ୍ଣ ଘଟଣାଟିକୁ ଆପଣମାନଙ୍କ ଆଗରେ ବଖାଣି ବସେ, କେମିତି ହୁଅନ୍ତା!

ଦେଶ ବିଭଜନ ବେଳେ ସାରା ଭାରତରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ ହଣାକଟା ଲାଗିଥିଲା । ଯେଉଁମାନେ ସେ ଦଙ୍ଗାରୁ ନିଜକୁ ବଞ୍ଚାଇ ନିରାପଦ ଆଶ୍ରୟଟିକେ ଖୋଜି ପାଇଥିଲେ ସେମାନଙ୍କୁ ସାହସୀ ବୋଲି ବିବେଚନା କରାଯାଉଥିଲା । ଆମେ ବି ସେମିତି ଆଶ୍ରୟ ଟିକେ ଖୋଜି ସିଆଲକୋଟରୁ ଆସି ଡେରା ବାବା ନାନକଠାରେ ପହଞ୍ଚି ଥିଲୁ । ଯେତେବେଳେ ଆମେ ସିଆଲକୋଟରୁ ଟ୍ରେନ୍ ଧରିଥିଲୁ ଆମକୁ ଜଣା ନ ଥିଲା ପ୍ରକୃତରେ ଆମେ ଯାଉଛୁ କୁଆଡ଼େ । ମୃତାହତ କି ସେ ଅମାନୁଷିକ ଦଙ୍ଗାରେ ମୁକ ପାଲଟି ଯାଇଥିବା ଅନ୍ୟମାନେ ଜାଣି ନ ଥିଲେ ସୀମାର କେଉଁ ପଟକୁ ସେମାନେ ଯାଉଛନ୍ତି ଅବା କେଉଁଠି ସେମାନଙ୍କୁ ନିରାପତ୍ତା ଟିକେ ମିଳିପାରିବ । ସେମାନେ କୁଆଡ଼େ ଯାଉଛନ୍ତି ତାହା ବି ଜଣା ନ ଥିଲା । ଯେଉଁ ଷ୍ଟେସନରେ ଟ୍ରେନ୍ ଅଟକୁଥିଲା, ମୃତଭଳି ସେଥିରେ ବସି ରହିଥିବା ଆମ ସମସ୍ତଙ୍କୁ ଲାଗୁଥିଲା ଯେ ଆମ ଲକ୍ଷ୍ୟସ୍ଥଳ ଆସିଗଲା ।

ଟ୍ରେନ୍ ଆଉ ଆଗକୁ ଗଡ଼ିବନି । ଆମ ନିଶ୍ଚଳ ଶରୀରରେ ଯେମିତି ପ୍ରାଣ ସଞ୍ଚରୁଥିଲା; ପୁଣି ଥରେ ଆମେ ନିଃଶ୍ୱାସ ପ୍ରଶ୍ୱାସ ନେବା ଆରମ୍ଭ କରୁଥିଲୁ । ସତେକି ଆମେ ଆସି ଆଉ କେଉଁ ଏକ ନୂଆ ଦୁନିଆରେ ପହଞ୍ଚି ଯାଇଛୁ! କିନ୍ତୁ ହଠାତ୍ ପୁଣି ପଞ୍ଝାଏ ଲୋକ ଆମ ବଗି ଭିତରକୁ ଠେଲିପେଲି ପଶି ଆସୁଥିଲେ । ଉଚ୍ଚସ୍ୱରରେ କିଏ ଚିତ୍କାର ଛାଡ଼ୁଥିଲା । ସେ ଅପରିଚିତ ଲୋକମାନଙ୍କୁ ଦେଖି, ସେମାନଙ୍କ ଚିତ୍କାର ଶୁଣି ପୁଣି ଥରେ ଆମ ପିଳେହି ପାଣି ହୋଇ ଯାଉଥିଲା । ଆମ ଶରୀରରୁ ସତେକି ପ୍ରାଣ ବାହାରି ଯିବାପରି ଲାଗୁଥିଲା! ପରିଶେଷର ଆମେ ସୀମାରେଖା ପାର ହୋଇଥିଲୁ… ଏଇ ଡେରା ବାବା ନାନକଠାରେ ପହଞ୍ଚିଥିଲୁ ।

ଏଠାରେ ଆସି ପହଞ୍ଚି ଆମେ ଦେଖିଥିଲୁ କ’ଣ?

ଆମେ ଆସି ଏଠାରେ ପହଞ୍ଚି ବାର ଢେର୍‌ ପୂର୍ବରୁ ଆମେମାନେ ହିଁ ସମସ୍ତେ ସେଠାରେ ଚାରିଆଡ଼େ ବିଛେଇ ହୋଇ ପଡ଼ିଥିଲୁ । ଖଣ୍ଡ ଖଣ୍ଡ ହୋଇ… ଏଠି କଟା ହାତଟିଏ, ସେଠି କଟା ଗୋଡ଼ଟିଏ, ଆଉ କେଉଁଠି ଅବା କଟା ମୁଣ୍ଡରୁ ଫାଳେ, ଅନ୍ତବୁଜୁଳା ପୁଳାଏ… ଆଉ କେଉଁଠି ଅଜଣା ସ୍ତ୍ରୀଲୋକଟିର ଛାତିରୁ ଫାଳେ; ପୁଣି କେଉଁଠି କେଉଁ ପୁରୁଷଟିର କଟା ଯୌନାଙ୍ଗ । ସେସବୁ ବିକ୍ଷିପ୍ତ ହୋଇ ପଡ଼ିଥିଲା । କାହାକୁ ଜଣା ନ ଥିଲା, ସେସବୁ କଟା ଅଙ୍ଗ ହିନ୍ଦୁର ନା ମୁସଲମାନର ।

ଆମ ସାଙ୍ଗରେ ଗୋଟିଏ ବଦ୍ଧ ପାଗଳ ଆସିଥିଲା । ସମ୍ପୂର୍ଣ୍ଣ ବାଇଆ… ତା’ ନାଁ କେହି ଜାଣିନଥିଲେ ଅବା ତା’ର ପରିଚୟ ।

ତା’ ସମ୍ପର୍କରେ ରେ କାହାରି ପାଖରେ କିଛି ହେଲେ ସୂଚନା ନଥିଲା । ବୋଧହୁଏ ପାକିସ୍ତାନର କୌଣସି ଏକ ସ୍ଥାନରୁ ସିଏ ଖସି ପଳେଇ ଆସିଥିଲା! ଆମରି ଶରଣାର୍ଥୀ ଶିବିରରେ ଏବେ ପହଞ୍ଚିନଥିଲା । ବାଇଆଟି କେତେବେଳେ ଚିତ୍କାର ଛାଡ଼ୁଥିଲା – ‘ମତେ ମାରନା’… ମୁଁ ହିନ୍ଦୁ, ଦେଖ!’ ଏତିକି କହି ସେ ତା’ ଦେହରୁ ପିନ୍ଧା ସାର୍ଟ ପ୍ୟାଣ୍ଟ ଓହ୍ଲାଇ ପକାଉଥିଲା । ପାଇଜାମାର ଫିତାର ଗଣ୍ଠି ଫିଟାଇ ପକାଇ କହୁଥିଲା, ‘ଏଇ ଦେଖ, ଦେଖ!’ ଆଉ କେତେବେଳେ ସେ ବଡ଼ ପାଟିକରି ଚିଲ୍ଲାଉଥିଲା, ‘ମନେ ମାରନା… ମାରନା… ମୁଁ ମୁସଲମାନ… ଏଇ ଦେଖ, ଏଇ ଦେଖ!’ ଏମିମତି କହି କହି ସେ ଚାରିଆଡ଼େ ଦୋଡ଼ାଦୌଡ଼ି ଆରମ୍ଭ କରୁଥିଲା । ଏମିତି ଦୌଡ଼ାଦୌଡ଼ି କଳାବେଳେ ସେ ହଠାତ ଅଟକିଯାଇଥିଲା, କାହାର କଟା ଯୌନାଙ୍ଗଟିଏ ଦେଖି । ରକ୍ତ ଜୁଡ଼ୁବୁଡ଼ୁ ସେ ମାଂସଖଣ୍ଡକ ତଳେ ଲୋଟୁଥିଲା । ବାଇଆଟି ଏକଥା ଦେଖି ଚମକି ଉଠିଥିଲା । ତୁରନ୍ତ ନିଜ ପାଇଜାମା ଭିତରେ ହାତ ପୂରେଇନେଲା । ତା’ପରେ କ’ଣ ଭାବି କେଜାଣି ସେ କଟା ଯୌନାଙ୍ଗଟିକୁ ହାତରେ ଉଠେଇନେଲା ।

ଏଥର ଦି’ଆଖିକୁ ଡବଡବ କରି ତାକୁ ହାତରେ ଧରି ସେ ପରଖିଲା । ବୋଧହୁଏ ମନେ ମନେ ଭାବିହେଲା, ଏ ଅଙ୍ଗଟି ତା’ର ନା ଆଉ କାହାର! ସେ ବଲବଲ କରି ତାକୁ ଚାହୁଁଥିଲା । ଶରଣାର୍ଥୀ ଶିବିରରେ ମୁଣ୍ଡ ଗୁଞ୍ଜିଥିବା ଶହ ଶହ ଅସହାୟ ଲୋକଙ୍କ ମୁଣ୍ଡରେ ସତେକି ଦୁଃଖର ପାହାଡ଼ ଲଦି ହୋଇଥିଲା । ନିଜ ଆଖିରୁ ନିୀବରେ ଲୁହ ଗଡ଼େଇବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା । ତଥାପି ବାଇଆଟିର ଏଭଳି ହାବଭାବ ଲୋକମାନଙ୍କୁ ହସିବାର ସାମୟିକ ଏକ ସୁଯୋଗ ଯୋଗାଉଥିଲା ।

ଆମେ କିଛି ଲୋକ ତା’ ଚାରିକଡ଼େ ରୁଣ୍ଡହୋଇ ତା’ର ଏପରି କାଣ୍ଡକୁ ନିରବରେ ନିରୀକ୍ଷଣ କରୁଥିଲୁ । ଆମ ଆଡ଼କୁ ଥରେ ଚାହିଁ ବାଇଆଟି ନିଜକୁ ବୁଝେଇଲାଭଳି କହେ, ‘ନା… ଏଇଟା ମୋର ।’ ଆମ ଭିତରୁ କେହି ଜଣେ ତାକୁ ଚିଡ଼େଇବା ଲାଗି ପଚାରେ, ‘ହଇରେ ବାଇଆ, ସେଇଟା କେମିତି ତୋର ହେଲା? ସୀମା ଏପଟେ ପରା ସେମାନେ କେବଳ ମୁସଲମାନ ଲୋକଙ୍କୁ ମରାମରି କରିଛନ୍ତି ।’

‘ସତେ ନା କ’ଣ…?’ ବିସ୍ମିତ ହେଲାଭଳି ଏତିକି ପଚାରି ବାଇଆଟି ସେଇ କଟା ଯୌନାଙ୍ଗଟିକୁ ପୁଣି ଥରେ ଚାହେଁ ।

ତା’ପରେ କହେ, ‘ହେଇଥାଉ… ।’ ତା’ମନରେ ପ୍ରତ୍ୟୟ ସୃଷ୍ଟି ହୋଇଥିଲା ଯେ ସିଏ ଜଣେ ମୁସଲମାନ । ତା’ପରେ ପୁଣି ତା’ ମନକୁ କେମିତି ଏକ ବିଚିତ୍ର ଧାରଣା ଢୁକିଲା । ପର ମୁହୂର୍ତ୍ତରେ ସେ ନିଜ ଗଳାକୁ ଦି’ହାତରେ ଚିପିଧରି ଗଁ ଗଁ ଚିତ୍କାର ଛାଡ଼ିଲା ।
ବେକଟାକୁ ଏତେ ଜୋରକରି ଚାପି ଧରିଥିଲା ଯେ ତା’ ଆଖିଡୋଳା ଦି’ଟା ବାହାରି ଆସିବା ପରି ଲାଗୁଥିଲା… ‘ମୁସଲ୍ଲେ… ମୁଁ ତତେ ଜିଅନ୍ତା ଛାଡ଼ିବିନି! ମୁସଲ୍ଲେ, ତୁ ମୋ ବୁଢ଼ା ବାପା ମା’କୁ ହତ୍ୟା କରିଛୁ । ମୋ ନିଜ ଆଖି ଆଗରେ ମୋ ଭଉଣୀକୁ ବଳାତ୍କାର କରିଛୁ… ଆଉ… ଆଉ… ।’ ଦେଖଣାହାରୀ ଲୋକମାନେ ତା’ପାଖକୁ ଦୌଡ଼ିଗଲେ । ତା’ହାତମୁଠାରୁ ଗଳାକୁ ମୁକୁଳାଇଲେ । ନ ହେଲେ କେଇଟା ମୁହୂର୍ତ୍ତ ଭିତରେ ତା’ର ପ୍ରାଣ ଯିବା ସୁନିଶ୍ଚିତ ଥିଲା ।

ସେତିକିବେଳେ ହଠାତ୍ ଏକ ଗୁଜବ ଚାରିଆଡ଼େ ବ୍ୟାପିଗଲା । କାଳେ ସେଇ ବାଟ ଦେଇ ପଞ୍ଝାଏ ମୁସଲମାନ ଶରଣାର୍ଥୀ ସୀମା ପାର ହେବାକୁ ଆସୁଥିଲେ । ଅଳ୍ପ ସମୟ ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ଅସହାୟ ମଣୁଥିବା ହିନ୍ଦୁ ଓ ଶିଖ୍ ଶରଣାର୍ଥୀମାନେ ଶିବିର ଭିତରୁ କେଉଁଠୁ କେଜାଣି ଖଣ୍ଡା, ଛୁରୀ, ଫାର୍ଶା ଓ ଅନ୍ୟାନ୍ୟ ମାରଣାସ୍ତ୍ରମାନ ଯୋଗାଡ଼ କରି ପ୍ରସ୍ତୁତ ହୋଇଗଲେ । ମୁସଲମାନ ଶରଣାର୍ଥୀମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଲୁଟ୍ ଓ ହତ୍ୟା କରିବା ଲାଗି ଗୋଡଟେକି ଅପେକ୍ଷା କରି ରହିଲେ । ସମସ୍ତେ ଏବେ ନିଜକୁ ଗୋଟାପଣେ ବୀର ବୋଲି ଭାବୁଥିଲେ । କିଏ କେତେ ଲୁଟ୍ କରିପାରିବ ସେଥିପାଇଁ ମନେ
ମନେ ଯୋଜନା କରୁଥିଲେ ।

ମୋ ପଛରେ ବସିଥିବା କୌଣସି ଜଣେ ପଣ୍ଡିତଙ୍କ ବିରକ୍ତିର ସ୍ୱ ମୋ କାନରେ ପଡ଼ିଲା, ‘ଆମ ଦେଶ, ଆମ ଲୋକମାନେ କେବେ ସୁଦ୍ଧା ଆଗକୁ ବଢ଼ି ପାରିବେନି । ଏଇଟା କ’ଣ ମ୍ଳେଛ ସଂହାର କରିବାର ପବିତ୍ର ଅବସର ନୁହେଁ…?’

କେହି ଜଣେ ଭିଡ଼ ଭିତରୁ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଲାଭଳି କହିଲା, ‘ଆରେ ପଣ୍ଡିତ, କାହିଁକି ବ୍ୟସ୍ତ ହଉଚ? ଆମେ ସେ ପବିତ୍ର କାମ କରିବାକୁ ପ୍ରସ୍ତୁତ ହୋଇ ଅପେକ୍ଷା କରିଛୁ ।’ କିନ୍ତୁ ଠିକ୍ ସେତିକିବେଳେ ଶରଣାର୍ଥୀ ଶିବିରର ଲାଉଡ୍‌ସ୍ପିକରରୁ ଘୋଷଣା ହେଲା, ‘ଭାଇମାନେ, ଦୟାକରି ଧ୍ୟାନ ଦିଅନ୍ତୁ । ଏଠାରୁ ମୁସଲମାନ ଶରଣାର୍ଥୀମାନଙ୍କର ଗୋଟିଏ ଛୋଟିଆ ଦଳ ସୀମା ପର୍ଯ୍ୟନ୍ତ ଯିବାର ଅଛି । ଆଉ ସୀମା ଆରପଟୁ ବଡ଼ ଦଳେ ହିନ୍ଦୁ ଓ ଶିଖ୍ ଶରଣାର୍ଥୀ ଆସି ସେଠାରେ ପହଞ୍ଚିବେ ।

ଆପଣମାନେ ଧ୍ୟାନଦେଇ ଶୁଣନ୍ତୁ । ଆମେମାନେ ଯଦି ମୁସଲମାନ ଭାଇମାନଙ୍କ ପ୍ରତି କିଛି ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ତା’ହେଲେ ସୀମା ଆରପଟେ ଥିବା ଆମର ହିନ୍ଦୁ କି ଶିଖ୍ ଭାଇଭଉଣୀମାନଙ୍କ ଉପରେ ସେମାନେ ସମାନ ପ୍ରକାର ପ୍ରତିଶୋଧ ନେବାକୁ ଆଦୌ କୁଣ୍ଠା କରିବେନାହିଁ । ତେଣୁ ଭାଇମାନେ, ଆମକୁ ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ପଡ଼ିବ । କାହାରି ଉପରେ ଆକ୍ରମଣ କରି ଆମେ ପ୍ରତିଶୋଧ ନେବା କଥା କଦାପି ଚିନ୍ତା କରିବାନି ।
ସାବଧାନ! ସାବଧାନ! ସାବଧାନ!

ମନ ଦୁଃଖରେ ହିନ୍ଦୁ ଶରଣାର୍ଥୀମାନେ ଏଥର ଛୋଟ ଛୋଟ ଦଳରେ ବିଭାଜିତ ହୋଇ ସୀମା ପାଖକୁ ଲାଗି ଲମ୍ବିଥିବା ମୁଖ୍ୟ ସଡ଼କ ଆଡ଼େ ଚାଲିଲେ । ଡାକବାଜି ଯନ୍ତ୍ରରେ ସେଇ କେଇପଦ କଥା ବାରମ୍ବାର ଘୋଷଣା ହୋଇଚାଲିଥିଲା, ‘ଭାଇମାନେ, ଦୟାକରି ଧ୍ୟାନ ଦିଅନ୍ତୁ…’ ମୁଁ ଡାକବାଜି ଯନ୍ତ୍ରର ଉଦ୍‌ଘୋଷଣା ଆଡ଼ୁ ମୋ ଧ୍ୟାନ ଓହରାଇ ସେଇ ମୁଣ୍ଡ ବିଗିଡ଼ି ଯାଇଥିବା ସେଇ ଯୁବକଟି ଆଡ଼େ ଦେଲି । ତାକୁ ଭଲଭାବେ ନିରୀକ୍ଷଣ କଲି । ସେ ପର୍ଯ୍ୟନ୍ତ ସେ ସ୍ଥିର ହୋଇପାରୁନଥିଲା, ସେ କଟା ଯୌନାଙ୍ଗଟି ତା’ର ନା ଆଉ କାହାର! ତା’ ନିଜ ଯୌନାଙ୍ଗଟି ଅଛି ନା ନାହିଁ! ସେ ଯଦି ସେ ତା’ର ସନ୍ଧାନ ପାଆନ୍ତା, ତା’ହେଲେ ଜାଣିପାରନ୍ତା, ସେ ହିନ୍ଦୁ ନା ମୁସଲମାନ!

ପାଖରେ ଥିବା ପଥର ମୁଣ୍ଡିଆଟିଏ ଉପରେ ମୁଁ ବସିରହି ତା’ର ପ୍ରତିଟି ହାବଭାବକୁ ନିରୀକ୍ଷଣ କରୁଥିଲି । ଯୁବକଟି ମନ ଖୁବ୍‌ ଅଶାନ୍ତ ଥିବାପରି ମନେ ହେଉଥିଲା । ତା’ ମୁଣ୍ଡ କେତେବେଳେ ଚିନ୍ତାଶୂନ୍ୟ ନଥିବ ବୋଲି ମୁଁ ମନେ ମନେ ଭାବୁଥିଲି । ସେଇ ଭାବନାର କୋଳାହଳ ତ ତା’ର ମୁଣ୍ଡ ବିଗିଡ଼ିଯିବାର କାରଣ ।

ଏ ଯୁବକଟି ମଧ୍ୟ ତା’ର ସେଇଭଳି ଭୟଙ୍କର ସ୍ମୃତି ଓ ଅନୁଭୂତିକୁ ବରଦାସ୍ତ କରିବା ସ୍ଥିତିରେ ନଥିଲା । ତେଣୁ ତା’ର ଏଭଳି ଅବସ୍ଥା ହୋଇଥିଲା । ଶିବିରର ଆଖପାଖରୁ ସେ ଯେତେସବୁ କଟା ଅଙ୍ଗପ୍ରତ୍ୟଙ୍ଗ ପାଉଥିଲା ସେସବୁକୁ ଗୋଟେଇ ତାକୁ ପରସ୍ପର ସହ ଯୋଡ଼ିବାକୁ ଚେଷ୍ଟା କରୁଥିଲା । ଢେର୍ ସମୟ ଧରି ସେ ଏଇ କାର୍ଯ୍ୟ କରି ଚାଲିଥିଲା ଓ ମୁଁ ତାକୁ ନୀରବରେ ବସି ନିରୀକ୍ଷଣ କରୁଥିଲି । ଖୁବ୍ ମନଧ୍ୟାନ ଦେଇ ସେ କଟା ହାତଗୋଡ଼, ମୁଣ୍ଡ ଓ ଗଣ୍ଡିକୁ ଯୋଡ଼ି ଚାଲିଥିଲା । କ’ଣ ଭାବି କେଜାଣି ମଝିରେ ମଝିରେ ମୁଣ୍ଡ ହଲାଇ ସେସବୁକୁ ହଠାତ୍‌ ବିପର୍ଯ୍ୟସ୍ତ କରିଦେଉଥିଲା । ତା’ପରେ ପୁଣି ମୂଳରୁ ସେସବୁକୁ ଯୋଡ଼ିବା ଆରମ୍ଭ କରୁଥିଲା । ପ୍ରତିଥର ଖଞ୍ଜିସାରିବା ବେଳକୁ କାହିଁକି କେଜାଣି ସେଥିରେ ତା’ର ମନ ମାନୁ ନ ଥିଲା । ବୋଧହୁଏ ସେ ମନେ ମନେ ଖୋଜୁଥିବା ଚେହେରାଟିକୁ ସେଥିରେ ସୃଷ୍ଟି ହେଉନଥିଲା । ତେଣୁ ସେ ତାକୁ ଆଉ ଥରେ ଅସଜଡ଼ା କରିଦେଉଥିଲା । ପ୍ରତିଥର ତା’ ମନ କେମିତି ଦୁଃଖରେ ଭରିଉଠୁଥିଲା । ସେଇ ଚିନ୍ତାଚକ୍ରର ଯନ୍ତ୍ରଣା ଭିତରୁ ଯେତେ
ଚେଷ୍ଟା କଲେ ସୁଦ୍ଧା ସେ ମୁକୁଳି ପାରୁନଥିଲା ।

ମୁଁ ତାକୁ ସେମିତି ଚାହିଁ ରହିଥିଲି । ତା’ର ହାବଭାବ ଦେଖି ଭାରି ଦୁଃଖ ଲାଗୁଥିଲା । କିନ୍ତୁ ସାହାଯ୍ୟ କରିବାର ଅବସ୍ଥା ମୋର ନଥିଲା । ହଠାତ୍ କ’ଣ ହେଲା କେଜାଣି ଚମକି ପଡ଼ିବାପରି ସେ ପଛକୁ କେଇ ପାହୁଣ୍ଡ ଘୁଞ୍ଚିଗଲା । ଏଥର ସବୁ କଟାଅଙ୍ଗକୁ ଯୋଡ଼ି ସେ ଯେଉଁ ମଣିଷଟିର ଆକର ବନେଇଥିଲା ତାକୁ ଦେଖି ତା’ଛାତି ଥରିଉଠିଲା ପରି ଲାଗୁଥିଲା… ତା’ ମୁହଁ କଳାକାଠ ପଡ଼ିଯାଇଥିଲା । ଲକ୍ଷ୍ୟ କଲି, ସେ ଯୋଡ଼ିଥିବା ଶରୀରଟି କେମିତି ଏକ ଭୟଙ୍କର ଦାନବ ପରି ଦିଶୁଥିଲା! ଭିନ୍ନ ଭିନ୍ନ ଲୋକଙ୍କ ଅଙ୍ଗପ୍ରତ୍ୟଙ୍ଗର ସମାହାର- ରକ୍ତାକ୍ତ ଓ କଦାକାର । ସତେକି ପର ମୁହୂର୍ତ୍ତରେ ଉଠିଆସି କାହାକୁ ଝୁଣି ପକାଇବ!

ଛାନିଆ ହୋଇ ବିଚରାଟା ଏକମୁହାଁ ମୁଖ୍ୟ ସଡ଼କ ଆଡ଼କୁ ଦୌଡ଼ିଲା । ସେତେବେଳକୁ ମୁସଲମାନ ଶରଣାର୍ଥୀମାନେ ସୀମା ଆରପଟକୁ ଯାଇ ସାରିଥିଲେ । ସେମାନଙ୍କ ଦ୍ରୁତ ପଦଚାଳନା ଯୋଗୁ ଉଡ଼ୁଥିବା ଧୂଳିର ପଟଳ ଏବେ ସୁଦ୍ଧା ତଳେ ବସି ନ ଥିଲ । ମୁଁ ମନେ ମନେ ଆଶ୍ୱସ୍ତ ହେଉଥିଲି… ଯାହାହେଉ, ବାଇଆଟା ଏଭଳି କଦାକାର ଶରୀରକୁ ଦେଖି ଭୟ ପାଇବା ପରିସ୍ଥିତିରୁ ଦୂରକୁ ଚାଲିଗଲା । ତା’ମନରୁ ସେ ଭୟ ଧୀରେ ଅପସରିଯିବ ବୋଲି ମୁଁ ଭାବୁଥିଲି । କିନ୍ତୁ ସେଇ ଯୁବକଟା ଏକମୁହାଁ ଦୌଡ଼ୁଥିଲା ଯେ ଦୌଡ଼ୁଥିଲା । ରାସ୍ତା ପାରହୋଇ ଆର ପଟେ ଦିଶୁଥିବା

ଗଛଧାଡ଼ିକ ପଛରେ ସେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ମୁଁ ତା’ପାଖକୁ ଲାଗି ପଡ଼ିଥିବା ସରୁ ସଡ଼କଟି ଆଡ଼େ ଚାହିଁଲି । ସୀମାରେଖାର ଉଭୟ ପାଶ୍ୱରେ ବନ୍ଧୁକଧାରୀ ଫଉଜ ମୁତୟନ ହୋଇଥିଲେ । ସମସ୍ତଙ୍କ ହାତରେ ଉଦ୍ୟତ ବନ୍ଧୁକ । ଏବେ ସେମାନେ ମୁସଲମାନ ଶରଣାର୍ଥୀମାନଙ୍କ ନିରାପଦ ପ୍ରସ୍ଥାନକୁ ସୁନିଶ୍ଚିତ କରିବା ଦାୟିତ୍ୱ ସମ୍ପାଦନ କରୁଥିଲେ । ପ୍ରତି ସୈନିକଙ୍କ ପଛରେ ବେଳକୁ ବେଳ ଅଧିକରୁ ଅଧିକ ହିନ୍ଦୁ ଓ ଶିଖ୍ ଶରଣାର୍ଥୀମାନେ ରୁଣ୍ଡ ହୋଇ ଚାଲିଥିଲେ । ସୌଭାଗ୍ୟକୁ ସେଠାରୁ ଅଳ୍ପ ଦୂରରେ ରାସ୍ତାକଡ଼ରେ ଗୋଟିଏ ନିର୍ଜନ ସ୍ଥାନ ଦେଖି ମୁଁ ଠିଆହେଲି ଓ ଖଣ୍ଡିଏ ସିଗାରେଟରେ ନିଆଁ ଧରେଇଲି । କ’ଣ ଭାବି କେଜାଣି ପାଖରେ ଠିଆ ହୋଇଥିବା ବନ୍ଧୁକଧାରୀ ସୈନିକଟି ମୋ ଆଡ଼କୁ ସନ୍ଦେହ ଚକ୍ଷୁରେ ଗାରଡ଼େଇ ଚାହିଁଲା ଓ ପଛକୁ ହଟିଯିବାକୁ ନିର୍ଦ୍ଦେଶ ଦେଲା । ମୁଁ ତୁରନ୍ତ କେଇ ପାହୁଣ୍ଡ ପଛକୁ ହଟିଯାଇ ଗୋଟିଏ ଗଛକୁ ଆଉଜି ଠିଆହେଲି । ମୋ ସାମ୍‌ନାରେ ଚାଲିଥିବା ଦଳଦଳ ଶରଣାର୍ଥୀଙ୍କ କ୍ଷିପ୍ର ପଦଚାରଣକୁ ଦେଖି ମୋର ମନେ ପଡ଼ିଗଲା ମା’କଥା । ମୋ ମାଆ କଥା ।

ଆମ ଘର ଉପରେ ମଧ୍ୟ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ । ଅଚିହ୍ନା ଆତତାୟୀଟିଏ ଖଣ୍ଡା ଉଞ୍ଚାଇ ମୋ ଆଡ଼କୁ ଚମକି ଆସିବା ଆଗରୁ ତା’ ଓ ମୋ ମଝିକୁ ଚାଲିଆସିଥିଲା ମୋ ମା’… ଆଉ ପର ମୁହୂର୍ତ୍ତରେ ତା’ର ସେଇ ଯନ୍ତ୍ରଣାସିକ୍ତ ମୃତ୍ୟୁକୁ ମୁଁ ନିଜ ଆଖିରେ ଦେଖିଥିଲି । ଦଙ୍ଗାକାରୀମାନେ ଏକଥା ଜାଣିବାକୁ ସୁଦ୍ଧା ଚାହିଁ ନ ଥିଲେ ମୋ ମାଆର ମୃତ୍ୟୁ ଘଟିଥିଲା ନା ମୋର । ଆମ ନିଜ ଘର ପଛପଟ ବାଡ଼ିରେ ହିଁ ମୁଁ ମା’ର ଦାହ ସଂସ୍କାର ପାଇଁ ବ୍ୟବସ୍ଥା କରିଥିଲି । ଘରେ ରୋଷେଇ ପାଇଁ ଥିବା କାଠନରେ ମାଆର ସଂସ୍କାର ଲାଗି ଯୋଗାଡ଼ରେ ଲାଗିପଡ଼ିଥିଲି । ଠିକ୍‌ ସେତିକିବେଳେ ଦି’ଜଣ ଶିଖ୍ ସୈନିକ କୁଆଡ଼ୁ ଆସି ପହଞ୍ଚିଯାଇ ନିର୍ଦ୍ଦେଶ ଦେଲାଭଳି କହିଥିଲେ, ‘ଜଲ୍‌ଦି ଆସ ।

ଜଲ୍‌ଦି… ।’ ସେମାନଙ୍କ ମୁହଁକୁ ଚାହିଁ ମୁଁ କହିଥିଲି, ‘କିନ୍ତୁ ମୋ ମା’… ।’ ସେମାନଙ୍କ ଆବେଗହୀନ ଉତ୍ତର ଥିଲା – ଶବଟାକୁ ଛାଡ଼ି ଏବେ ନିଜ ଜୀବନ ବଞ୍ଚା । ଏବେ ଶବଦାହ କରିବାର ବେଳ ନୁହେଁ…ଜଲ୍‌ଦି ଚାଲ୍ ।’

ସଡ଼କ ଉପରେ ପଇଁତରା ମରୁଥିବା ଗାର୍ଡଟା ପୁଣି ଥରେ ମୋ ମୁହଁକୁ ସନ୍ଦେହ ଚକ୍ଷୁରେ ଚାହିଁଲା । ମୁଁ ବି ପୂର୍ବଥର ପରି ପାହୁଣ୍ଡେ ପଛକୁ ଘୁଞ୍ଚିଗଲି । ସେତିକିବେଳକୁ ଶରଣାର୍ଥୀ ଦଳ ଆସି ସଡ଼କ ଉପରେ ପହଞ୍ଚି ସାରିଥିଲେ ।

ଶରଣାର୍ଥୀ ଦଳ ଆଗରେ ଚାଲିଥିଲେ ପଞ୍ଝାଏ ହୃଷ୍ଟପୁଷ୍ଟ ଧଳା ଓ କଷରା ରଙ୍ଗର ଗାଈ । ସେମାନଙ୍କୁ ମାଲୁମ ଥିଲା ଯେ ହିନ୍ଦୁମାନେ କଦାପି ଗାଈମାନଙ୍କ ଉପରେ ଆକ୍ରମଣ କରିବେନି । ଗାଈମାନଙ୍କ ପଛକୁ ଥିଲେ ପଲେ ପିଲା । ଏପରି ବିପର୍ଯ୍ୟୟ ପରିସ୍ଥିତିରେ ସୁଦ୍ଧା ସେମାନେ ବେଶ୍ ପ୍ରଫୁଲ୍ଲ ଦିଶୁଥିଲେ, ଯଦିଚ ସେମାନଙ୍କ ଦେହର ଚିରାଫଟା ପୋଷାକ ଓ ବିପର୍ଯ୍ୟସ୍ତ ଚେହେରା ସେସବୁକୁ ଅସ୍ୱୀକାର କରୁଥିଲା । ଶିଶୁମାନେ ସ୍ୱୟଂ ଭଗବାନଙ୍କ ପ୍ରତିରୂପ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ – ସେକଥା ସେମାନଙ୍କୁ ଭଲଭାବେ ଜଣାଥିଲା । ପିଲା ପଞ୍ଝାକ ଭୋକ ଉପାସ ସତ୍ତ୍ୱେ, ସେମାନଙ୍କ ଫୁଲାପାଦକୁ ଘୋଷାରି ଆଗକୁ ଚାଲିଥିଲେ । ପିଲାଙ୍କ ପଛକୁ କ୍ଳାନ୍ତଶ୍ରାନ୍ତ ହୋଇ ଚାଲିଥିଲେ କେଇଜଣ ବୁଢ଼ାବୁଢ଼ୀ । ସେମାନଙ୍କ ଭିତରୁ କେଇଜଣ ବୃଦ୍ଧଙ୍କ ଲମ୍ବା ଧଳା ଦାଢ଼ି କେରାକ ଝୋଟପରି ପବନରେ ଉଡ଼ୁଥିଲା । ପ୍ରତ୍ୟେକ ବୃଦ୍ଧବୃଦ୍ଧାଙ୍କୁ ସାହସ ଦେବାକୁ ସେମାନଙ୍କ ପାଖକୁ ଲାଗି ଚାଲିଥିଲେ ଜଣେ ଜଣେ ଯୁବକ ଅବା ଯୁବତୀ । କେହି କେହି ବୃଦ୍ଧାଙ୍କ ଆଖିରୁ ଦୁଃଖର ଲୁହ ଗଡ଼ି ଚାଲିଥିଲା । ସେମାନଙ୍କୁ ବୋଧଶୋଧ ଦେଉଥିଲେ ସେମାନଙ୍କ ଝିଅବୋହୂମାନେ । ଏଇ ଝିଅବୋହୂମାନେ କିନ୍ତୁ ମଝିରେ ଚାଲିଥିଲେ… କାଳେ କାହାର ଅଶୁଭ ନଜର ସେମାନଙ୍କ ଉପରେ ପଡ଼ିବ! ଆଉ ସବା ପଛକୁ ଥିଲେ କିଛି ମଧ୍ୟବୟସ୍କ ପୁରୁଷ ଓ ମହିଳା । ସେମାନଙ୍କ କାନ୍ଧରେ ଅବା କାଖରେ ଛୋଟ ଛୋଟ ଶିଶୁ । ସେମାନଙ୍କ ଚାପାକଣ୍ଠରୁ ରହି ରହି ଶୁଭୁଥିଲା, ‘ଆଲ୍ଲା- ହୁ – ଆକବର’ । ଥରେ ସୀମା ପାର ହୋଇଗଲେ ସେ ସ୍ୱର ନିର୍ଭୟରେ ଗଗନପବନ ପ୍ରକମ୍ପିତ କରିଦେବ । ସେଇ ମୁହୂର୍ତ୍ତକୁ
ଛୁଇଁବାକୁ ସତେକି ସେମାନଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିଲା!

ଆରେ… ଇଏ କିଏ? ଜଣେ କ୍ଳାନ୍ତଶ୍ରାନ୍ତ ମହିଳା ପାଖେପାଖେ ଚାଲିଥିଲା । ତା’ ହାତକୁ ଧରି ଚାଲିଥିଲା କିଶୋରଟିଏ । ସିଏ କିଏ ? ଆରେ ଇଏ ତ ସେଇ ବାଇଆ…! ‘ଆରେ ଭାଇ, ଦେଖ… ।’ ମୁଁ ସେ ଗାର୍ଡକୁ ଅନେକ ବୁଝେଇ କହିଲି, ‘ଏ ପିଲାଟା ପ୍ରକୃତରେ ଆମ ସାଙ୍ଗରେ ସୀମା ଆରପଟୁ ଆସିଥିଲା… ।’ ଗାର୍ଡ କିନ୍ତୁ ମତେ ଧମକେଇ ଚୁପ୍‌ କରେଇଦେଲା । ଆମକୁ ପଛକୁ ହଟେଇଦେଲା । ବାଇଆଟା ଉପରୁ ମୁଁ ନଜର ହଟେଇ ପାରୁନଥିଲି । ସିଏ କ’ଣ ସତରେ ମୁସଲମାନ…?

ନା, ନା, ସେ ନିଶ୍ଚେ ହିନ୍ଦୁ ହୋଇଥିବ… ତାକୁ ହିନ୍ଦୁ ହେବାକୁ ପଡ଼ିବ… ତା’ହେଲେ … ‘ଆରେ ଭାଇ ଦେଖ…’ ମୁଁ ଗାର୍ଡଟି ଆଡ଼େ ପୁଣି ଡାକ ଛାଡ଼ି କହିଲି, ‘ସିଏ… ସିଏ…’

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.