Latest Odisha News

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ

ମନୋଜ ଦାସ

ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା, ବୃନ୍ଦାବନ ଭଳି ଶବ୍ଦମାନ ଶୁଣିଥିଲି ।

ଉଦାସୀନ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବଡ଼ବାପା ଏବଂ ରାଧାଙ୍କ ମାର୍ବଲ୍ ଆକୃତି ସହ ଘନ ସାମଞ୍ଜସ୍ୟ-ସମ୍ପନ୍ନା ଅନନ୍ୟସ୍ନିଗ୍ଧା ବଡ଼ମା’ଙ୍କ ଆଗରେ ବସି ଓଢ଼ଣା ଆଢୁଆଳରୁ ମା’ ତୀର୍ଥ ତଥା ପୌରାଣିକ ଚରିତ୍ର ଚର୍ଚ୍ଚା କଲାବେଳେ ମୋ’ ଆଖି ଆଗରେ ବଳେ ବଳେ ସୃଜିହୋଇଯାଉଥିଲେ ଶ୍ରୀକୃଷ୍ଣଙ୍କୁ ସାକ୍ଷୀଗୋପାଳ ବନାଇ ବାଟ ଚଲାଇ ଚଲାଇ ଆଣିଥିବା ଗାଉଁଲି ପ୍ରେମିକ ଟୋକାର, ଦାସିଆ ବାଉରିର ବା ରଘୁ ଅରକ୍ଷିତର ମୁହଁଟିମାନ ।

ପୁରୀ ଯାତ୍ରା ଥିଲା ଗାଁ ଗହଳର ବହୁ ଲୋକଙ୍କର ଆସ୍ପୃହାର ଦିଗବଳୟ । ଅତଏବ, ଯେତେବେଳେ ମୁଁ ମା’ଙ୍କ ସହିତ ପୁରୀ ଯିବାକୁ ସଜ ହେଲି, ଜଣେ ଭଦ୍ରଲୋକ ଆଖି ଛଳ ଛଳ କରି ମୋତେ ପ୍ରାୟ ଜୁହାର କରିପକାଇ କହିଲେ, “ଭାଗ୍ୟଂ ଫଳତି ସର୍ବତ୍ର । ମୋତେ ଷାଠିଏ ପୂରିଲା । ପୁରୀ ଅଦ୍ୟାବଧି ମୋ’ ପାଇଁ ସ୍ୱପ୍ନ ତୋତେ ମାତ୍ର ଛଅ !”

ଲଳିତା – ବିଦ୍ୟାପତି ଉପାଖ୍ୟାନ ଏକାଧିକ ଥର ମା’ଙ୍କ ଠାରୁ ଶୁଣିଥିଲି । ମାମୁଁ ଘରେ ଦେଖିଥିଲି କୌଣସି ଯାତ୍ରାଦଳ – ଅଭିନୀତ ସେ କାହାଣୀ । (ଲଳିତା – ବିଦ୍ୟାପତି ଭେଟ ପରେ ପରେ ସଖୀମାନେ ଲଳିତାକୁ ଘେରିଯାଇ ଘୁଙ୍ଗୁରମଣ୍ଡିତ ଗୋଡ଼ କଚାଡ଼ି ନୃତ୍ୟଛନ୍ଦେ ଉପସ୍ଥାପନ କରୁଥିବା ପ୍ରଶ୍ନ ମନେ ଅଛି : ଧନ୍ୟରେ ଲଳିତା, ଧନ୍ୟ ତୋ’ ପିତାମାତା, କଥା କହୁ କାହା ସଙ୍ଗେ!)

ସେହି ଶବର – ରାଜକନ୍ୟା ଲଳିତା ଏବଂ ବ୍ରାହ୍ମଣ ବିଦ୍ୟାପତିଙ୍କ ବଂଶଧର ଦଇତାପତି ଶ୍ରୀଜଗନ୍ନାଥଙ୍କ ପାଇଁ ଆମର ବଂଶପରମ୍ପରାଗତ ଯୋଗସୂତ୍ର, ଏହା ଥିଲା ମୋ’ ପାଇଁ ଏକ ଚମକପ୍ରଦ ତଥ୍ୟ। ବର୍ଷକରେ ଥରେ ବା ଦୁଇ ଥର ଦଇତାପତି ମହୋଦୟଙ୍କର ଜଣେ ବ୍ରାହ୍ମଣ ସହକାରୀ ମହାପ୍ରସାଦ ଧରି ଆମ ଅଞ୍ଚଳକୁ ଆସୁଥା’ନ୍ତି ଏବଂ ଆମ ଘରେ ଆତିଥ୍ୟ ନେଉଥାନ୍ତି । କିନ୍ତୁ ଖୋଦ୍ ଦଇତାପତିଙ୍କୁ ଦେଖିବାର ସୁଯୋଗ କେବେ ହୋଇନଥିଲା ।

ପୂର୍ବରୁ ଖବର ଦେଇ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ସେତେବେଳେ ବସାଘର ବ୍ୟବସ୍ଥା ପଣ୍ଡାମାନେ ହିଁ କରୁଥା’ନ୍ତି । ଆମେ ଯାଇ ରହିଲୁ ଶ୍ରୀମନ୍ଦିରର ଅଦୂରରେ, ଦଇତାପତିଙ୍କ ଘର ସାମ୍ନାରେ, ତାଙ୍କର ଏକ ଛୋଟ କୋଠାର ଦ୍ୱିତଳରେ ।

ଗୋଟିଏ ଆରାମ ଚୌକିରେ ବସିଥିଲେ ବୃହଦାକାର, ଗୌରାଙ୍ଗ, ବୃଦ୍ଧ ଦଇତାପତି । କାନରେ ସୁବର୍ଣ୍ଣ କୁଣ୍ଡଳ । ତାଙ୍କ ଦେହରେ ଉପବୀତ ଯେମିତି ଚାରିଦିଗର ଅନ୍ୟ ସମସ୍ତଙ୍କ ଉପବୀତ ତୁଳନାରେ ଅଧିକ ବୈଦିକ !

ମା’ ତାଙ୍କୁ ପ୍ରଣାମ କଲେ ଓ ମୋତେ କରାଇଲେ । ବୃଦ୍ଧଙ୍କ ମୁହଁରେ ଖାଲି ଟିକିଏ ହସ ଖେଳିଗଲା । ସେ ତାଙ୍କ ଗୁମାସ୍ତାଙ୍କ ଆଡେ଼ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଅନାଇଲେ । ଗୁମାସ୍ତା କହିଲେ, “ହଁ ଆଜ୍ଞା, ମା’ଙ୍କ ପାଇଁ ସବୁ ବ୍ୟବସ୍ଥା କରିଦେଇଛି । ଯାହା ଦରକାର ହେବ ମୁଁ ଯୋଗାଇ ଦେଉଥିବି ।” ଦଇତାପତି ପୁଣି ଥରେ ମା’ଙ୍କୁ ଅନାଇ ଖାଲି ହସିଦେଲେ । ଅର୍ଥାତ୍, “ହେଲା ତ ? ତୁମର କୌଣସି ଚିନ୍ତା ନାହିଁ !”

ସୁଯୋଗ ପାଇଲେ ହିଁ ମୁଁ ଯାଇ ଦଇତାପତିଙ୍କୁ ଅନାଇ ରହେ । ମୋ’ ଉପରେ ଆଖି ପଡ଼ିଲେ ସେ ହସିଦିଅନ୍ତି ।

କାହିଁ କେଉଁ ଘନ ଅରଣ୍ୟରେ ପଥଭ୍ରଷ୍ଟ ବିଦ୍ୟାପତିଙ୍କ ସହ ଲଳିତାଙ୍କ ସାକ୍ଷାତ୍ ଗୁପ୍ତ ଗୁମ୍ଫା ଭିତରେ ବିଶ୍ୱାବସୁଙ୍କ ଦ୍ୱାରା ରହସ୍ୟମୟ କୌଣସି ଦିବ୍ୟ ସତ୍ତାର ପ୍ରତ୍ୟହ ପ୍ରତ୍ୟୁଷ ପୂଜା – ଅନ୍ଧପୁଟୁଳିବନ୍ଧା ଅବସ୍ଥାରେ ବିଦ୍ୟାପତିଙ୍କର ତହିଁ ଆଗମନ ଏବଂ ଆଖି ଖୋଲା ହେବା ମାତ୍ରେ ତାଙ୍କର ଦିବ୍ୟଦର୍ଶନ – ପରଦିନ ସେ ସାମଗ୍ରୀ ଚୋରାଇ ନେଇ ତାଙ୍କର ପୁରୀ ପ୍ରତ୍ୟାବର୍ତ୍ତନ – ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଗଭୀର ସନ୍ତୋଷ – ତେଣେ ନୀଳମାଧବ ଅପହୃତ ବୋଲି ଜଣାପଡ଼ନ୍ତେ ବିଶ୍ୱାବସୁଙ୍କର ଦାରୁଣ ହତାଶା – ଅପମାନ, ଅଭିମାନରେ ଲଳିତାଙ୍କର ମୃତପ୍ରାୟ ଅବସ୍ଥା – ଅବଶେଷରେ ଇନ୍ଦ୍ରଦ୍ୟୁମ୍ନ ଓ ବିଶ୍ୱାବସୁଙ୍କ ମିଳନ – ବିଦ୍ୟାପତି ଓ ଲଳିତାଙ୍କର ପୁରୀରେ ଅବସ୍ଥାନ ଏବଂ ସେମାନଙ୍କ ପୁତ୍ର – ପୌତ୍ରାଦିଙ୍କର ଶ୍ରୀଜଗନ୍ନାଥଙ୍କ ପୌରୋହିତ୍ୟ ଅଧିକାର ଲାଭ – ନିମୀଳିତ – ନୟନ ଆଜିର ଦଇତାପତି ଏବଂ ଏ କିଂବଦନ୍ତିପୁଞ୍ଜ ଭିତରେ ମୋ’ କଳ୍ପନା ନିର୍ମାଣ କରୁଥାଏ ଇନ୍ଦ୍ରଧନୁର ଏକ ସେତୁ ।

ବଡ଼ ଇଚ୍ଛା ଥାଏ, ଦଇତାପତି କିଛି କହିବେ; ମୁଁ ଶୁଣିବି । କିନ୍ତୁ ତାଙ୍କ କଣ୍ଠସ୍ୱର ଶ୍ରବଣର ସୁଯୋଗ ହେଉନଥାଏ ।

ଦିନେ ଦ୍ୱିପ୍ରହର ବେଳେ ମୋତେ ନେଇ ମା’ ଶ୍ରୀମନ୍ଦିର ଯାଇଥା’ନ୍ତି । କୌଣସି ବିଶେଷ ପୂଜାପର୍ବ ଉପଲକ୍ଷେ ଭୀଷଣ ଭିଡ଼ । ସେତେବେଳେ ମନ୍ଦିର ଭିତରେ ଅଜ୍ଞାତ କାରଣରୁ ଆରମ୍ଭ ହୋଇଗଲା ପ୍ରବଳ ହଟ୍ଟଗୋଳ, ଆର୍ତ୍ତନାଦ, ଦଳାଚକଟା – ହେତୁହୀନ ଅଥଚ ପ୍ରାଣାନ୍ତକ ଆତଙ୍କର ବାତାବରଣ । ସମସ୍ତେ ନିମିଷକେ ନିଷ୍କ୍ରାନ୍ତ ହେବାକୁ ଅଧୀର ।

ମା’ ଓ ମୁଁ ନିର୍ମମ ଠେଲା ଖାଇ ଖାଇ କାନ୍ଥ ପାଖରେ ପହଂଚିଲୁ । ମୁଁ ଅଣନିଃଶ୍ୱାସୀ । ଚେତା ହରାଇବା ଅବସ୍ଥା । ସେ ଠେଲାଠେଲି ଭିତରେ ମା’ ମୋତେ ତୋଳି ଧରିବାକୁ ଅକ୍ଷମ । ଆମେ କାନ୍ଥ ଉପରେ ଛେଚି ହୋଇଯିବୁ, ଏମିତି ଅବସ୍ଥାରେ ଶୁଭିଲା ଏକ ପ୍ରଚଣ୍ଡ ବଜ୍ରଗମ୍ଭୀର ଧ୍ୱନି : “ଶାନ୍ତି ! ଯିଏ ଯେଉଁଠି, ସେଇଠି ରୁହ ।” ଉପରକୁ ଅନାଇ ଦେଖିଲି, ଦୁଇ ବିଶାଳ ବାହୁ ପ୍ରସାରିତ
ହୋଇ ଆସି କାନ୍ଥରେ ଦୁଇ ପାପୁଲିଥାପି, ନିଜ ପିଠିଯୋଗେ ଉଦବେଳ ଜନତାକୁ ଠେଲି ରଖି, ଆମକୁ ନିଃଶ୍ୱାସ ନେବା ପାଇଁ ଠାଇଁ କରିଦେଇଛି ।

ସେ ବାହୁ ଦଇତାପତିଙ୍କର । ସେ ଗୁରୁଗମ୍ଭୀର ଆଦେଶ ତାଙ୍କରି । ସେ ଧ୍ୱନିର ଯାଦୁ କାର୍ଯ୍ୟକାରୀ ହେଲା ତତକ୍ଷଣାତ । ହଟ୍ଟଗୋଳ, ଚିତ୍କାର ବନ୍ଦ ହୋଇଗଲା । ସମସ୍ତେ ସ୍ଥିର ହେଲେ ଓ ଶୃଙ୍ଖଳିତ ଭାବେ ପଥ ଖୋଜି ବାହାରିଗଲେ ।

ଦଇତାପତି ଆମକୁ ବାହାରକୁ ଆଣି ଛାଡ଼ିଦେଇଗଲା ବେଳେ ମା’ଙ୍କୁ କହିଲେ, “ଝିଅ, ଯେତେବେଳେ ଆସିବୁ ମୋର ଜଣେ ଲୋକକୁ ତୋ’ ସାଙ୍ଗରେ ନେଇ ଆସିବୁ ।” ତା’ପରେ ସେ ହସି ଦେଇ ଚାଲିଗଲେ ।
…………………..
ସୌଜନ୍ୟ: ସାମ୍ନା (ଶ୍ରୀଜଗନ୍ନାଥ ବିଶେଷାଙ୍କ 2014)
ଉତ୍ସ: ସମୁଦ୍ରକୂଳର ଏକ ଗାଁ (ଆତ୍ମକଥା)

Comments are closed.