Latest Odisha News

ଲାଞ୍ଚ ନେଇଥିବା ଏମକେସିଜିର ୨ ନର୍ସ ନିଲମ୍ବିତ

ବ୍ରହ୍ମପୁର:ଲାଞ୍ଚ ନେଇ ଧରାପଡ଼ିଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଜଣ ନର୍ସଙ୍କୁ ନିଲମ୍ବନ କରାଯାଇଛି ।

ପ୍ରାଥମିକ ତଦନ୍ତରୁ ସେମାନେ ଲାଞ୍ଚ ନେଇଥିବା ସ୍ପଷ୍ଟ ହେବା ପରେ  ଏମକେସିଜିର ଅଧୀକ୍ଷକ ଡା.ସନ୍ତୋଷ ମିଶ୍ର ଉଭୟଙ୍କୁ ନିଲମ୍ବନ କରିଛନ୍ତି। ଦୁଇ ନର୍ସ ହେଲେ ଏମକେସିଜି ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଅପରେସନ ଥିଏଟର୍‌ରେ କାର୍ଯ୍ୟରତ ଜ୍ୟୋତ୍ସ୍ନାମୟୀ ବିଶ୍ବାଳ ଓ ଭାରତୀ ଦେହେରୀ। ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

ନିଲମ୍ବିତ ହୋଇଥିବା ଦୁଇ ଜଣ ନର୍ସ ଷ୍ଟେସନ ଛାଡିପାରିବେ ନାହିଁ ଏବଂ ପ୍ରତ୍ୟେକ ଦିନ ନର୍ସିଂ ଅଧୀକ୍ଷକଙ୍କ ନିକଟରେ ଆସି ଉପସ୍ଥାନ ଦେବେ ବୋଲି ନିର୍ଦେଶରେ ସ୍ପଷ୍ଟ କରାଯାଇଛି।
ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଗର୍ଭବତୀ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ଗତ ୨୪ ତାରିଖରେ ତାଙ୍କର ଅପରେସନ ପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଅସ୍ତ୍ରୋପଚାର ଚାଲୁଥିବା ବେଳେ ସେଠାରେ କାର୍ଯ୍ୟରତ ଉଭୟ ନର୍ସ ସଂପୃକ୍ତ ମହିଳାଙ୍କ ଭାଇଙ୍କୁ ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗ ପରେ ଉଭୟ ନର୍ସ ୫ଶହ ଟଙ୍କା ଫେରସ୍ତ କରିବା ସହ ଲିଖିତ ଭାବେ ନର୍ସିଂ ଅଧୀକ୍ଷକ ପୂର୍ଣ୍ଣମୀ ନାୟକଙ୍କ ପାଖରେ କ୍ଷମା ମାଗିଥିଲେ  । ଭବିଷ୍ୟତରେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ଉଭୟ ନର୍ସ ଲାଞ୍ଚ ମାଗିବା ନେଇ ଭିଡ଼ିଓ ଭାଇରାଲ୍‌ ହୋଇଥିଲା । ମେଡ଼ିକାଲ ମ୍ୟାନେଜର ମାନସ ପଟ୍ଟନାୟକ ୱାର୍ଡକୁ ଯାଇ ସଂପୃକ୍ତ ଗର୍ଭବତୀ ଏବଂ ତାଙ୍କ ଭାଇଙ୍କୁ ପଚରାଉଚରା କରିଥିଲେ । ପ୍ରାଥମିକ ତଦନ୍ତରୁ ଦୁଇ ନର୍ସ  ଲାଞ୍ଚ ନେଇ ପରବର୍ତ୍ତୀ ସମୟରେ ଟଙ୍କା ଫେରାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ହୋଇଥିଲା ।

ସେହିକ୍ରମରେ ସୋମବାର ଏମକେସିଜି ଅଧୀକ୍ଷକ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୧୮୩୬ ଏବଂ ୧୧୮୩୮ ପ୍ରକାରେ ନର୍ସ ଜ୍ୟୋତ୍ସ୍ନାମୟୀ ଓ ଭାରତୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଏହି ଘଟଣାର ତଦନ୍ତ ଏମକେସିଜିର ରେଜିଷ୍ଟ୍ରାରଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ସେହି ଅନୁସାରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.