Latest Odisha News

BREAKING NEWS

ପାକିସ୍ତାନ ବିପକ୍ଷ ମ୍ଯାଚରେ ହାରିବା ପରେ ଅର୍ଶଦୀପ ସିଂ ବାପା-ମାଙ୍କୁ ଫୋନ୍ କରି ‘ହସିଲେ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଅର୍ଶଦୀପ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚରେ ଆସିଫ ଅଲିଙ୍କ କ୍ୟାଚ୍ ଡ୍ରପ କରିବା ପରେ ପ୍ରଥମ ଥର ପାଇଁ ଅର୍ଶଦୀପ ପ୍ରତିକ୍ରିୟା ଦେଇଛନ୍ତି। ସୁପର ୪ରେ ପାକିସ୍ତାନଠୁ ଭାରତ ୫ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ​​ଏବଂ ଭାରତର ପରାଜୟ ପାଇଁ ଅର୍ଶଦୀପଙ୍କୁ ଦାୟୀ କରାଯାଇଥିଲା।

କେବଳ ଏତିକି ନୁହେଁ ତାଙ୍କୁ ଖାଲିସ୍ତାନୀ ବୋଲି କହି ତାଙ୍କୁ ଟ୍ରୋଲ କରାଯାଇଥିଲା। ମ୍ୟାଚର ପରଦିନ ସୋଶିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ଖଲିସ୍ତାନୀ ବୋଲି ତାଙ୍କ ଉଇକିପିଡ଼ିଆ ପେଜରେ ମଧ୍ୟ ଲେଖାଯାଇଥିଲା । ଯେଉଁଥିରେ ପାକିସ୍ତାନର ଷଡଯନ୍ତ୍ର ରହିଥିବା ଜଣାପଡିଥିଲା। ତାଙ୍କ ସମର୍ଥନରେ ଅନେକ ଭେଟେରାନ ଖେଳାଳି ବାହାରିଥିଲେ।

ଯଦିଓ ସେହି ମ୍ୟାଚ୍ ପରଠାରୁ ଭାରତୀୟ ଫାଷ୍ଟ ବୋଲର ଅର୍ଶଦୀପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ପୋଷ୍ଟ କରିନାହାଁନ୍ତି, ତଥାପି ସେ ତାଙ୍କ ପରିବାର ସହ କଥା ହୋଇ ଏକ ବାର୍ତ୍ତା ଦେଇଛନ୍ତି। ଆଉ ଏପରି ଟ୍ରୋଲ ହେବା ଦ୍ୱାରା ସେ ଭାଙ୍ଗିପଡି ନାହାନ୍ତି ବୋଲି କହିଛନ୍ତି।

ଅର୍ଶଦୀପଙ୍କ ବାପା-ମା ଚଣ୍ଡିଗଡ ବିମାନ ବନ୍ଦରରେ କହିଛନ୍ତି, ଯାହା ରବିବାର ମ୍ୟାଚରେ ହେଲା ତାକୁ ଅର୍ଶଦୀପ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଛି। କିନ୍ତୁ ଅର୍ଶଦୀପ ବିରୋଧରେ ଯେଉଁ ଟ୍ୱିଟ୍ ହୋଇଛି ସେ ଦେଖିବା ପରେ ହସୁଛି। ଏପରି ଘଟଣା ତାକୁ ଅଧିକ ଆତ୍ମବିଶ୍ୱାସ ଦେଇଛି ବୋଲି ପୁଅ କହିଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଅର୍ଶଦୀପଙ୍କ ବାପା ଦର୍ଶନ ଏବଂ ତାଙ୍କ ମାଆ ବାଲଜିତ ଦୁବାଇ ଯାଇଥିଲେ। ଅର୍ଶଦୀପଙ୍କ ବାପା କହିଛନ୍ତି ଯେ ସମସ୍ତେ ଚାହୁଁଛନ୍ତି ଯେ ଟିମ୍ ଇଣ୍ଡିଆ ଜିତୁ କିନ୍ତୁ ଯେତେବେଳେ ଏହା ନହୁଏ, ପ୍ରଶଂସକମାନେ ଖେଳାଳିଙ୍କ ଉପରେ ନିଜର କ୍ରୋଧ ବାହାର କରନ୍ତି। ଏସବୁକୁ ଏକ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିବାକୁ ପଡ଼ିବ।

ଦର୍ଶନ କହିଛନ୍ତି ଯେ ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନା ଅର୍ଶଦୀପକୁ ପ୍ରଭାବିତ କରିନି ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଉପରେ ଫୋକସ କରୁଛି ।

Comments are closed.