Latest Odisha News

BREAKING NEWS

ବସ୍ତିରେ ଶିକ୍ଷାର ଦୀପ ଜାଳୁଛି ସାତ୍ତ୍ୱିକ ସୋଲ୍‍

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ବସ୍ତିଗୁଡ଼ିକର ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଦୀପ ଜାଳିବାରେ ଏବେ ପ୍ରମୁଖ ଭୂମିକା ନେଉଛି ସାତ୍ତ୍ୱିକ ସୋଲ୍‍। ଉତ୍ସାହି ଯୁବତୀ ଯୁବକଙ୍କୁ ନେଇ ଗଠିତ ଏହି ସଂଗଠନ ବସ୍ତିଗୁଡ଼ିକରେ ପାଠ୍ୟ ପୁସ୍ତକ ବଣ୍ଟନ ଠାରୁ ଆରମ୍ଭ କରି ଶିକ୍ଷା ସଂପର୍କିତ ପ୍ରତିଯୋଗିତା ଆୟୋଜନ କରାଯାଉଛି।

 


ରବିବାର ସାତ୍ତ୍ୱିକ ସୋଲ୍‍ ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟ ବସ୍ତିର ପିଲାମାନଙ୍କୁ ନେଇ ଶିକ୍ଷା ସଂପର୍କିତ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି। ବସ୍ତିର ବହୁ ଛୋଟଛୋଟ ଶିଶୁ ଏଥିରେ ଭାଗନେଇଥିଲେ। ସେମାନଙ୍କ ସମ୍ମୁଖରେ ବିଭିନ୍ନ ସାମଗ୍ରୀ ରଖାଯାଇଥିଲା। ସାମଗ୍ରୀକୁ ଚିହ୍ନିବା ପାଇଁ କୁହାଯାଇଥିଲା। ଯେଉଁମାନେ ସଠିକ ଉତ୍ତର ଦେଇଥିଲେ, ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏମିତି ମଧ୍ୟ ଅନେକ ଶିଶୁ ଥିଲେ, ଯେଉଁମାନେ ସାମଗ୍ରୀକୁ ଚିହ୍ନିପାରି ନଥିଲେ। ସେସଂପର୍କରେ ସେମାନଙ୍କୁ ଉଚିତ ଶିକ୍ଷା ଦେବା ସହ ଉତ୍ସାହିତ କରାଯାଇଥିଲା। ଏହା ପୂର୍ବରୁ ଗତ ଗୁରୁ ଦିବସରେ ସଂଗଠନ ତରଫରୁ ବସ୍ତିରେ ଶିଶୁମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ହୋଇଥିଲା। ଶିଶୁମାନେ କେମିତି ପାଠ ପଢ଼଼ିବେ, ଅକ୍ଷର ଚିହ୍ନିବେ, ଲେଖିବେ, ସେନେଇ ଶିକ୍ଷାଦାନ କରାଯାଇଥିଲା। କେବଳ ଶିକ୍ଷା ନୁହଁ, ସହରର ଅନ୍ୟାନ୍ୟ ବସ୍ତିରେ ସାତ୍ତ୍ୱିକ ସୋଲ୍‍ ତରଫରୁ କିଶୋରୀଙ୍କୁ ଋତିସ୍ରାବ ସ୍ୱଚ୍ଛତା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସଂଗଠନର ସଦସ୍ୟା ସୁନିତା ନାୟକଙ୍କ କହିବାନୁଯାୟୀ, ବିଭିନ୍ନ କାରଣ ପାଇଁ ବସ୍ତି ପିଲାମାନଙ୍କ ମଧ୍ୟରେ ପାଠପଢ଼଼ା ପ୍ରତି ଆଗ୍ରହ ନଥାଏ। ସେମାନଙ୍କୁ ମନରେ ଆଗ୍ରହ ସୃଷ୍ଟି କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷା ସଂପର୍କିତ ପ୍ରତିଯୋଗିତା ଆୟୋଜନ କରାଯାଉଛି, ଯାହା ସେମାନଙ୍କୁ ଉତ୍ସାହିତ କରୁଛି। ଗତ ଫେବୃୟାରୀ ଠାରୁ ସଂଗଠନ ତରଫରୁ ବିଭିନ୍ନ ୩୨ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଗାମୀ ଦିନରେ ସହରର ଅନ୍ୟାନ୍ୟ ବସ୍ତିରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସଂଗଠନର ଜିଲା ସଂଯୋଜକ ଭରତ ଗୌରବ ଦାସ, ସଦସ୍ୟା ଅତ୍ରାହି ସାସମଲ, ଜସ୍ମିନ ନିଶା, ସୁନିତା ନାୟକ, ଶିବାନୀ ପାଢ଼ୀ, ସଂଗୀତା, ସୁଚିତ୍ରା ପାଇକ, ଲକ୍ଷ୍ମୀ ମହାରଣା, ପ୍ରେରଣା ପାଣିଗ୍ରାହୀ ଏବଂ ବାଦଲ ଦଳାଇ ପ୍ରମୁଖ ଏସବୁ କାର୍ଯ୍ୟକ୍ରମରେ ପରିଚାଳନା କରୁଛନ୍ତି।

Comments are closed.