ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେ ର ସରବାହାଲ ନିକଟରେ ଏକ କୋଇଲା ବୋଝେଇ ହାଇଓ୍ବା ବସ୍ କୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ହାଇଓ୍ବା ଓ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।
ସନ୍ଧ୍ୟା ସମୟରେ ଭୂଷଣ କାରଖାନାରୁ ଝାରସୁଗଡ଼ାକୁ କର୍ମଚାରୀମାନଙ୍କୁ ନେଇ ଫେରୁଥିବା ଏକ ବସ ସହ ଏକ କୋଇଲା ବୋଝେଇ ହାଇୱା ମଧ୍ୟରେ ଦୁର୍ଘଟଣା ଘଟିଥିଲା। ହାଇୱାଟି ଭୁଲ ରାସ୍ତାରେ ଯାଇ ବସ କୁ ପିଟିଥିବା ଜଣାପଡିଛି । ଆହତ ସମସ୍ତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବସରେ ଥିବା ୧୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କର ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗୁରୁତର ଆହତଙ୍କ ମଧ୍ୟରୁ ୮ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମୃତକ ମାନେ ହେଲେ ରାଜେନ୍ଦ୍ର ତିୱାରୀ, ସେର ବାହାଦୂର,ବ୍ରିଜପାଲ ସିଂହ, ପଙ୍କଜ ଝା ଓ ବିକାଶ କୁମାର ବୋଲି ସ୍ଥାନୀୟ ପୋଲିସ ପ୍ରକାଶ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେରେ ଘଟିଥିବା ଅଭାବନୀୟ ସଡକ ଦୁର୍ଘଟଣାରେ ଅନେକଙ୍କ ମୃତାହତ ହୋଇଥିବା ଖବର ଜାଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁ ଆରୋଗ୍ଯ କାମନା କରୁଛି । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) September 16, 2022
Comments are closed.