Latest Odisha News

BREAKING NEWS

ବିନାଶ କାଳେ ବିପରୀତ ବୁଦ୍ଧି

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ସାମାଜିକ ଗଣମାଧ୍ୟମ ଆଉ ଗଣମାଧ୍ୟମରେ କିଛି କିଛି ଖବର ଯେତେବେଳେ ଆଜିକାଲି ଆଖିରେ ପଡୁଛି ବହୁତ ବ୍ୟସ୍ତ ଆଉ ବିବ୍ରତ ଲାଗୁଛି । ଅନେକଙ୍କର ମନରେ ପ୍ରଶ୍ନ ଉଠୁଛି ଏମିତି କେମିତି ଲୋକଙ୍କର ମାନସିକତା ଏତେ ତଳକୁ ଖସିଯାଉଛି ବୋଲି ? କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନର ଚିତ୍ର ଆଉ ଭିଡ଼ିଓ ଦେଖିଲେ ମନରେ ବହୁତ ପ୍ରଶ୍ନ ଆସୁଛି । ଆମେ କେମିତି ଏମିତି ଏତେ ତଳ ସ୍ତରକୁ ଖସିଯାଉଛେ ?

କେତେବେଳେ ଟ୍ରକର ପଛ ପଟେ ଝୁଲେଇ ଝୁଲେଇ ନେଇଯାଉଛେ ତ କେତେବେଳେ ସରକାରୀ ଅଫିସର କୋଣରେ ଭଙ୍ଗାରୁଜା ଅବସ୍ଥାରେ ଫିଙ୍ଗି ଦେଉଛେ । ଏହା କ’ଣ ଆମର ସଂସ୍କୃତି ? ଏହା କ’ଣ ଆମର ଶିକ୍ଷା ଆଉ ଦୀକ୍ଷା ବୋଲି ଅନେକ ବୁଦ୍ଧିଜୀବି ଏବେ ପ୍ରଶ୍ନ ଉଠେଇଲେଣି । ବଡ଼ ଠାକୁର ନାମରେ ସେ ହେଉଛନ୍ତି ସାରା ବିଶ୍ୱରେ ପରିଚିତ ହୋଇ ପୂଜା ପାଉଛନ୍ତି। କେବଳ ଓଡ଼ିଆ କାହିଁକି ଅନେକ ଅଣ ଓଡ଼ିଆଙ୍କ ଘରେ ଘରେ। ତଥାପି ଏଇ ପ୍ରକାର ବିକୃତ ମାନସିକତାର ଲୋକଙ୍କ ମନରେ ଟିକେ ବି ଦୁଃଖ ଆଉ ଅନୁଶୋଚନାର ମନୋଭାବ ଆସୁନାହିଁ । ସତରେ ଆମେ କେତେ ତଳକୁ ଖସିଗଲେଣି ! ଏଇ ପ୍ରଶ୍ନ ନିଜକୁ ପଚାରିବାକୁ ବି ଲଜ୍ଜା ଲାଗୁଛି ଏବେ ।

ଜଣେ ଭୁଲ କଲା ସେ ବଡ଼ ଠାକୁରଙ୍କ ପାଖରେ କ୍ଷମା ମାଗିଦେଲା ଆଉ ଜଣେ ଭୁଲ କଲା ସେ ବି କ୍ଷମା ମାଗିଦେବ। ତାହେଲେ ଆମେ ଏମିତି ଗୋଟିଏ ପରେ ଭୁଲ ଦେଖି ଦେଖି ଆଉ ଆମ ମହାପ୍ରଭୁଙ୍କ ଅପମାନର ଫୋଟୋ ଆଉ ଭିଡିଓ ଦେଖି ଦେଖି ଅଭ୍ୟସ୍ତ ହୋଇଯିବ, ତାହେଲେ ଦୋଷ କାହାକୁ ଦେବା !

ନିକଟରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସର ପ୍ରଥମ ମହଲାରେ ଗୋଟିଏ କୋଣରେ ଯେଉଁ ଭଳି ଅବସ୍ଥାରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ଫୋପାଡ଼ି ଦିଆ ଯାଇଛି ତାହା ବଡ଼ ଅପମାନ ଆମ ସଂସ୍କୃତିକୁ । ସରକାରୀ କାର୍ଯ୍ୟାଳୟ ପୁଣି ଖୋଦ ଜିଲ୍ଲାପାଳଙ୍କ ଅଫିସରେ ଏଇ ଭଳି ହୀନମାନର କାର୍ଯ୍ୟ ଜମା ବି ଗ୍ରହଣୀୟ ନୁହେଁ । କିଏ କରିଛି ଏମିତି ଘୃଣ୍ୟ କାର୍ଯ୍ୟ ? ଦୋଷୀର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଜରୁରୀ । ନହେଲେ ଏମିତି ବାରମ୍ବାର ଏଇ ଭଳି ଘଟଣାମାନ ସାମ୍ନାକୁ ଆସୁଥିବ ଏଥିରେ କୌଣସି ସନ୍ଦେହ ନାହିଁ ।

ଏ ତ ଗଲା ମୂର୍ତ୍ତିଙ୍କୁ ନେଇ ଘଟିଥିବା କିଛି ଘଟଣା । ଏବେ ଦେଖିବା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କେମିତି ମହାପ୍ରଭୁଙ୍କୁ ଅପମାନିତ କରାଯାଉଛି ପ୍ରତି କ୍ଷେତ୍ରରେ । ତାର ବଡ଼ ଉଦାହରଣ ହେଉଛି ଆମେ ଜଗନ୍ନାଥଙ୍କୁ ଏମିତି ଭକ୍ତି କରୁଛେ ଯେ ତା ଘରର ସୋଫାର କୁସନରେ ବି ବଡ଼ ଠାକୁରଙ୍କ ପ୍ରତିମୂର୍ତ୍ତି ଆଙ୍କି ଦେଇ ଡ୍ରଇଁରୁମରେ ସଜେଇ ଆଉ ତା ଉପରେ ନିଜେ ଆଉଜିକି ବସୁଛେ ! ଏହା କି ପ୍ରକାର ଭକ୍ତି ତାହା ଏବେ ବଡ଼ ପ୍ରଶ୍ନ ? ଆଉ ଗୋଟିଏ ଉଦାହରଣ ଏଠାରେ ଦେବା ପାଇଁ ଚାହିଁବି, ସେଦିନ ମୋର ସାଙ୍ଗ ଗୋଟିଏ ସୁନ୍ଦର ରଙ୍ଗର ପଟ୍ଟଚିତ୍ରର ପାଟ ଶାଢ଼ୀଟିଏ ପିନ୍ଧିଥିଲା । ଆଉ ଦଶଅବତାରର ପଟ୍ଟଚିତ୍ରରେ ପେଣ୍ଟିଙ୍ଗ ହେଇଥିଲା ଶାଢ଼ୀଟି ଆକର୍ଷଣୀୟ ଥିଲା ସତ କିନ୍ତୁ ପଛ ପଟୁ କାନିଟି ଯେଉଁଭଳି ଭାବରେ ତଳେ ଘୁଷୁଡ଼ି ଥିଲା ତାହା ଦେଖିବାକୁ ବି ବହୁତ ଖରାପ ଲାଗୁଥିଲା । ତେଣୁ କଥା ଉଠୁଛି ଏଇଠି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯାଉ । କିନ୍ତୁ ତାହା ଯେମିତି ଓଡ଼ିଆ ଜାତି ପ୍ରତି ଅପମାନ ନହେଉ । ଶାଢ଼ୀ କଥା ଗଲା ପରେ ଏବେ ଉଦାହରଣ ଦେବାକୁ ଚାହିଁବି ଚା କେଟଲି, ପାଣି ଗ୍ଳାସ ଏସବୁରେ ମଧ୍ୟ ଆରାଧ୍ୟ୍ୟ ଦେବା ଦେବୀ ଚିତ୍ରକୁ ଅଙ୍କା ଯାଉଛି ଏବଂ ଏହାକୁ ମଧ୍ୟ ବଜାରରେ ବିକ୍ରି କରାଯାଉଛି । ଯାହା ଆମ ପରି କିଛି ଜାଣି ଶୁଣି ଥିବା ଲୋକ ମଧ୍ୟ କିଣି ଘର ସଜେଇବାରେ ଲାଗିଛନ୍ତି; ଯାହା ଜମା ବି ଗ୍ରହଣୀୟ ନୁହେଁ । ତେଣୁ ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ଯେମିତି ହିନ୍ଦୁ ଦେବା ଦେବୀଙ୍କୁ ଅପମାନ କରାଯାଉଛି ତାହା ଜମା ଭଲ ସଂକେତ ନୁହେଁ । ଆଗାମୀ ଦିନରେ ଆଉ ଏହା ପାଇଁ ରୋକ ଲାଗିବା ମଧ୍ୟ ନିହାତି ଦରକାର । ସରକାର ମଧ୍ୟ ପଦକ୍ଷେପ ନେବା ଦରକାର । ଏଇ ଭଳି ଅପମାନ ସୂଚକ କିଛି ଜିନିଷ ଯେଉଁମାନେ ବିକ୍ରି କରୁଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଆଉ ସବୁଠାରୁ ବଡ଼ କଥା ହେଲା ମିଛ ଭକ୍ତିର ଆଢୁଆଳରେ ଆମକୁ ମଧ୍ୟ ପରିବର୍ତ୍ତନ ହେବାକୁ ପଡ଼ିବ । ଆମ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ । ପ୍ରଶାସନର ରୋକ ଆଉ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏ ଦିଗରେ ବେଶ ସହାୟ ହେବ । ଆଉ ସବୁଠାରୁ ବଡ଼ କଥା ହେଲା ଯେ ବଡ଼ ବଡ଼ ଜଗନ୍ନାଥ ଗବେଷକମାନେ ମଧ୍ୟ ଏ ଦିଗରେ ସ୍ୱର ଉତ୍ତୋଳନ କରିବା ଦରକାର । ଖାଲି ବଡ଼ ଲେଖା ଆଉ ମୋଟା ବହି ଜଗନ୍ନାଥ ସଂସ୍କୃତି ଉପରେ ଲେଖିଦେଲେ ହେବ ନାହିଁ କେମିତି ଠିକ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯାଇପାରିବ ସେ ଦିଗରେ ମଧ୍ୟ ଯଥେଷ୍ଟ ଯତ୍ନବାନ ହେବା ଦରକାର। ନହେଲେ ବିନାଶ କାଳେ ବିପରୀତ ବୁଦ୍ଧି ଭଳି ମଧ୍ୟ ଆମ ଅବସ୍ଥା ହେବାକୁ ବେଶୀ ସମୟ ଲାଗିବ ନାହିଁ ଏହା ଅସମ୍ଭବ ବି ନୁହେଁ । ଆମ ଠାକୁର ଆମ ସଂସ୍କୃତି କୁ ପୂଜା କରିବାର ଦାୟିତ୍ୱ ହେଉଛି ଆମର । ତେଣୁ ବେଳହୁଁ ସାବଧାନ । ପ୍ରଚାର ପ୍ରସାର କରିବା କିନ୍ତୁ ସମ୍ମାନ ଦେଇ କରିବା । ତାହେଲେ ପୀଢ଼ି ପରେ ପୀଢ଼ି ସମସ୍ତେ ଆମ ସଂସ୍କୃତିକୁ ଭଲରେ ବୁଝିପାରିବେ ଏଥିରେ ଦ୍ୱିମତ ନାହିଁ ।

Leave A Reply

Your email address will not be published.