Latest Odisha News

BREAKING NEWS

କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର: ଜଳସେଚନକୁ ଅଧିକ ଗୁରୁତ୍ବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଜଳସଂପଦ ବିଭାଗର ୬ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରଥମ ପ୍ରସ୍ତାବ ହେଉଛି ବୈତରଣୀ ନଦୀରେ ୨ଟି ବ୍ୟାରେଜ ନିର୍ମାଣକୁ କ୍ୟାବିନେଟ ମୋହର ମାରିଛନ୍ତି ।  ୨ଶହ କୋଟି ଟଙ୍କା ବ୍ୟୟରେ ହେବ ୨ଟି ବ୍ୟାରେଜ । ଅଢ଼େଇ ବର୍ଷରେ ଏହି ବ୍ୟାରେଜ ହେବ । ଧାମନଗର ଏବଂ ଦଶରଥପୁର ବ୍ଲକ୍ ର ଲୋକେ ଏଥିରେ ଉପକୃତ ହେବେ ।

ସେହିପରି ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରାୟ ୧୩ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ୬୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଟେଣ୍ଡର ନେଇଥିବା ସଂସ୍ଥା  ୫ ବର୍ଷର ସେମାନେ ରକ୍ଷଣାବେକ୍ଷଣ କରିବେ ।
ରାଜ୍ୟ ସରକାର ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ୧୦ ହଜାର ୭୫୦ କୋଟି ଟଙ୍କାରୁ ଅଧିକା ଟଙ୍କା ମଂଜୁର କରିଛନ୍ତି । ଆଉ ଏହି ବୃହତ ଉଠା ଜଳସେଚନ ଯୋଜନା ଅଧୀନରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଗଜପତି ଜିଲ୍ଲାରେ ୮ଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ବାରା ୧୩ହଜାର ୫୪୭ ହେକ୍ଟର ଚାଷ ଜମି ଜଳସେଚିତ ହେବ । ୩୬ ମାସ ଭିତରେ ଉଠାଜଳସେଚନ ପ୍ରକଳ୍ପ କାମ ସମ୍ପନ୍ନ ହେବ । ୧୫ ବର୍ଷ ରକ୍ଷଣାବେକ୍ଷଣ କରିବେ ଟେଣ୍ଟର ନେଇଥିବା ସଂସ୍ଥା ।
ସେହିପରି ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଖରସୁଆଁ, କାଣୀ ଓ ବୈତରଣୀ ନଦୀ ଉପରେ ୯ଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ଯେଉଁ ପ୍ରସ୍ତାବ ଥିଲା ତାହାକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହା ଦ୍ୱାରା ଦୁଇଟି ଜିଲ୍ଲାର ୧୨ ହଜାର ୯୧୪ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ । ଟେଣ୍ଟର ମାଧ୍ୟମରେ ୩୬୪ କୋଟି ଟଙ୍କା ଖର୍ଚ ହେବ ।
ମହାନଦୀ ଓ ବ୍ରାହ୍ମଣୀ ନଦୀରେ ହେବାକୁ ଥିବା ୯ଟି ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ୱାରା କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରାୟ ୧୪ ହଜାର ୩୩୦ ହେକ୍ଟର ଚାଷଜମିକୁ ଜଳସେଚନ କରାଯିବ । ଟେଣ୍ଟର ପାଇଁ ୪୩୧ କୋଟି ଟଙ୍କା ଏବଂ ୧୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ କରିବେ ଟେଣ୍ଡର ନେଇଥିବା ସଂସ୍ଥା ।
କେନ୍ଦୁଝର ଜିଲ୍ଲା ପାଇଁ ୧୪ଟି ଉଠା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ ମଂଜୁର କରିଛନ୍ତି । ଏହାଦ୍ବାରା ୧୭ହଜାର ହେକ୍ଟର ଜମି ଜଳସେଚିତ ହେବ । ୫୧୧ କୋଟି ଟଙ୍କାର ଟେଣ୍ଡର ଆସିଛି । ୧୫ ବର୍ଷ ରକ୍ଷଣାବେକ୍ଷଣ କରିବେ ଟେଣ୍ଡର ନେଇଥିବା ବ୍ୟକ୍ତି ।
ସୋନପୁର-ଡୁଙ୍ଗୁରପାଲ୍ଲି ରାସ୍ତା ନିର୍ମାଣ ଏବଂ ମରାମତି ପାଇଁ ୮୭ କୋଟି ଟଙ୍କା ବ୍ୟୟ ପାଇଁ କ୍ୟାବିନେଟ ମଂଜୁର ମିଳିଛି ।

ସେହିପରି ଭୁବନେଶ୍ବରରେ ବିଧାୟକମାନଙ୍କ କ୍ଵାଟର ନିର୍ମାଣ ପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ତାହାକୁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି । ଏଥିରେ ୧୯୫ଟି ଟାଇପ-୬ ଓ ୧୦୫ଟି ଟାଇପ-୭ ସରକାରୀ କ୍ଵାଟର ନିର୍ମାଣ କରାଯିବ । ଅଢ଼େଇ ବର୍ଷ ମଧ୍ୟରେ ଏହି କାମ ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.