Latest Odisha News

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା।

ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କର ଦେହାନ୍ତରେ  ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ  ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜୟନ୍ତୀ ପଟ୍ଟନାୟକ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଂଗଠିକା, ସମାଜସେବିକା ଓ ବକ୍ତା ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୫୩ ମସିହାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ତାଙ୍କର ୨ ଝିଅ ସୁଦତ୍ତା ଓ ସୁଜାତା ଏବଂ ଏକମାତ୍ର ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଅଛନ୍ତି ।

ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସେ ପ୍ରଥମ ମହିଳା ସାଂସଦ । ୧୯୮୧ ମସିହାରେ,୧୯୮୪ ମସିହାରେ କଂଗ୍ରେସ ଟିକେଟରେ ସେ କଟକରୁ ନିର୍ବାଚିତ ହୋଇଥିଲେ  ।  ଏହାପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ପ୍ରଥମ ଓଡ଼ିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ଓଡିଆ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରହିଥିଲେ ।

ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆସିକା ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।

ସେ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ  ହୋଇଥିଲେ । ୨୦୧୫ ମସିହା ଏପ୍ରିଲ ୨୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା ।

ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ସାଂସଦ ତଥା ଓଡିଶା ପ୍ରଭାରୀ ଡ଼ ଏ ଚେଲ୍କା କୁମାର,ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ,ପିସିସି କାଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ,ସାଂସଦ ସପ୍ତଗିରି ଉଲାକା,ବିଧାୟକ ଦଳ ନେତା ନରସିଂହ ମିଶ୍ର,ବିଧାୟକ ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା,ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା,ପିସିସି ଗଣମାଧ୍ୟମ ବିଭାଗ ଆବାହାକ ସତ୍ୟପ୍ରକାଶ ନାୟକ,ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରଜନୀ କୁମାର ମହାନ୍ତି,ପ୍ରଶାନ୍ତ ଶତପଥି,ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଅଭିଷେକ ମହାନନ୍ଦ,ଗଣମାଧ୍ୟମ ବିଭାଗ ସଂଯୋଜକ ଦୀପକ କୁମାର ମହାପାତ୍ର ଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାଶ ପ୍ରମୁଖ ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା ସାଙ୍ଗକୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

 

Leave A Reply

Your email address will not be published.