Latest Odisha News

‘‘କଂଗ୍ରେସକୁ ସୁଦୃଢ଼ କରି ବିଜେପି ବିରୋଧରେ ଲଢ଼ିବି’’ କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନିଜ ପାଇଁ ଭୋଟ ସମର୍ଥନ ମାଗି ଫେରିଗଲେ ଖଡ଼ଗେ

ଭୁବନେଶ୍ୱର : କଂଗ୍ରେସ ସଭାପତି ନିର୍ବାଚନ ଆଉ ଦୁଇଦିନ ପରେ । ସଭାପତି ପାଇଁ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ତଥା  ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆଜି ମଧ୍ୟାହ୍ନରେ ଆସି ପହଁଚିଥିଲେ । ମଲ୍ଲିକାର୍ଜୁନ ଖଡଗେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କୁ ଭେଟିବା ସହ  ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବଗତ କରାଇଥିଲେ । ନିର୍ବାଚନରେ ପିସିସିର ସମସ୍ତ ସଦସ୍ୟଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଏହି ବୈଠକ ପରେ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସପଂର୍କରେ କହିଥିଲେ  । ଶଶୀ ଥରୁରଙ୍କ ଅଭିଯୋଗ ଉପରେ ମନ୍ତବ୍ୟ ଦେଇ  ଖଡ଼ଗେ କହିଥିଲେ ସେ କାହାକୁ ଜୋର ଦେଇ ଡାକୁନାହାଁନ୍ତି । ଯଦି ନେତାମାନେ ତାଙ୍କୁ ସମର୍ଥନ କରିବାକୁ ଆସୁଛନ୍ତି ତାହେଲେ ସେ ବନ୍ଦ କରିପାରିବେ ନାହିଁ । ତାଙ୍କ କାମ ହେଉଛି ଭୋଟ ମାଗିବା ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ନେତାଙ୍କୁ ଭେଟିବା, ସେ ଭୋଟ ମାଗୁଛନ୍ତି । କଂଗ୍ରେସକୁ ସୁଦୃଢ଼ କରି ବିଜେପି ବିରୋଧରେ ଲଢ଼ିବା ଉପରେ କହିଥିଲେ ଶ୍ରୀଖଡ଼ଗେ ।

ଏହି ଅବସରରେ ଶ୍ରୀ ଖଡ଼ଗେ କହିଥିଲେ ଯେ ସେ ଦୀର୍ଘ ୫୫ ବର୍ଷଧରି ନିଷ୍ଠା ଓ ଶୃଙ୍ଖଳା ସହ ଉତ୍ସର୍ଗୀକୃତ ଭାବେ ଦଳରେ ସେ କାର୍ଯ୍ୟ କରିଆସୁଛନ୍ତି । ସେ ତାଙ୍କର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଲେ ଯେ ତାଙ୍କର କିଛି ନୂତନ ଇସ୍ତାହାର ନାହିଁ । ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର ବୋଲି ସେ କହିଥିଲେ । ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ।

            ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଇର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ବିଜେପି ଓ ଆରଏସଏସକୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭାତୃଭାବ, ଶାନ୍ତି, ପ୍ରିତି ଓ ମୈତ୍ରି ବଜାୟ ରଖିବା ହେଉଛି ଆମର କର୍ତବ୍ୟ  ବୋଲି କହିଥିଲେ

 ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତସ୍ତତ କରାଉଛନ୍ତି । ବିଧାୟକ କିଣି ସରକାର ଗଢ଼ିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋଦି ସରକାର ଓ ବିଜେପିର ପ୍ରଧାନ ଲକ୍ଷ୍ୟ ଥିବା କହିଥିଲେ ଖଡ଼ଗେ ।  ଦେଶର ସଂପତ୍ତି ଯାହାକି ଦୀର୍ଘ ଅର୍ଦ୍ଧଶତାବ୍ଦି ଧରି କଂଗ୍ରେସ ସରକାର ସୃଷ୍ଟି କରିଥିଲା ଏବେ ସେ ସବୁକୁ ମୋଦି ତାଙ୍କ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଥିବା କହିଛନ୍ତି ଖଡଗେ ।

                        କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ କହିଥିଲେ । ବିଜେପି ଦେଶକୁ ଭାଙ୍ଗୁଥିବା ବେଳେ ସମ୍ମାନୀୟ ରାହୁଲ ଗାନ୍ଧୀ ଦେଶକୁ ଯୋଡ଼ି ରଖିବା ପାଇଁ ପ୍ରଚେଷ୍ଟାରତ ଅଛନ୍ତି । ମହଙ୍ଗା ମାଡ଼, ଦୁର୍ନୀତି, ବେରୋଜଗାର, ଦାରିଦ୍ର‌୍ୟ, ଅର୍ଥନୈତିକ ବୈଷମ ଓ କ୍ଷୁଧା ବିରୁଦ୍ଧରେ ତାଙ୍କର ଏହି ମହାସଂଗ୍ରାମ । ପରିଶେଷରେ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ।

ଶ୍ରୀ ଖଡ଼ଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଡଃ ଗୌରବ ବଲ୍ଲଭ ମଧ୍ୟ ଉପସ୍ଥିତ ରହିଥିଲେ ।  ପ୍ରଥମେ ଗୈାରବ ବଲ୍ଲଭ ଶ୍ରୀ ଖଡ଼ଗେଙ୍କର ଦୀର୍ଘ ରାଜନୈତିକ ଜୀବନ, କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ରାଜନୀତି କ୍ଷେତ୍ରରେ ବିଶାଳ ଅଭିଜ୍ଞତା ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରାଙ୍କ ସହ ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.