European flights get bomb threats:ୟୁରୋପରେ ବୋମା ଧମକକୁ ନେଇ ଆତଙ୍କ! ୧୨ବିମାନର ଗତିପଥ ବଦଳିଲା,ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି
ନୂଆଦିଲ୍ଲୀ:ଗୁରୁବାର ଦିନ ୟୁରୋପରେ କ୍ରମାଗତ ବୋମା ଧମକ ଯୋଗୁଁ ଆତଙ୍କ ଖେଳିଯାଇଥିଲା। ଏହି କାରଣରୁ ଅନେକ ଯାତ୍ରୀବାହୀ ବିମାନକୁ ନିଜର ଗତିପଥ ବଦଳାଇବାକୁ ପଡ଼ିଥିଲା କିମ୍ବା ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନ୍ୟ ସ୍ଥାନରେ ଅବତରଣ କରିବାକୁ ପଡ଼ିଥିଲା।ବିଭିନ୍ନ ଦେଶର ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଧମକ ମିଳିବା ଘଟଣା ୟୁରୋପରେ ବିମାନ ଚଳାଚଳ ସୁରକ୍ଷା ନେଇ ଚିନ୍ତା ବଢ଼ାଇ ଦେଇଛି।
ଆଇରିସ୍ ଏୟାରଲାଇନ୍ସ ଜଣାଇଛି ଯେ, ଡବ୍ଲିନ୍ରୁ ରୋମ୍ ଅଭିମୁଖେ ଯାତ୍ରା କରୁଥିବା ‘ଏର୍ ଲିଙ୍ଗସ୍’ (Aer Lingus) ବିମାନ EI402-କୁ ସୁରକ୍ଷା ଦୃଷ୍ଟିରୁ ଅନ୍ୟତ୍ର ମୁଖାଯାଇଥିଲା ଏବଂ ଏହା ଫ୍ରାନ୍ସର ‘ଏଭ୍ରୋ’ (Évreux) ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି; ଏହି ବିମାନବନ୍ଦରଟି ପ୍ୟାରିସ୍ର ପଶ୍ଚିମ ଦିଗରେ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ।
ସେହିପରି ହେଲସିଙ୍କିରୁ ରୋମ ଯାଉଥିବା ଏକ ଫିନଏୟାର ବିମାନକୁ ରୋମ ଫିମିସିନୋ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିବା ପୂର୍ବରୁ ଇଟାଲୀୟ ବାୟୁସେନାର ଯୁଦ୍ଧ ବିମାନ ଦ୍ୱାରା ସୁରକ୍ଷା ଦିଆଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନବନ୍ଦର ଅଧିକାରୀମାନେ ଜଣାଇଛନ୍ତି ଯେ ଇଟାଲୀୟ ପୋଲିସ ପରବର୍ତ୍ତୀ ସମୟରେ ବିମାନଟିର ସୁରକ୍ଷା ଯାଞ୍ଚ କରିଥିଲା, କିନ୍ତୁ ସେଥିରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋପେନହେଗେନ୍ ଏବଂ ମାଦ୍ରିଦରୁ ଆସୁଥିବା ଦୁଇଟି ବିମାନ ସୋଫିଆରେ ଅବତରଣ କରିଥିବା ବେଳେ, ଲଣ୍ଡନରୁ ଆସୁଥିବା ତୃତୀୟ ବିମାନଟି ପ୍ଲୋଭଡିଭ୍ରେ ଅବତରଣ କରିଥିଲା।
ଉଲ୍ଲେଖନୀୟ ଯେ, ମାତ୍ର ଦୁଇ ଦିନ ପୂର୍ବେ ଅନ୍ତତଃ ୭ଟି ବିମାନ ଏବଂ ଏକ କ୍ରୁଜ୍ ଜାହାଜକୁ ସମାନ ଧରଣର ଧମକ ମିଳିଥିଲା। ସୌଭାଗ୍ୟବଶତଃ, ଏହି ଘଟଣାଗୁଡ଼ିକର ଯାଞ୍ଚ ପରେ କୌଣସି ସ୍ଥାନରୁ ବିସ୍ଫୋରକ ସାମଗ୍ରୀ ମିଳି ନଥିଲା; ଅର୍ଥାତ୍ ଏହି ସମସ୍ତ ଧମକ କେବଳ ଗୁଜବ କିମ୍ବା ଭୟ ସୃଷ୍ଟି କରିବାର ଏକ ଚାଲ୍ ବୋଲି ପ୍ରମାଣିତ ହୋଇଛି ।
