Latest Odisha News

ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା ପାଇଁ  ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରୁ ନିବେଶକଙ୍କୁ ଭେଟି ଆଲୋଚନା ଚଲାଇଛନ୍ତି । ଆଜି 40ଟି ମିଟିଂ କରିଥିବା ବେଳେ 350 ଡେଲିଗେଟସଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିବା ଜଣାପଡ଼ିଛି ।

ସବୁଠୁ ବଡ଼ କଥା ହେଉଛି ଜଣ ଜଣ କରି ଶିଳ୍ପପତିଙ୍କୁ ସେ ଓଡ଼ିଶାରେ ନିବେଶ କରିବା ପାଇଁ କଣ ସୁବିଧା ରହିଛି ତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରୁଛନ୍ତି । ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ଏହି ଆଲୋଚନା ଚାଲିଥିବା ଦେଖିବାକୁ ମିଳିଛି ।  ଓଡ଼ିଶା ନିବେଶକ ସମ୍ମିଳନୀରେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭେଟୁଛନ୍ତି ଓ ଆଲୋଚନା କରୁଛନ୍ତି ।

 

ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀକୁ ଆସିବାକୁ ସମସ୍ତଙ୍କୁ ନିମନ୍ତ୍ରଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲା, ରାମକି ଗ୍ରୁପର ଏମଡି ଓ୍ବାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରଓ୍ବାଲ, ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ଓ୍ବାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କଣ୍ଟ୍ରୋଲ-ଏସ ଡାଟାସେଣ୍ଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବ୍ୟବସାୟିକ ବାତାବରଣ ରହିଥିବା ଶିଳ୍ପପତିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ  । ଏହି  ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

Comments are closed.