Latest Odisha News

BREAKING NEWS

ରୋଗୀ ବେଶରେ ଏମକେସିଜି ମେଡିକାଲ ଯାଇ ୭ ଦଲାଲଙ୍କୁ ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ରୋଗୀ ବେଶରେ ଡାକ୍ତରଖାନାକୁ ଯାଇ ଦଲାଲଙ୍କୁ ମାଡି ବସିଲା ବ୍ରହ୍ମପୁର ପୋଲିସ । ଏଭଳି ଘଟଣା ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲଲରେ ଘଟିଛି । ଏମକେସିଜି ମେଡିକାଲରେ ଦଲାଲ ସକ୍ରିୟ ହୋଇ ଉଠିଥିବା ଏବଂ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଥିବା ନେଇ ଅନେକ ଦିନ ହେଲା ଅଭିଯୋଗ ହେଉଥିଲା । ଏହି ଅଭିଯୋଗ ପୋଲିସ ଏହି ଦଲାଲ ମାନଙ୍କୁ ଧରିବାକୁ ଯୋଜନା କରିଥିଲା । ଆଉ ଏହି ଯୋଜନା ଅନୁସାରେ ମଙ୍ଗଳବାର ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମଙ୍କ ନିର୍ଦେଶ କ୍ରମେ ପ୍ରାୟ ୧୫ ଜଣ ପୋଲିସ କର୍ମଚାରୀଙ୍କୁ ରୋଗୀ ବେଶରେ ଏମକେସିଜି ମେଡିକାଲକୁ ପଠା ଯାଇଥିଲା । ଆଉ ଏହି ପୋଲିସ କର୍ମୀମାନେ ରୋଗୀ ବେଶରେ ଯାଇଥିବା ବେଳେ ସେଠାରେ ଥିବା ଦଲାଲମାନେ ସେମାନଙ୍କୁ ସାହାଯ୍ୟ କରିବାର ଆଳ ଦେଖାଇ ଟାଣିଥିଲେ ।

ଏସ୍‌ପି ସର୍ବଣା ବିବେକ୍‌ ଏମ୍‌ ଏବଂ ଏସଡିପିଓ ରାଜୀବ ଲୋଚନ ମିଶ୍ରଙ୍କ ସହ ରୋଗୀ ବେଶରେ ଥିବା ପୋଲିସ କର୍ମଚାରୀମାନେ।

ପୋଲିସ କର୍ମଚାରୀ ମାନେ ଏହି ସମୟରେ ୭ ଜଣ ଦଲାଲଙ୍କୁ କାବୁ କରି ନେଇଥିଲେ । ଏହାପରେ ସେହି ୭ ଜଣ ଦଲାଲଙ୍କୁ ବୈଦନାଥପୁର ଥାନାକୁ ନେଇ ସେଠାରେ ଅଟକ ରଖିଛି ପୋଲିସ । ଏ ନେଇ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମଙ୍କ କହିବା କଥା ଦଲାଲ ମାନେ ମଫସଲ ଅଞ୍ଚଳରୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଫୁସୁଲାଇ ଏକ୍ସରେ , ଅଲଟ୍ରାସାଉଣ୍ଡ , ରେଡିଓଲୋଜି ଟେଷ୍ଟ ହେଉ କିମ୍ବା ସର୍ଜରୀ ପାଇଁ ଏଠାରୁ ବାହାରକୁ ନେଇ ଯାଉଛନ୍ତି । କମିଶନ ପାଇବା ଉଦ୍ଦେଶ୍ୟରେ ଏହି ସବୁ ଦଲାଲମାନେ ଏମକେସିଜି ମେଡିକାଲରୁ ଘରୋଇ କ୍ଲିନିକ୍ ନେଇ ଯାଉଥିବା ଏବଂ ବାହାର ଔଷଧ ଦୋକାନରୁ ଔଷଧ କିଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଫଳରେ ମାଗଣାରେ ଚିକିତ୍ସା ପାଇବା ବଦଳରେ ଅନେକ ରୋଗୀ ଶୋଷଣର ଶିକାର ହେଉଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବ୍ରହ୍ମପୁର ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ ଗଠନ କରା ଯାଇଥିଲା । ଆଉ ସେହି ଟିମ ମଙ୍ଗଳବାର ରୋଗୀ ବେଶରେ ଏମକେସିଜି ମେଡିକାଲ କଲେଜ ଯାଇ ୭ ଜଣଙ୍କୁ ଚିହ୍ନଟ କରିଛି । ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରି ତଦନ୍ତ କରୁଛି ବୋଲି ସେ କହିଛନ୍ତି ।

Comments are closed.