ଅକଲ୍ୟାଣ୍ଡ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜ୍ରୁ ନ୍ୟୁଜିଲାଣ୍ଡ ଦଳକୁ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳର ଦୁଇ ଜଣ ପ୍ରମୁଖ ତାରକା ବ୍ୟାଟର ମାର୍କ ଚାପମାନ ଏବଂ ରଚିନ ରବିନ୍ଦ୍ର ଆହତ ହୋଇ ସମ୍ପୂର୍ଣ୍ଣ ସିରିଜ୍ରୁ ବାଦ ପଡ଼ିଛନ୍ତି।
ମାର୍କ ଚାପମାନଙ୍କ ହାମ୍ଷ୍ଟ୍ରିଙ୍ଗ ସମସ୍ୟା ଥିବା ବେଳେ ରଚିନ ରବନ୍ଦ୍ରଙ୍କ କାନ୍ଧରେ ଯନ୍ତ୍ରଣା ହେତୁ ସେମାନେ ଫିଟନେସ୍ ହାସଲ କରିପାରିନାହାନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଦୁଇ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି କିୱି ଦଳ ପାଇଁ ଏକ ବଡ଼ ଆଘାତ ସୃଷ୍ଟି କରିଛି , ବିଶେଷକରି ଭାରତୀୟ ଦଳ ବିପକ୍ଷରେ ଘରୋଇ ମଇଦାନରେ ଖେଳାଯିବାକୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପୂର୍ବରୁ ଏହା ଦଳର ଚିନ୍ତା ବଢ଼ାଇଦେଇଛି।
ଚାପମାନ ଏବଂ ରଚିନଙ୍କ ବଦଳରେ ଦଳରେ ନୂତନ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ସ୍କ୍ୱାଡ୍ରେ ହେନରି ନିକୋଲ୍ସ , ଡିନ୍ ଫକ୍ସକ୍ରଫ୍ଟ, ମ୍ୟାଟ୍ ଫିସର ଏବଂ ୱିକେଟକିପର୍-ବ୍ୟାଟର ଟିମ୍ ସେଫର୍ଟ ପ୍ରମୁଖଙ୍କୁ ସାମିଲ କରାଯାଇଛି, ଯାହାଫଳରେ ଦଳର ବ୍ୟାଟିଂ ଓ ବୋଲିଂ କ୍ରମକୁ ମଜବୁତ କରାଯାଇପାରିବ। ସେଫର୍ଟ ଓ ଫିସର ସମ୍ପୂର୍ଣ୍ଣ ସିରିଜ୍ରେ ଉପଲବ୍ଧ ରହିବେ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ରୋମାଞ୍ଚକର ୱାନଡେ ସିରିଜ୍ର ପ୍ରଥମ ମ୍ୟାଚ୍ ଅକଲ୍ୟାଣ୍ଡ ର ଇଡେନ୍ ପାର୍କଠାରେ ଖେଳାଯିବ । ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଏବେ ନ୍ୟୁଜିଲାଣ୍ଡର ଯୁବ ଖେଳାଳିମାନଙ୍କୁ ସ୍ମାର୍ଟ ରଣନୀତି ସହ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।
