Latest Odisha News

ଆଗାମୀ ଯୁଦ୍ଧ ପାଇଁ କଂଗ୍ରେସର ନୂଆ ସେନାପତି କେତେ ପ୍ରସ୍ତୁତ?

ଖଡ଼ଗେଙ୍କ ସାମନାରେ ଅନେକ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ୨୪ ବର୍ଷ ପରେ କଂଗ୍ରେସ ଗାନ୍ଧୀ ପରିବାର ବାହାରୁ ନୂଆ ସଭାପତି ପାଇଛି । ସବୁଠାରୁ ପୂରାତନ ଏହି ଦଳରେ ୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡ଼ଗେ ଏବେ କଂଗ୍ରେସର ନୂଆ ସେନାପତି । ତାଙ୍କ ସାମନାରେ ୨୦୨୪ ନିର୍ବାଚନ ବଡ଼ ଯୁଦ୍ଧ ଥିବାବେଳେ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ମଧ୍ୟ  ବଡ଼ ଚ୍ୟାଲେଂଜ ରହିଛି । ନୂଆ ସଭାପତି ଏହାକୁ କିପରି ସାମନା କରୁଛନ୍ତି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚା । ସୋସିଆଲ ମିଡିଆରେ ଅନେକ ୟୁଜର ଖଡ଼ଗେଙ୍କୁ ସବୁଠୁ ଦୁର୍ବଳ ସଭାପତି କହୁଥିବା ବେଳେ ଗାନ୍ଧୀ ପରିବାର ହାତରେ କଂଗ୍ରେସର ସବୁ କ୍ଷମତା ଏବେ ବି ରହିବ ବୋଲି ଅନେକ ମତ ରଖୁଛନ୍ତି ।  ଶେଷ ମୁହୂର୍ତ୍ତରେ ଅଶୋକ ଗେହଲୋଟଙ୍କ ପରିବର୍ତ୍ତେ ଖଡ଼ଗେଙ୍କୁ ଗାନ୍ଧୀ ପରିବାରର ସମର୍ଥନରେ ସଭାପତି କରାଯାଇଥିବା  କୁହାଯାଉଛି ।

 

କଂଗ୍ରେସକୁ ଶକ୍ତିଶାଳୀ କରିପାରିବେ କି ଖଡ଼ଗେ?

ଅବଶ୍ୟ ୫୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ଖଡ଼ଗେଙ୍କର ରାଜନୀତିରେ ବହୁ ଅନୁଭବ ରହିଛି । କିନ୍ତୁ ଖଡ଼ଗେଙ୍କର ଏହି ଅନୁଭବ ବର୍ତ୍ତମାନର ଦୁର୍ବଳ କଂଗ୍ରେସକୁ ବଳ ଦେବ ଏବଂ ଦୁର୍ବଳ କଂଗ୍ରେସକୁ ପୁଣି ସବଳ କରିପାରିବ କି? ଏହି ପ୍ରଶ୍ନ ଏବେ ଚାରିଆଡେ ଉଠୁଛି । କଂଗ୍ରେସର ୫୦ ପ୍ରତିଶତରୁ ଅଧିକ କର୍ମୀ ଏବେ ଯୁବବର୍ଗରେ ରହିଛନ୍ତି । ଗତ ୫ ବର୍ଷରେ ଅନେକ ଯୁବନେତା କଂଗ୍ରେସ ଛାଡି ଚାଲିଯାଇଛନ୍ତି । ଉତ୍ତର ଭାରତରେ କଂଗ୍ରେସର ଅବସ୍ଥା ଯାହା ସେ ସବୁ ରାଜ୍ୟରେ କଂଗ୍ରେସକୁ ସବଳ କରିବା ଭଳି ଶକ୍ତି ଖଡ଼ଗେଙ୍କର କେତେ ଅଛି ତାହା ମଧ୍ୟ ଆଗାମୀ ଦିନରେ ଜଣାପଡିବ ।

 

ଗାନ୍ଧୀ ପରିବାରର ସଦସ୍ୟଙ୍କ ଭଳି ଶକ୍ତି ଥାଇ ମଧ୍ୟ  ଯୁବ ବର୍ଗଙ୍କୁ ଆକୃଷ୍ଟ କରିବାର ସାମର୍ଥ୍ୟ ହୋଇପାରିନାହାଁନ୍ତି ରାହୁଲ ଗାନ୍ଧୀ କି ସୋନିଆ ଗାନ୍ଧୀ । ଏପରିକି ରାହୁଲ ଗାନ୍ଧୀଙ୍କୁ ୟୁପି ଲୋକସଭା ଆସନରେ ହାରିବାକୁ ପଡ଼ିଛି । ଏଭଳି ସ୍ଥିତିରେ  ଖଡ଼ଗେଙ୍କର ଉତ୍ତର ଭାରତରେ ସେଭଳି ଦଳକୁ ଶକ୍ତ କରିବା ପାଇଁ ଶକ୍ତି ନଥିବା ରାଜନୀତି ସମୀକ୍ଷକମାନେ ଯୁକ୍ତି କରନ୍ତି ।

 ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସର ଯୁବ ବର୍ଗ ଏବେ କଂଗ୍ରେସ ସହ ନାହାଁନ୍ତି । ସେମାନେ ଏବେ ବିକ୍ଷିପ୍ତ ଅବସ୍ତାରେ ବିଜେପି ହେଉ କି ଟିଏମସି ହେଉ, ବିଜେଡି ହେଉ କି ଆରଜେଡି, ଜେଡିୟୁ,ଆପ, ଡିଏମକେ ଏପରି ଅନେକ ଆଞ୍ଚଳିକ ଦଳରେ ସାମିଲ ହୋଇଯାଇଛନ୍ତି ।

କଂଗ୍ରେସରେ ସେମାନେ ସେପରି କିଛି ଦେଖୁନାହାଁନ୍ତି ଯାହା ଫଳରେ ପଂଜାବ ହେଉ  କି ଦିଲ୍ଲୀ,  ମଧ୍ୟପ୍ରେଦଶ, କର୍ଣ୍ଣାଟକ, ନିର୍ବାଚନ ପରେ ପରେ ଦଳ ଛାଡି ଚାଲି ଯାଇଛନ୍ତି ଯୁବ ନେତା ସହ କର୍ମୀ । ଏପରିକି ଅନେକ ରାଜ୍ୟରେ  କଂଗ୍ରେସ ପୁରା ମୂଳ ପୋଛ ହୋଇଯାଇଛି । ଏହି ସବୁ ଯୁବ ନେତାଙ୍କୁ ଖଡ଼ଗେ ପୁଣି କଂଗ୍ରେସକୁ ଆଣିବା ଅସମ୍ଭବ ହୋଇପାରେ ବୋଲି ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।

୫୨ ପ୍ରତିଶତ ଯୁବ ଭୋଟର ଏବେ କଂଗ୍ରେସରେ ନିଜ ଭବିଷ୍ୟତ ଦେଖୁନଥିବାରୁ ଅନ୍ୟ ଦଳକୁ ଚାଲିଯାଇଥିବା ଜାତୀୟସ୍ତରରେ ସର୍ଭେରେ ରିପୋର୍ଟ କହୁଛି ।

ବିଜେପିକୁ ଟକ୍କର ଦେଇପାରିବେ କି ଖଡ଼ଗେ?

ଏହା ମଧ୍ୟ ଚର୍ଚା ହେଉଛି ଯେ ବିଜେପିକୁ ଟକ୍କର ଦେବା ପାଇଁ ଖଡ଼ଗେ ସମର୍ଥ ହେବେ କି? । କଂଗ୍ରେସ ଉପରେ ପରିବାରବାଦର ସମାଲୋଚନାକୁ ଧୋଇପାରିବେ କି ଖଡ଼ଗେ? ନିଜେ କଡ଼ା ନିଷ୍ପତ୍ତି ନେଇପାରିବେ କି? କାରଣ ଦେଶରେ ଏବେ ବିଜେପି ର ବଡ଼ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତାଙ୍କୁ ଟକ୍କର ଦେବାଭଳି କ୍ଷମତା କେବଳ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କର ଥିବା କଂଗ୍ରେସ ନେତା ଏବଂ କର୍ମୀ ଖୋଲାଖୋଲି କହୁଛନ୍ତି  । ଏପରିକି ସଭାପତି ନିର୍ବାଚନ ପୂର୍ବରୁ ଅନେକ ରାଜ୍ୟର ପିସିସି ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ପାସ କରିସାରିଥିଲେ । ତେଣୁ କହିବାକୁ ଗଲେ ଦଳରେ ମଧ୍ୟ ଖଡ଼ଗେଙ୍କର ଗାନ୍ଧୀ ପରିବାର ଭଳି ଲୋକପ୍ରିୟତା ନାହିଁ ।

ଖଡ଼ଗେ ଦକ୍ଷିଣ ଭାରତର ହୋଇଥିବାରୁ ଉତ୍ତର ଭାରତରେ ଥିବା ରାଜ୍ୟମାନଙ୍କର କଂଗ୍ରେସ ନେତା କାର‌୍ୟ୍ୟକର୍ତ୍ତା ତାଙ୍କୁ କେତେ ଗ୍ରହଣ କରିବେ ତାହା ସମୟ କହିବ । ଉତ୍ତର ଭାରତର  ଯୁବ ବର୍ଗ ଭୋଟର ବିଜେପି ପଛରେ ରହିଛି । ୟୁପି, ବିହାର ଏମପି , ରାଜସ୍ତାନ, ଏମପି, ହିମାଚଳ, ଉତ୍ତରାଖଣ୍ଡ, ପଂଜାବରେ କଂଗ୍ରେସ ଅବସ୍ଥା ଦୟନୀୟସ୍ଥିତିରେ ରହିଛି । ରାଜସ୍ତାନରେ କଂଗ୍ରେସରେ ଯେପରି ଅନ୍ତର୍ଦ୍ବନ୍ଦ୍ବ ଚାଲିଛି କେତେବେଳେ ସେଠି କଣ ହେବ ତାହା କହିହେବ ନାହିଁ । କଂଗ୍ରେସରେ ଦୁଇ ଗୋଷ୍ଠୀ ସେଠି ୨୦୨୦ରୁ ଗୋଷ୍ଠୀ କନ୍ଦଳରେ ମାତିଛନ୍ତି । ଯାହାର ପ୍ରଭାବ ଆଗାମୀ ନିର୍ବାଚନରେ ନିଶ୍ଚୟ ପଡିବ ବୋଲି ଚର୍ଚା ହେଉଛି ।

ଉଦୟପୁର ସଂକଳ୍ପ ଲାକୁ କରିବା ସହଜ କି?

ସବୁଠୁ ବଡ଼ କଥା ହେଲା କଂଗ୍ରେସ ଉଦୟପୁର ସଂକଳ୍ପକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହା ହେଉଛି ଦଳରେ ସଂସ୍କାର । ତେବେ ଖଡ଼ଗେଙ୍କ ଆଗରେ ଏହାକୁ ଲାଗୁ କରିବା ସହଜ ନୁହେଁ  । କାରଣ ଏଥିରେ ଯୁବ ବର୍ଗଙ୍କୁ ଦାୟିତ୍ବ ଦେବା ସହ ବୟସ୍କଙ୍କୁ ମାର୍ଗଦର୍ଶକ ମଣ୍ଡଳିରେ ରଖିବାକୁ କୁହାଯାଇଛି ।

ଏଭଳି ସମୟରେ କଣ ସୋନିଆ ଗାନ୍ଧୀଙ୍କ ଭଳି ଅନେକ ବରିଷ୍ଠ ନେତାଙ୍କୁ ମାର୍ଗଦର୍ଶକ ମଣ୍ଡଳିରେ ରଖିପାରିବେ ଖଡ଼ଗେ । ଯଦି ବି ରଖନ୍ତି ତାହା କଣ ଦଳରେ ଗ୍ରହଣୀୟ ହୋଇପାରିବ ।  ଏହା ବାଦ ଆଉ ଏକ କଥା ହେଲା ସଭାପତିଙ୍କ ଉପରେ ସତରେ କଣ ଗାନ୍ଧୀ ପରିବାରର ଦଖଲ ରହିବ ନାହିଁ । ଏହା ମଧ୍ୟ ଗ୍ରହଣୀୟ ହେବନାହିଁ । କାରଣ ସୀତାରାମ କେଶରୀଙ୍କ ସମୟରେ ମଧ୍ୟ ଗାନ୍ଧୀ ପରିବାରର ଦଖଲ ତାଙ୍କ ଉପରେ ଥିଲା । ଆଉ ଖଡ଼ଗେଙ୍କ ସମୟରେ ମଧ୍ୟ ଗାନ୍ଧୀ ପରିବାରର ଦଖଲ ରହିବ ବୋଲି ରାଜନୀତି ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ଏପରି ସମୟରେ ସେ କଣ ସବୁ ବିରୋଧୀ ଦଳଙ୍କୁ ଗୋଟିଏ ମଂଚକୁ ଆଣି ପାରିବେ? ବିଜେପି ବିରୋଧରେ ଲଢ଼େଇ କରିବା ପାଇଁ ତାଙ୍କ ନେତୃତ୍ବକୁ ଅନ୍ୟ ଆଞ୍ଚଳିକଦଳମାନେ ସମର୍ଥନ କରିବେ ଏହି ଚ୍ୟାଲେଂଜ ମଧ୍ୟ ଖଡ଼ଗେଙ୍କ ପାଇଁ ରହିଛି ।

ଗୁଜରାଟ, ହିମାଚଳ ନିର୍ବାଚନରେ ପ୍ରଭାବ ପକାଇପାରିବେ କି ଖଡ଼ଗେ?

ଆଗକୁ ଆସୁଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ । ଏ ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସ ମଇଦାନରେ ନଥିବା କୁହାଯାଉଛି । ରାହୁଲ ଗାନ୍ଧୀ ଙ୍କ ସହ ବରିଷ୍ଠ ନେତାମାନେ ଏଭଳି ସମୟରେ ଭାରତ ଯୋଡୋ ଯାତ୍ରାରେ ଅଛନ୍ତି । ଗାନ୍ଧୀ ପରିବାରର କୈାଣସି ସଦସ୍ୟ ଏହି ନିର୍ବାଚନକୁ ନେଇ ବିଜେପି ବିପକ୍ଷରେ ଏହି ଦୁଇଟି ରାଜ୍ୟରେ ଲଢ଼େଇ ପାଇଁ ସେଭଳି ଆଖିଦୃଶିଆ ରାଲି, ସଭା କରିନାହାଁନ୍ତି ।

ଏପରି ସମୟରେ ଖଡ଼ଗେଙ୍କ ପାଇଁ ଏହି ଦୁଇଟି ରାଜ୍ୟରେ ବଡ଼ ଚ୍ୟାଲଂଜ ରହିଛି । ହିମାଚଳ ପ୍ରଦେଶରେ କୈାଣସି ଦଳ ପୁନର୍ବାର ସରକାର ଗଠନ କରିବା ଦେଖାଯାଇନାହିଁ । କିନ୍ତୁ ଚଳିତ ବର୍ଷ ପୁଣି ବିଜେପି ସରକାର ଗଠନ କରିବ ବୋଲି ଅନେକ ସର୍ଭେରେ ପ୍ରକାଶ ପାଇଛି । ଦୁଇ ଦଶନ୍ଧି ଦରି ଗୁଜରାଟରେ ମଧ୍ୟ କଂଗ୍ରେସ ସରକାର ଗଠନ କରିପାରୁନାହିଁ । କିନ୍ତୁ ସେଠାରେ ଆପ ରାତିଦିନ ନିର୍ବାଚନ ପ୍ରଚାରରେ ମାତିଛି । ପାଣି ବିଜୁଳି ଫ୍ରି ଦେବା ପାଇଁ କହୁଛନ୍ତି ଆପ ମୁଖ୍ୟ ଅରବିନ୍ଦ କଜରିଓ୍ବାଲ । ମୋଦିଙ୍କୁ ଟାର୍ଗେଟ କରୁଛନ୍ତି ଆପର ସବୁ ନେତା । କିନ୍ତୁ କଂଗ୍ରେସ ସେଠାରେ ବିଜେପି ସହ ଲଢ଼ୁଥିବା ଦେଖାଯାଉନାହିଁ । ତେଣୁ ଖଡ଼ଗେ ସଭାପତି ହେବା ପରେ ଗୁଜରାଟରେ କଂଗ୍ରେସ ଯେ ବଡ଼ କିଛି କରିବ ବା ସରକାର ଗଠନ କରିବ ତାହା ଭୋଟରଙ୍କ ମତିଗତିରୁ ଜଣାପଡୁନଥିବା ସର୍ଭେରୁ କୁହାଯାଉଛି ।

ଏ ଦୁଇଟ ରାଜ୍ୟରେ ଆଗାମୀ ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଜିତିଥିଲେ ଏହା ଖଡ଼ଗେଙ୍କ ପାଇଁ ଜିତିଲା ବୋଲି ବାର୍ତ୍ତା ସାରା ଭାରତ ବର୍ଷକୁ ଯାଇଥାନ୍ତା । ଯଦି କଂଗ୍ରେସ ଏହି ଦୁଇ ରାଜ୍ୟରେ ହାରେ ତେବେ ଏହାର ଖରାପ ବାର୍ତ୍ତା କଂଗ୍ରେସ ନେତା ଓ କାର‌୍ୟ୍ୟକର୍ତ୍ତାଙ୍କ ନିକଟକୁ ଯିବ ଯାହା ଦ୍ବାରା କଂଗ୍ରେସ ସଭାପତି ଆହୁରି ଦୁର୍ବଳ ହୋଇପଡ଼ିବେ ବୋଲି ଜାତୀୟ ସ୍ତରରେ ରାଜନୀତି ସମୀକ୍ଷକମାନେ ଚର୍ଚା କରୁଛନ୍ତି । ତେବେ ଖଡ଼ଗେ ସଭାପତି ଭାବେ ଦଳକୁ କେତେ ଆଗକୁ ନେଉଛନ୍ତି ଏବଂ ଆଗାମୀ ନିର୍ବାଚନରେ ତାଙ୍କ ନେତୃତ୍ବରେ ଦଳ କେତେ ବିଜୟ ହାସଲ କରୁଛି ତାହା ହିଁ ସମୟ କହିବ ।

Comments are closed.