Latest Odisha News

ବିଶ୍ୱକପ୍ ସେମିଫାଇନାଲ୍: ଜାଣନ୍ତୁ, ଆଜି ବର୍ଷା ହେଲେ କିପରି ଭାରତ ଯିବ ଫାଇନାଲ୍ !

ଲଣ୍ଡନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମ୍ୟାଚ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ବର୍ଷା ସାଜିଥିଲା ବାଧକ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ଟି ୱିକେଟ ବିନିମୟରେ ମାତ୍ର ୨୧୧ ରନ୍ କରିଥିବା ବେଳେ ଓଲ୍ଡ ଟ୍ରାଫେଡରେ ଲଗାତର ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ଆଇସିସି ତଥା ଟୁର୍ଣ୍ଣାମେଣ୍ଟ ଆୟୋଜକମାନଙ୍କ ନିଷ୍ପତ୍ତି ଅନୁଯାୟୀ ବୁଧବାର ଦିନ ଅର୍ଥାତ ଆଜି ରିଜର୍ଭ ଦିବସରେ ବାକି ଖେଳ ଅନୁଷ୍ଠିତ ହେବାକୁ ଯାଉଛି । ଯଦି ଆଜି ବର୍ଷା ହୁଏ ଏବଂ ଖେଳ ସମ୍ପୂର୍ଣ୍ଣ ହୋଇ ନପାରିଲା ସେଥିଲାଗି ଡ଼କୱର୍ଥ ଲୁଇସ୍ ନିୟମ ଅନୁସାରେ ଫଳାଫଳ ଘୋଷିତ କରାଯିବ । ତେଣୁ ଆଜିର ସେମିଫାଇନାଲ୍ ଭାରତ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହୁଛି ।

ଆଜି ସକାଳେ ମାଞ୍ଚେଷ୍ଟର୍ ଓଲ୍ଡ ଟ୍ରାଫେଡ୍ ଷ୍ଟାଡ଼ିୟମରେ ଅସରାଏ ବର୍ଷା ହୋଇଯାଇଛି । ଆକାଶ ମଧ୍ୟ ମେଘାଚ୍ଛନ୍ନ ରହିଛି । ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ଗତକାଲି ପରି ଆଜି ଯଦି ଖେଳ ଆରମ୍ଭ ହୋଇ ବର୍ଷା ହୁଏ ତେବେ ଡକୱର୍ଥ ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହେବ ବୋଲି ସୂଚନା ମିଳିଛି । ଏପରିକି ଭାରତକୁ ନ୍ୟୁଜିଲାଣ୍ଡର ୨୧୧ ରନକୁ ନେଇ ଏକ ନୂଆ ଟାର୍ଗେଟ ଦିଆଯାଇପାରେ ।

ଯଦି ବୁଧବାର ଦିନ ବର୍ଷା ଯୋଗୁଁ ଖେଳ ଆଦୌ ଆରମ୍ଭ ହୋଇ ପାରିଲା ନାହିଁ କିମ୍ବା ପିଚରେ ଗୋଟିଏ ହେଲେ ବଲ୍ ପଡ଼ିବାକୁ ସକ୍ଷମ ହୋଇପାରିଲା ନାହିଁ ତେବେ ଏହା ଭାରତୀୟ ଦଳ ଲାଗି ବେଶ୍ ଖୁସିର ଖବର ହେବ । ଆଜି ଯଦି ବର୍ଷା ଲଗାତର ହୁଏ ତେବେ ଭାରତ ଲାଗି ଶୁଭ ସାବ୍ୟସ୍ତ ହେବ ।

ସବୁଠୁ ବଡ଼କଥା ହେଲା ଭାରତ ଲିଗ୍ ପର୍ଯ୍ୟାୟ ମ୍ୟାଚ ଶେଷରେ ପଏଣ୍ଟତାଲିକାର ଶୀର୍ଷରେ ରହିଛି । ନ୍ୟୁଜିଲାଣ୍ଡ ଦଳ ରହିଛି ଚତୁର୍ଥ ସ୍ଥାନରେ, ତେଣୁ ଭାରତକୁ ବିଜୟୀ ଘୋଷିତ କରାଯିବ ଏବଂ ଭାରତ ବିଶ୍ୱକପ୍ ଫାଇନାଲକୁ ଉନ୍ନୀତ ହୋଇପାରିବ ।

ଅନ୍ୟପକ୍ଷରେ ଡକୱର୍ଥ ଲୁଇସ୍ ପଦ୍ଧତି ଅନୁଯାୟୀ, ବର୍ଷା ବାଧକ ମ୍ୟାଚରେ ଭାରତ ଲାଗି ନୂଆ ଟାର୍ଗେଟ ନିର୍ଣ୍ଣୟ ହୋଇଛି । ଭାରତ ୪୬ ଓଭର ଖେଳିବାକୁ ଗଲେ ଟାର୍ଗେଟ ରହିବ ୨୩୭ ରନ । ସେହିପରି ଭାବେ ଭାରତକୁ ୪୦ ଓଭର ଲାଗି ୨୨୩ ରନ । ଏପରିକି ବିରାଟ ବାହିନୀକୁ ଯଦି ୩୦ ଓଭର ଖେଳିବାକୁ ଦିଆଯାଏ ତେବେ ଦଳ ୧୯୨ ରନ୍ କରିପାରିଲେ ମ୍ୟାଚ ଜିତିପାରିବ । ୨୫ ଓଭର୍ ଲାଗି ଟିମ୍ ଇଣ୍ଡିଆକୁ ୧୭୨ ରନର ଟାର୍ଗେଟ ଏବଂ ୨୦ ଓଭର୍ ଲାଗି ୧୪୮ ରନର ଟାର୍ଗେଟ୍ ନିରୁପଣ କରାଯାଇପାରେ ।

ଆଜି ଯଦି ମ୍ୟାଚ ଆରମ୍ଭରୁ ବର୍ଷା ଲାଗି ରହେ ଏବଂ ଆଦୌ ଖେଳ ହୋଇପାରିବ ନାହିଁ ତେବେ ଭାରତୀୟ ଦଳ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିବା ଯୋଗୁଁ ବିଜୟୀ ଘୋଷିତ କରାଯିବ ।ଗୋଟିଏ କଥା ଉପରେ ଟୁର୍ଣ୍ଣାମେଣ୍ଟ ଆୟୋଜକମାନଙ୍କର ମଧ୍ୟ ଲକ୍ଷ୍ୟ ରହିଛି, ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ସର୍ବନିମ୍ନ ୨୦ ଓଭର ବୋଲିଂ ହେବା ନିତାନ୍ତ ଆବଶ୍ୟକ । ଯଦି ୨୦ ଓଭର ବୋଲିଂ କରାନ’ଯାଇପାରେ ତେବେ ଭାରତ ସପକ୍ଷରେ ଯିବ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ । ତେଣୁ ଭାରତୀୟ ପ୍ରଶଂସକମାନେ ଏହି ମ୍ୟାଚର ଫଳାଫଳ ଘୋଷଣାକୁ ଅପେକ୍ଷା କରି ବସିଛନ୍ତି ।

Leave A Reply

Your email address will not be published.