Latest Odisha News

BREAKING NEWS

‘ଛବିରାଣୀ ହତ୍ୟାକାଣ୍ଡ’କୁ ନେଇ ଓଡ଼ିଆ ସିନେମା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡ଼ିଆ ଚଳଚ୍ଚିତ୍ର । ଯାହାର ନାମ ରଖାଯାଇଛି ‘ଛବିରାଣୀ’ । ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି । ଏହାର ଗୀତଗୁଡିକୁ ସ୍ୱରରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

ଚଳଚ୍ଚିତ୍ର ନିର୍ମାତା ୮୦ ଦଶକର ଏହି ଲୋମହର୍ଷଣକାରୀ ଗଣବଳାତ୍କାର ଓ ହତ୍ୟାକାଣ୍ଡ ଘଟଣାଟିକୁ କାହାଣୀ ଜରିଆରେ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସିନେମାର ପୋଷ୍ଟର ରିଲିଜ୍ ହୋଇ ସାରିଥିବା ବେଳେ ଖୁବଶୀଘ୍ର ଏହା ପରଦାକୁ ଆସୁଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଏହାର ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅମନ୍ ଏବଂ ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ । ଏହି ଦୁଇ କଳାକାରଙ୍କ ସହ ଓଲିଉଡର ଆଗ ଧାଡ଼ିର କଳାକାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀଙ୍କୁ ମଧ୍ୟ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ସେ ସମୟରେ ଛବିରାଣୀ ହତ୍ୟାକାଣ୍ଡ ଘଟଣା ପୂରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଥିଲା । ଗର୍ଭବତୀ ଥିବା ଛବିରାଣୀଙ୍କୁ ଅତି ନିର୍ମମ ଭାବେ ବଳାତ୍କାର ପରେ ହତ୍ୟା କରାଯାଇଥିଲା । ସ୍ୱାମୀ ତାଙ୍କର ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ଓଡିଶା ସମେତ ସାରା ଦେଶରେ ଏହି ଘଟଣା ଆଲୋଡନ ସୃଷ୍ଟି କରିଥିଲା । ୮୦ ଦଶକରେ ସଂଘଟିତ ଏହ ଘଟଣାର ଚୂଡାନ୍ତ ରାୟ ୨୦୦୬ ମସିହାରେ ପ୍ରକାଶ ପାଇଥିଲା । ସେତେବେଳକୁ ୭ ଜଣ ଆସାମୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

Leave A Reply

Your email address will not be published.