Latest Odisha News

BREAKING NEWS

କୁଷ୍ଠ ନିରାକରଣର ନୂଆ ଔଷଧ ଉଦ୍ଭାବନ କରି ସମ୍ମାନିତ ହେଲେ ‘ସୋଆ’ ଗବେଷକ

ଭୁବନେଶ୍ୱର : କୁଷ୍ଠ ରୋଗ ନିରାକରଣ ଔଷଧକୁ ପରିବର୍ତ୍ତନ ନିମନ୍ତେ ବ୍ୟବହୃତ ‘ଡାପସୋନ୍’କୁ ରୂପାନ୍ତରିତ କରି ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବାୟୋଟେକ୍ନୋଲୋଜି ବିଭାଗର ପିଏଚଡି ରିସର୍ଚ୍ଚ ସ୍କଲାର୍ ଶଶାଙ୍କ ଶେଖର ସ୍ୱାଇଁଙ୍କୁ ୨୦୧୯ ପାଇଁ ଗାନ୍ଧିଆନ୍ ୟଙ୍ଗ ଟେକ୍ନୋଲୋଜିକାଲ୍ ଆୱାର୍ଡରେ ସମ୍ମାନିତ କରାଯାଇଛି।

କୁଷ୍ଠ ନିରାକରଣ ନିମନ୍ତେ ବହୁଳ ବ୍ୟବହୃତ ଔଷଧ ଡାପସୋନକୁ ପୁନଃ ରୁପାନ୍ତରିତ କରି ଶଶାଙ୍କ ଦ୍ୱାରା ସୃଷ୍ଟ ଔଷଧ କୁଷ୍ଠ ରୋଗ ବିରୁଦ୍ଧରେ ଏକ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି।

‘ସୃଷ୍ଟି ଆଣ୍ଡ ହନି ବି ନେଟୱର୍କ ଫାଉଣ୍ଡେସନ୍’ ଦ୍ୱାରା ପ୍ରାୟୋଜିତ ଏହି ପୁରସ୍କାରକୁ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟାନାଇଡୁ ନିକଟରେ ଶଶାଙ୍କଙ୍କୁ ପ୍ରଦାନ କରିଛନ୍ତି । ନୂଆ ଦିଲ୍ଲୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭୂବିଜ୍ଞାନ ବିଭାଗର କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡଃ ରେଣୁ ସ୍ୱରୂପ ପ୍ରମୁଖ ଉପସ୍ଥିତ ଥିଲେ ।

ଶଶାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ପ୍ରଫେସର ଆର୍. ଏନ୍ ପାଢ଼ି ଏବଂ ସୋଆର ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସର ପ୍ରଫେସର ପି. ସୁଧୀର କୁମାରଙ୍କ ମିଳିତ ତତ୍ତ୍ୱାବଧାନରେ ତାଙ୍କ ରିସର୍ଚ୍ଚ କାର୍ଯ୍ୟ ଜାରି ରଖିଛନ୍ତି ।

ନିଜ ଉଦ୍ଭାବନା ସମ୍ପର୍କରେ ସୂଚନା ଦେଇ ଶଶାଙ୍କ କହିଛନ୍ତି, ଡାପସୋନ୍ ବ୍ୟବହାର ପରେ ଏହା ଶରୀରରେ କାମ କରିବାକୁ ୬ ରୁ ୮ ମାସ ଲାଗୁଥିବା ବେଳେ ଏହି ନୂତନ ଔଷଧ ମାତ୍ର ୩ ମାସ ମଧ୍ୟରେ କାମ କରୁଛି । ଯାହାକି କୁଷ୍ଠ ରୋଗ ଚିକିତ୍ସାକୁ ନୂଆ ଦିଗ ଦେଖାଇବ । ଏହାକୁ ସିଙ୍ଗଲ୍ ଡୋଜ୍ ଭାବେ ବ୍ୟବହାର କରାଯାଇପାରିବ । ଏଲୋପାଥିକ ପଦ୍ଧତିରେ କୁଷ୍ଠ ରୋଗ ଚିକିତ୍ସା ପାଇଁ ଏମଡିଟି ବ୍ୟବହାର ହେଉଛି । ତିନୋଟି ମେଡିସିନ୍ ଡାପସୋନ୍, ରିଫାମ୍ପିସିନ୍ ଓ କ୍ଲୋଫାଜାଇମିନକୁ ନେଇ ମଲ୍ଟି ଡ୍ରପ୍ ଥେରାପି ବ୍ୟବହାର କରାଯାଇଛି । ତେବେ ଏଥିରେ ଡାପସୋନ୍ ହେଉଛି ମୁଖ୍ୟ ଔଷଧ । ତେଣୁ ଡାପସୋନକୁ ବିକଶିତ କରିବାକୁ ସେ ଗବେଷଣା କରୁଛନ୍ତି ।

ନିକଟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ପକ୍ଷରୁ ଆଇସିଏମଆର୍ ୟଙ୍ଗ୍ ସାଇନଟିଷ୍ଟ ଭାବେ ଶଶାଙ୍କ ମନୋନୀତ ହୋଇଥିବା ବେଳେ ଆଇସିଏମଆର୍- ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର୍ (ଆରଏମଆରସି) ଭୁବନେଶ୍ୱରର ମିଳିତ ସହଯୋଗରେ ଜାରି ରହିଥିବା ଟ୍ୟୁବରକ୍ୟୁଲୋସିସ୍ ରୋଗର ଔଷଧର ଉନ୍ନତି କ୍ଷେତ୍ରରେ ମଧ୍ୟ ଗବେଷଣା କାର୍ଯ୍ୟରେ ସାମିଲ୍ ଅଛନ୍ତି । ଆରଏମଆରସିର ନିର୍ଦ୍ଦେଶକ ଡଃ ଏସ୍ ପତି ଏବଂ ଅନ୍ୟ ଦୁଇ ବୈଜ୍ଞାନିକ ଡଃ ଟି. ହୁସେନ୍ ଏବଂ ଡଃ ଟି. ଦାସଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରୁଛନ୍ତି ।

ପୂର୍ବରୁ ବିଭିନ୍ନ ଔଷଧର ଉନ୍ନତି ନେଇ ଗବେଷଣା କରୁଥିବା ଶଶାଙ୍କ ୨୦୧୭ ପାଇଁ ସନ୍ ଫାର୍ମା ସାଇନ୍ସ ସ୍କଲାର୍ସ ଏବଂ ଓଡ଼ିଶା ୟଙ୍ଗ ଇନୋଭେସନ୍ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.