ବାପା
ରାଜେନ୍ଦ୍ର ଗିରି
ବାପା ! ବେଳେ ବେଳେ ଇଚ୍ଛା ହୁଏ
ହାତ ବୁଲେଇ ପରଖିବାକୁ
ଅୟୁତ ଓଜନକୁ ଆୟତ କରୁଥିବା
ତୁମର ସେଇ ଟାଣ ଛାତିକୁ ।
ସଂସାରଯାକର ଦୁଃଖ-ଯନ୍ତ୍ରଣାକୁ
କେମିତି ଲୁଚେଇ ରଖ ଯେ!
ବୁଢ଼ୀ ଅସୁରୁଣୀର ଖୋଳପା ପରି,
ଏକ ପ୍ରବୀଣ ଅଭିନେତା ପରି
ତୁମେ-ବି ବେଳେବେଳେ ମେକପ ନିଅ
ସେତା ମୁହଁଟି ଉପରେ
ପରସ୍ତେ ହସର ରଙ୍ଗ ଲେପି ।
ବାପା! ବେଳେବେଳେ ଇଚ୍ଛା ହୁଏ
ମନଭରି ଶୁଙ୍ଘି ଚାଲିବାକୁ
ଲୁହଲହୁକୁ ପୋଛିଥିବା
ତୁମର ସେଇ ଲାଲି ଗାମୁଛାକୁ ।
ମୋ ଅଳି ଟିକକ ପୂରଣ ପାଇଁ
ମୋ ଭବିଷ୍ୟତର ସ୍ବପ୍ନ ଦେଖି
ନିଜ ସୁଖସବୁକୁ ଫାଶି ଟଙ୍ଗେଇ ଦିଅ
ଆଲମାରିର କଣ୍ଟା ଦେହରେ
ଠିକ୍, ତୁମ ଧଳା ପାଇଜାମା ପରି ।
ବାପା ! ବେଳେ ବେଳେ ଇଚ୍ଛା ହୁଏ
କାନ ଡେରି ଶୁଣିବାକୁ
କଷଣମାନଂକୁ ହଜମ କରିଥିବା
ତୁମ ପେଟ ଭିତରର ଶବ୍ଦଗୁଡ଼ିକୁ ।
ବେଳେ ବେଳେ ଈର୍ଷା ହୁଏ
ତୁମ ଚପଲ ହଳକୁ ଦେଖିଲେ
ସେ ବି ତୁମଠାରୁ ସବୁ ଶିଖିଗଲାଣି
କେମିତି, ସହିବାକୁ ହୁଏ ଓଠ ଚିପି
ଏଇ ଦେଖୁନା
ତା’ ପିଠିରେ ଚଦ୍ର ପରି ଗୋଟେ କଣା
ତଥାପି ସେ ନିର୍ବିକାର
ଠିକ୍ ତୁମରି ପରି ।
…………………………
ଭୋଗରାଇ,ବାଲେଶ୍ୱର
୭୮୭୩୫୭୦୯୩୮