Latest Odisha News

BREAKING NEWS

ଘଡି ତିଆରି କରୁଥିବା କମ୍ପାନୀ କରିଥିଲା ମୋରବି ଝୁଲା ପୋଲ ମରାମତି

ଅହମଦାବାଦ: ଗୁଜରାଟର ମୋରବି ସହରରେ କେବୁଲରେ ତିଆରି ଝୁଲା ପୋଲ ଭୁଶୁଡ଼ିବା ପରେ ଓରେଭା ଗ୍ରୁପ ସ୍କାନରକୁ ଆସିଛି। ସିଏଫ୍ଏଲ୍ ବଲ, କାନ୍ଥ ଘଣ୍ଟା ଏବଂ ଇ-ବାଇକ୍ ତିଆରି କରିବାରେ ଅଭିଜ୍ଞତା ହାସଲ କରିଥିବା ଏହି କମ୍ପାନୀ କିପରି ଝୁଲା ପୋଲ ମରାମତି ପାଇଁ ଠିକା ପାଇଲା ତାହା ଏବେ ପ୍ରଶ୍ନ ଘେରରେ। ଗୁଜରାଟର ମୋରବି ସହରର ମଛୁ ନଦୀରେ ଝୁଲା ପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସୋମବାର ସୁଦ୍ଧା ୧୩୪ କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ। କାରଣ ଅନେକ ଏବେ ବି ନିଖୋଜ ରହିଛନ୍ତି। ଏହି ଓରେଭା କମ୍ପାନୀ ଦେଶର ଜଣାଶୁଣା କମ୍ପାନୀ ଅଜନ୍ତା ଗୁପ ଅଧୀନରେ ରହିଛି।

ଦୀର୍ଘ ଦଶନ୍ଧି ପୂର୍ବରୁ ରାଘବଜୀ ପଟେଲଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ପ୍ରସିଦ୍ଧ ଅଜନ୍ତା ଏବଂ ଅର୍ପାଟ ବ୍ରାଣ୍ଡ ଅଧୀନରେ କାନ୍ଥ ଘଣ୍ଟା ତିଆରି କରିଥାଏ। ନିକଟରେ ପଟେଲଙ୍କର ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି। ୧୯୭୧ ମସିହାରେ ୪୫ ବର୍ଷ ବୟସରେ ହାତ ଘଣ୍ଟା ବ୍ୟବସାୟ କରିବା ପୂର୍ବରୁ ସେ ଏକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିଲେ। ପ୍ରାୟ ୮୦୦ କୋଟି ଟଙ୍କା ଆୟ ସହିତ ଅଜନ୍ତା ଗ୍ରୁପ୍ ବର୍ତ୍ତମାନ ଘରୋଇ ଏବଂ ବୈଦ୍ୟୁତିକ ଉପକରଣ, ଇଲେକ୍ଟ୍ରିକ୍ ଲ୍ୟାମ୍ପ, କାଲକୁଲେଟର, ସେରାମିକ୍ ଉତ୍ପାଦ ଏବଂ ଇ-ବାଇକ୍ ଉତ୍ପାଦନ କରୁଛି।

ମାଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ ମରାମତି ପାଇଁ ୭ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା ଏବଂ ଗୁଜୁରାଟୀଙ୍କ ନୂଆ ବର୍ଷ ଅବସରରେ ୨୬ ଅକ୍ଟୋବରରେ ଏହି ଝୁଲା ପୋଲ ଖୋଲାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଓରେଭା ଗ୍ରୁପକୁ ପୋଲର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଠିକା ପ୍ରଦାନ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଫିଟନେସ୍ ସାର୍ଟିଫିକେଟ୍ ବିନା ବ୍ରିଜ ଖୋଲାଯାଇଛି।

ଏବେ ପ୍ରଶ୍ନ ଉଠିଛି ଯେ ବ୍ରିଜ ନିର୍ମାଣରେ କୌଣସି ଅଭିଜ୍ଞତା ନଥିବା ଏକ ଘଣ୍ଟା ତିଆରି କମ୍ପାନୀ କିପରି ଠିକା ପାଇଲା। ଦ୍ୱିତୀୟରେ ଏହି କାମ ୫୦ ଲକ୍ଷରୁ ଅଧିକ ବଜେଟ୍ ରହିଛି। ଏପରି ସ୍ଥିତିରେ ବିନା ଟେଣ୍ଡରରେ କାହିଁକି ଦିଆଗଲା ? ନିୟମ ଅନୁଯାୟୀ, ଯଦି କୈଣସି ପ୍ରକଳ୍ପର ବଜେଟ୍ ୫୦ ଲକ୍ଷରୁ ଅଧିକ ତେବେ ଟେଣ୍ଡର ପ୍ରକ୍ରିୟା ବାଧ୍ୟତାମୂଳକ।

ଏହି ବ୍ରିଜ ନବୀକରଣ କରିବା ପରେ କମ୍ପାନୀ ୨୬ ଅକ୍ଟୋବରରେ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା। କିନ୍ତୁ ମୋରବି ପୌରପାଳିକା ଦାବି କରିଛି,  ବ୍ରିଜ ଖୋଲିବାକୁ ଅନୁମତି ଦିଆଯାଇ ନଥିଲା। ଏଭଳି ପରିସ୍ଥିତିରେ ୨୬ ଅକ୍ଟୋବରରେ ବ୍ରିଜ ଖୋଲିବା ପରେ ଏବଂ ୩୦ ଅକ୍ଟୋବରରେ ଦୁର୍ଘଟଣା ପୂର୍ବରୁ ମୋରବି ପୌରପାଳିକା କିପରି ଜାଣିପାରିନଥିଲା ବୋଲି ପ୍ରଶ୍ନ ଉଠିଛି। ଯଦି ପୋଲ ଖୋଲା ହୋଇଛି ବୋଲି ପ୍ରଶାସନ ଜାଣିଲା ତାହେଲେ କାହିଁକି ବନ୍ଦ କରାଗଲା ନାହିଁ?

Comments are closed.