Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର ପ୍ରଥମ ମନ୍ଦିର ଶ୍ରୀ ସତ୍ୟନାରାୟଣ ମନ୍ଦିର କଥା ଆମେ ଆଲୋଚନା କରୁଛେ। ଏହି ମନ୍ଦିରଟି ପ୍ରାୟ ୨୫ ଫୁଟ ଉଚ୍ଚା ଓ ପଞ୍ଚ ରଥ ବିଶିଷ୍ଟ ଅଟେ। ମନ୍ଦିର ସମ୍ମୁଖରେ ଏକ ମୁଖଶlଳା (ମଣ୍ଡପ )ଅଛି ଓ ଏହା ଉତ୍ତରlଭିମୁଖୀ ଅଟେ । ଐତିହାସିକମାନେ କୁହନ୍ତି ଏହି ମନ୍ଦିରଟି ଦିବ୍ୟସିଂହ ଦେବଙ୍କ ସାନ ଭାଇ ହରେକୃଷ୍ଣ ଦେବଙ୍କ ପ୍ରଥମ ରାଣୀ “ସତ୍ୟଭାମା ପାଟମହାଦେଈ “ଙ୍କ ଦ୍ୱାରା ନିର୍ମିତ୍ତ ହୋଇଛି। ତେଣୁ ପାଟ ମହାଦେଈଙ୍କ ନାମରେ ନାରାୟଣ ମନ୍ଦିର ନାମିତ ହୋଇ ପ୍ରଭୂ ଶ୍ରୀ ସତ୍ୟନାରାୟଣ ବିଜେ କରିଛନ୍ତି। ସେ ଯାହା ହେଉ ସତ୍ୟପୀର +ନାରାୟଣ (ଶ୍ରୀ ସତ୍ୟନାରାୟଣ ) ଅବା ସତ୍ୟଭାମା ପ୍ରତିଷ୍ଠିତ ନାରାୟଣ ଶ୍ରୀ ସତ୍ୟନାରାୟଣ ବିଗ୍ରହ କଳା ମୁଗୁନି ପଥରରେ ନିର୍ମିତ୍ତ ଚତୃଭୁଜ ମୂର୍ତ୍ତି ଅଟନ୍ତି। ପାଦପୀଠକୁ ମିଶାଇ ଏହା ୫ ଫୁଟ ୧୦ ଇଞ୍ଚ ଅଟନ୍ତି। ଏହି ବିଗ୍ରହଙ୍କ ଦୁଇ ପାର୍ଶ୍ଵରେ ଶ୍ରୀଦେବୀ ଓ ଭୁଦେବୀ ବିଦ୍ୟମାନ। ସୁନ୍ଦର ଭାସ୍କର୍ଯ୍ୟରେ ପୂର୍ଣ୍ଣ ସର୍ବାଙ୍ଗ ଶରୀର ଅତ୍ୟନ୍ତ ମନୋରମ ଅଟେ। ଉପର ଡାହାଣ ହସ୍ତରେ ଚକ୍ର, ଉପର ବାମ ହସ୍ତରେ ଶଙ୍ଖ, ତଳ ଡାହାଣରେ ଅଭୟ ମୁଦ୍ରା ଓ ବାମରେ ଗଦା ଶୋଭା ପାଉଛି। ସତ୍ୟନାରାୟଣଙ୍କ କର୍ଣ୍ଣରେ କୁଣ୍ଡଳ, ଗଳାରେ ହlର ଓ ପ୍ରତ୍ୟେକ ହସ୍ତ ରେ ଦୁଇ ଯୋଡ଼ା ଖଡୁ ଦୃଶ୍ୟମାନ ହେଉଛି। ଏହି ବିଗ୍ରହଙ୍କ ପାଦ ଦେଶରେ ନତଜାନୁ ହୋଇ ଦକ୍ଷିଣ ଦିଗରେ ଗରୁଡ଼ ଉପବେଶନ କରିଛନ୍ତି।

ସମଗ୍ର ପୀଠଟି ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ। ପୀଠର ଉପର ପାର୍ଶ୍ୱରେ ଅପସରା, କିନ୍ନରୀଙ୍କ ମୂର୍ତ୍ତି ଖୋଦିତ ହୋଇଛି। ଏହି ଠାରେ ଗୋଟିଏ କଥା କହିବl ସମିଚିନ ହେବ ଯେ ଶ୍ରୀ ସତ୍ୟନାରାୟଣଙ୍କ ପାର୍ଶ୍ଵ ଦେବୀ ଭାବରେ ଥିବା ଦୁଇ ଦେବୀ ମୂର୍ତ୍ତିଙ୍କୁ କେହି କେହି ଜୟା -ବିଜୟା ଅବା କେହି କେହି ଲଷ୍ମୀ-ସରସ୍ବତୀ ବୋଲି କହିଥାନ୍ତି। ତେବେ ଶ୍ରୀଜଗନ୍ନାଥଙ୍କ ପାଖରେ ଶ୍ରୀଦେବୀ -ଭୁଦେବୀ ରହୁଥିବାରୁ ତାଙ୍କରି ସ୍ୱରୂପ ସତ୍ୟନାରାୟଣଙ୍କ ପାର୍ଶ୍ଵ ଦେବୀଙ୍କୁ ମଧ୍ୟ ଶ୍ରୀଦେବୀ ଓ ଭୁଦେବୀ ବୋଲି ସ୍ୱୀକାର କରାଯାଇଛି। ଆଗାମୀ ଅଧ୍ୟlୟରେ ଏହି ମନ୍ଦିରରେ ସେବା ପୂଜା ଇତ୍ୟାଦି ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ।

ଏଣୁ ସ୍ୱଧର୍ମେ ମୋର ପାଦେ
ଯେ ନର ଭଜେ ଅପ୍ରମାଦେ ।
ସେ ମୋତେ ଦେଖେ ସର୍ବ ଭୁତେ
ଯେ ରୂପେ ଅଛି ମୁଁ ଜଗତେ ।
ମୋର ଭକତି ବିନୁ ଆନେ
ସେ ନର କିଛି ହିଁ ନ ଜାଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.