ସମକାଳୀନ ଓଡ଼ିଆ ସାହିତ୍ୟରେ ଶୁଭଶ୍ରୀ ମହାରଣା ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।
, ଶାଶ୍ବତୀ, ମୋହମଗ୍ନା ଆଦି କବିତା ସଙ୍କଳନ ସହ ଆହୁରି ଅନେକ କାଳଜୟୀ ସୃଷ୍ଟିର ସେ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।
କବୀ ଶୁଭଶ୍ରୀ ମହାରଣାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
୧. ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?
ସାତ ବର୍ଷ ବୟସରେ ଓଡ଼ିଆ ଶ୍ରୀମଦ୍ ଭଗବତ୍ ଗୀତା ଜେଜେବାପାଙ୍କ ହାତରୁ ଛଡ଼େଇ ଆଣି ପଢ଼ିବାର ଅହେତୁକ ଆଗ୍ରହର ବିନିମୟରେ ବୋଧେ ମୁଁ ସାହିତ୍ୟକୁ ପାଇଛି। ପ୍ରକୃତରେ ସେଇ ଦିନରୁ ସାହିତ୍ୟ ପ୍ରତି ଆଗ୍ରହ ଆରମ୍ଭ ହେଲା ।
୨. କବିତାର ବ୍ୟାଖ୍ୟା କେମିତି କରିବେ ?
କବିତାର ବ୍ୟାପ୍ତି ଏତେ ଅଧିକ ଯେ ତାର ବ୍ୟାଖ୍ୟା କରିବା ମୋ ପକ୍ଷେ କଷ୍ଟସାଧ୍ୟ । ଜଣେ ଯଦି ଜଣକୁ ନିଜଠୁ ଅଧିକ ଭଲ ପାଉଥିବ ତା’ର ବ୍ୟାଖ୍ୟା କେଉଁ ସେ କରିପାରିବ ? କେବଳ ଏତିକି, ସେ ଥିଲେ ବଞ୍ଚିବାର ରାହା ମିଳୁଥିବ। କବିତାର ବ୍ୟାପ୍ତି ବିଷୟରେ କେଉଁଠି ଗୋଟେ ପଢ଼ିଥିଲି କବିତା ମାୟାବିନୀ । ରାତି ଅଧେ ଆସେ ନିଦରୁ ଉଠାଏ ଓ ହଠାତ୍ କୁଆଡ଼େ ଚାଲିଯାଏ। ମୋତେ ବି ସେମିତି ହିଁ ଲାଗେ । ଛାତି ତଳର ଅସ୍ପଷ୍ଟ ଭାବନାକୁ ଅକ୍ଷରରେ ଚିତ୍ରିତ କରିବାର ଚେଷ୍ଟା ହିଁ କବିତା।
ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ ବୋଲି କୁହାଯାଏ । ଆପଣ ଏପରି ଭାବିଛନ୍ତି କି ?
ନା, ସେମିତି କେବେ ବି ଅନୁଭବ ହୋଇନାହିଁ। ସଭିଙ୍କ ନିଜ ନିଜ ରୁଚି ଥାଏ। ନିଜର ରୁଚି ମୁତାବକ୍ ପାଠକଟିଏ ଗପ ଓ କବିତାକୁ ବାଛେ । କବିତାର କାଦମ୍ବରୀ ଯିଏ ପିଇଛି ସେ ହିଁ ଜାଣିଛି କବିତାର ସ୍ବାଦ। କବିତାର ପାଠକ ଆଗରୁ ଥିଲେ ଏବେ ବି ଅଛନ୍ତି ଆଗକୁ ବି ରହିବେ ଓ କବିତାର ପ୍ରେମରେ ଜୀବନକୁ ନିକଟରୁ ଭୋଗିବେ।
୪. ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?
ପୁରସ୍କାର ଓ ପରିଚିତି କେବେ ହେଲେ ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରେ ନାହିଁ ବଂର ତାର ସର୍ଜନରେ ବାଧା ସୃଷ୍ଟି କରେ ବୋଲି ମୋର ନିଜସ୍ଵ ମତ। ଜଣେ ସାହିତ୍ୟିକ ପାଇଁ ପାଠକୀୟତା ଆଦୃତି ଠାରୁ ବଡ଼ ପୁରସ୍କାର ବୋଧହୁଏ କିଛି ନାହିଁ। ଜଣେ ସାହିତ୍ୟିକକୁ ସାଧନା ହିଁ ଅଧିକ ସର୍ଜନଶୀଳ କରେ।
୫. ଆପଣଙ୍କ ସୃଜନୀର ଗତିଶୀଳତା ଉପରେ କିଛି କୁହନ୍ତୁ ?
ସମୟ ଓ ମୋର ମୁଡ଼୍ ଅନୁଯାୟୀ ମୋର ସର୍ଜନା ବି ପରିବର୍ତ୍ତନଶୀଳ। ଇଚ୍ଛା ହେଲେ କେବେ କେବେ ଚିତ୍ର ଆଙ୍କିବା ସହ ଗୀତ ଲେଖେ ଓ ସ୍ବର ଦେଇ ନିଜେ ନିଜେ ଗୁଣୁଗୁଣେଇ ହୁଏ। କବିତା ଲେଖାରେ ବି ସେମିତି, ପ୍ରଥମେ ପ୍ରଥମେ ଗୀତି କବିତା ଲେଖୁଥିଲି ଏବେ ଆଧୁନିକ କବିତା ଆଡ଼କୁ ମୁହାଁଇଛି। ଦେଖାଯାଉ କବିତାର କରୁଣା କେତେ ଦିନ ମିଳୁଛି!
୬. ଆପଣଙ୍କ ବୃତ୍ତି ସାହିତ୍ୟ ସର୍ଜନା ପାଇଁ କେତେମାତ୍ରାରେ ସହାୟକ ହୋଇଥାଏ ?
ମୋର ବୃତ୍ତି ମୋର ସାହିତ୍ୟ ସର୍ଜନା ପାଇଁ ବିଶେଷ ଭାବେ ସହାୟକ ହୋଇଛି। ବ୍ୟାକରଣଗତ ଶୁଦ୍ଧି ଏବଂ ଶବ୍ଦ ବୃଦ୍ଧିରେ ଯେତିକି ସହାୟକ ହୋଇଛି ବିଭିନ୍ନ ଲେଖକଙ୍କ ଲେଖା ପଢ଼ିବାରେ ମଧ୍ୟ ସେତିକି ସହାୟକ ହୋଇଛି।
୭. କେବେ ନିଜ ରଚନାର ସମୀକ୍ଷା କରିଛନ୍ତି କି ? ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ସମୀକ୍ଷା କରିବା କାମ ପାଠକ ଓ ସମୀକ୍ଷକଙ୍କର। ତାକୁ ସହୃଦୟରେ ମଧ୍ଯ ଗ୍ରହଣ କରିବା ଦରକାର। ମୁଁ କେବେ ମୋର ସମୀକ୍ଷା କରି ନାହିଁ, ବୋଧେ ସମ୍ଭବ ବି ନୁହଁ। ମୁଁ ମୋର ସାହିତ୍ୟ ସାଧନାରେ ଥାଏ, କବିତା ତାର ନିଜ ଇଚ୍ଛାରେ ଲେଖେଇ ହୁଏ। ଆଉ ନିଜର ସନ୍ତାନ ସନ୍ତତିଙ୍କ ସମୀକ୍ଷା କରାଯାଇ ପାରେ କି! ମୋର ରଚନାର ସମୀକ୍ଷା କରିବା ମୋ ପାଇଁ ଠିକ୍ ସେମିତି।
୮. ସମ୍ପ୍ରତି ସାହିତ୍ୟ ସହ ସାମାଜିକ ଗଣମାଧ୍ୟମ ଓତଃପ୍ରୋତ ଭାବରେ ଜଡିତ । ତେବେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?
ତର୍କ ବିତର୍କଠାରୁ ମୁଁ ଖୁବ୍ ଦୂରରେ। ସାମାଜିକ ଗଣମାଧ୍ୟମରେ ଚାଲିଥିବା ତର୍କ ଅନେକ ସମୟ ନଷ୍ଟ କରେ ବୋଲି ମୋର ଧାରଣା।
୯. ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି ,ଏ ବିଷୟରେ କ’ଣ କହିବେ? ଏପରି ହେବା ଦ୍ବାରା ଆମର ଅନେକ ଶବ୍ଦ ଧିରେ ଧିରେ ବିଲୁପ୍ତ ହୋଇଯିବାର ଭୟ ରହିଛି କି ?
ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଲେ ବି ଓଡ଼ିଆ ଶବ୍ଦ ଭଣ୍ଡାର ଖୁବ୍ ସମୃଦ୍ଧ ଓ ଶକ୍ତିଶାଳୀ। ଓଡ଼ିଆ ଶବ୍ଦ ଭଣ୍ଡାରରେ ଥିବା ଅନେକ ଶବ୍ଦ ଠାରୁ ମତେ ଯୋଉ ମିଠାପଣ ମିଳିଛି ତାହା ବେଳେବେଳେ ଇଂରାଜୀ ଶବ୍ଦରେ ମୁଁ ପାଇନି । ତେଣୁ ମୁଁ ଚିରକାଳ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରେମରେ ।
୧୦. ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କ’ଣ ସ୍ଵପ୍ନ ଦେଖନ୍ତି ?
କବିତା କାହା ପାଇଁ କଣ ମୁଁ କହି ପାରିବିନି, ହେଲେ କବିତା ମୋତେ ବଞ୍ଚିବାର ବାଟ ଦେଖେଇଛି। ଏକାକୀତ୍ବରୁ ଆଣି ଶବ୍ଦର ଭିଡ଼ ଭିତରେ ଛିଡ଼ା କରେଇ ଦେଇଛି। ତେଣୁ କବିତା ମୋ ପାଇଁ ପ୍ରାର୍ଥନାର ଭାଷା । ମୁଁ କବିତା ଲେଖେ କି ନ ଲେଖେ କବିତାରେ ବଞ୍ଚିବା ଓ କବିତାରେ ମରିବା ମୋର ସ୍ବପ୍ନ, ୟା ବ୍ୟତୀତ ସାହିତ୍ୟ ଓ କବିତାକୁ ନେଇ କିଛି ସ୍ବପ୍ନ ଏଯାଏଁ ଦେଖିନି।
Comments are closed.