Latest Odisha News

ରାଜଧାନୀରେ ଦମ୍ ଦେଖାଇଲେ ଅଙ୍ଗନବାଡି ଦିଦି

ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି। ଏପରି ଅଭିଯୋଗ ଆଣି ସୋମବାର ହଜାର ହଜାର ଅଙ୍ଗନବାଡି କର୍ମୀ ଲୋୟର ପିଏମଜି ଛକରେ ଧାରଣା ଦେବା ଆରମ୍ଭ କରିଛନ୍ତି। ସେପଟେ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

ଏ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଅଙ୍ଗନବାଡି କର୍ମୀଙ୍କ ପାଇଁ ଯଦି ଅର୍ଥ ଆବଣ୍ଟନ କରନ୍ତି। ତାହେଲେ ଆଲୋଚନା ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ସେମାନଙ୍କ ଦାବି ମଧ୍ୟରେ ସରକାରୀ କର୍ମଚାରୀ ମାନ୍ୟତା, ଅବସର ପରେ ମାସିକ ୫ ହଜାର ଟଙ୍କା ପେନସନ ଓ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ରହିଛି। ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ବିରୋଧରେ ଅଙ୍ଗନବାଡି କର୍ମୀମାନେ ରାଜ୍ୟବ୍ୟାପୀ ୬୦ ହଜାର ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିଛନ୍ତି।

ଅଙ୍ଗନବାଡି କର୍ମୀଙ୍କ ଯୋଗୁଁ ରାଜ୍ୟ ସରକାରଙ୍କ ମମତା ଯୋଜନା ଓ ହରିଶଚନ୍ଦ୍ର ଯୋଜନା ଭଳି ମହତ୍ୱାକାକ୍ଷୀ ଯୋଜନା ସଫଳ ହୋଇପାରିଛି ବୋଲି ସେମାନେ ଦାବି କରିଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଉନାହାନ୍ତି।
ସେମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯାଉଛି।

ବରିଷ୍ଠ ଅଙ୍ଗନବାଡି କର୍ମୀ ମାସିକ ୭ ହଜାର ୫ ଶହ ଟଙ୍କା ଦରମା ପାଉଥିବା ବେଳେ ମିନି ଅଙ୍ଗନବାଡି କର୍ମୀ ମାସିକ ୫ ହଜାର ୫ ଶହ ଟଙ୍କା ଦରମା ପାଉଛନ୍ତି ଯାହା ଗୋଟିଏ ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେମାନେ କହିଛନ୍ତି। ଅନ୍ୟ ଜଣେ ଆନ୍ଦୋଳନକାରୀ କହିଛନ୍ତି, “ଆମେ ସେମାନଙ୍କ ଦାବିକୁ ସମର୍ଥନ କରି ରାଜ୍ୟ ସରକାରଙ୍କୁ ଅନେକ ଥର ଚିଠି ଲେଖିଥିଲୁ।
କିନ୍ତୁ ସରକାର ଏହି ଚିଠିର କୌଣସି ଉତ୍ତର ଦେଇନାହାନ୍ତି। ବରଂ ସରକାର ଆମକୁ ଅପମାନିତ କରି ଆମ ଉପରେ ଅଧିକ ବୋଝ ଲଦିଦେଲେ।

ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡି ଓ୍ୱାର୍କର୍ସ ଆସୋସିଏସନର ସଭାପତି ସୁମିତ୍ରା ମହାପାତ୍ର କହିଛନ୍ତି, ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ଟ୍ୟାଗ୍ ମିଳିବା ଜରୁରୀ। ସରକାର ଅଙ୍ଗନବାଡି କର୍ମୀଙ୍କୁ ୧୮ ହଜାର ଟଙ୍କା ଓ ସହାୟକଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା ନିହାତି ଆବଶ୍ୟକ। ଏହାବ୍ୟତୀତ ଆମର ୫ ହଜାର ଟଙ୍କା ପେନସନ ଦାବି ପୂରଣ ହେବା ଆବଶ୍ୟକ। ଯଦି ଆମର ଦାବି ପୂରଣ ନହୁଏ, ତେବେ ଆମର ଆନ୍ଦୋଳନ ଶେଷ ହେବ ନାହିଁ।

Comments are closed.