Latest Odisha News

ମୋଦୀ ଚାଷୀଙ୍କ ପାଇଁ ଟଙ୍କା ପଠାଉଛନ୍ତି, ବିଜେଡି ସରକାର ଏଠି ହଡ଼ପ କରୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେଡି ସରକାର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ହଡ଼ପ କରୁଛି। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏପରି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କିନ୍ତୁ ସ୍ପଷ୍ଟ ଇଙ୍ଗିତ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଧାନ କିଣା ସମସ୍ୟାର ସ୍ଥାୟୀ ସମାଧାନ ହେଉ ବୋଲି ଆମେ ଚାହୁଁଛୁ। ବେଳେବେଳେ ସେମାନେ (ବିଜେଡି) ବିଧାନସଭାରେ ଅଭିଯୋଗ କରୁଛି ଯେ କେନ୍ଦ୍ର ପ୍ରତିଶ୍ରୁତି ମୁତାବକ ଅର୍ଥ ଦେଉନାହିଁ। ଆପଣ ଅନେକ ଥର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଧାନ କିଣା ସମସ୍ୟା ନେଇ ଆପଣ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ବିଷୟରେ ମୁଁ କେବେ କୌଣସି ଖବରକାଗଜରେ ପଢ଼ିନାହିଁ କିମ୍ବା ଗଣମାଧ୍ୟମ ଆଗରେ ଆପଣ ଏ ବିଷୟରେ ବିବୃତ୍ତି ଦେଉଥିବା ମୁଁ କେବେ ଶୁଣି ନାହିଁ’।

“୨୦୧୫ରେ ଆପଣ ବରଗଡ଼ର ସୋହେଲାଠାରେ ଅନୁଷ୍ଠିତ ଏକ ସଭାରେ କହିଥିଲେ ଯେ, କେନ୍ଦ୍ର ସରକାର ଦେଇଥିବା ଟଙ୍କା ବ୍ୟତୀତ ଆପଣ ୧୦୦ ଟଙ୍କା ଅତିରିକ୍ତ ଦେବେ। ଧାନ ସଂଗ୍ରହ ପାଇଁ ଆପଣ ପକେଟରୁ ଟଙ୍କାଟିଏ ବି ଦେଉନାହାନ୍ତି। କିନ୍ତୁ, ଆପଣ ମିଲର୍ସଙ୍କ ସହ ମିଶି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ହଡପ କରୁଛନ୍ତି। କୁନା ପୁରୋହିତ ବିଧାନସଭା ଯିବେ ବୋଲି ଭାଗ୍ୟ ନିର୍ଦ୍ଧାରଣ ହୋଇଛି। ଏହି ସିଣ୍ଡିକେଟର ଚେର ଯେତେ ଗଭୀର ହୋଇଥିଲେ ମଧ୍ୟ ପଦ୍ମପୁରବାସୀ ଏହାର ମୂଳୋତ୍ପାଟନ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଏହି ନିର୍ବାଚନ ବୋଧହୁଏ ୨୦୨୪ ପୂର୍ବରୁ ବିଜେଡ଼ି ପାଇଁ ଶେଷ ନିର୍ବାଚନ ହୋଇପାରେ। ନବୀନ ବାବୁଙ୍କ ଚେୟାର ଏବେ ଥରିବା ଆରମ୍ଭ କରିଛି। ଆଉ ମାତ୍ର ୧୮ ମାସ। ୨୦୨୪ରେ ନୂଆ ସୂର୍ଯ୍ୟ ଉଦୟ ହେବ ଏବଂ ଆମେ ନୂଆ ଓଡ଼ିଶା ନିର୍ମାଣ କରିବୁ। ତେବେ ବିଜେଡି ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ।

Comments are closed.