Latest Odisha News

ଆଇଟି, ଜିଏସଟି ରେଡ୍ ପ୍ରସଙ୍ଗ: ବିଜେଡି କହିଲା ଯେସାକୁ ତେସା ନୀତି

ଭୁବନେଶ୍ୱର: ସୋମବାର କେନ୍ଦ୍ରର ଆୟକର ବିଭାଗ ସକାଳେ ବିଜେଡିର ତିନି ନେତା ଏବଂ ବ୍ୟବସାୟୀଙ୍କ ଘରେ ରେଡ୍ କରିବା ପରେ ସଂଧ୍ଯାରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ମଧ୍ୟ ୮ଟି ସ୍ଥାନରେ ରେଡ୍ କରିଥିଲା। ଏବେ ଏହି ରେଡକୁ ନେଇ ତେଜିଛି ବୟାନବାଜି। ଏହି ରେଡ୍ ଏକ ରୁଟିନ୍ ରେଡ୍ ଥିଲା ନା ରାଜନୈତିକ ଆକ୍ରୋଶର ପ୍ରତିଫଳନ ତାହା ସ୍ପଷ୍ଟ ହୋଇନି କିନ୍ତୁ ରେଡରୁ ମିଳିଲା କ’ଣ ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଆଜି ପଦ୍ମପୁରରେ ପ୍ରଚାର କରିବା ବେଳେ କହିଛନ୍ତି, ଉଭୟ ଆଇଟି ଏବଂ ଜିଏସଟି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ଯିଏ ଭୁଲ୍ କରିଥିବ ସେ ଦଣ୍ଡ ପାଇବ। ନୀରିହ ଲୋକଙ୍କ ଉପରେ ଆକ୍ରମଣ ନହେଉ। ରାଜନୀତିକୁ ଅପରାଧିକ କରଣ କରାନଯାଉ ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ କହିବା ସହିତ ପୋଲିସ ଡିଜି ନିରପେକ୍ଷ ହୁଅନ୍ତୁ ବୋଲି କହିଛନ୍ତି।

ତେବେ ଏହାକୁ ନେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ରାଜ୍ୟ ସରକାର ଚାହିଁଥିଲେ ଜିଏସଟି ରେଡ୍ ଆଗୁଆ କରିପାରିଥାନ୍ତେ। ହେଲେ ରାଜ୍ୟ ସରକାର ନିରପେକ୍ଷ ନିର୍ବାଚନ ଚାହାନ୍ତି। ଯେପରି କର୍ମ କଲେ ସେପରି ଫଳ ପାଇଲେ। ଯେସାକୁ ତେସା ନୀତିରେ ରେଡ୍ ହୋଇଛି। ଏଭଳି ପରମ୍ପରା ବିଜେପି ଆରମ୍ଭ କରିଛି ବୋଲି ସେ କହିଛନ୍ତି।

ସେହିପରି ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଆଇଟି ରେଡରେ କେନ୍ଦ୍ର ସରକାରଙ୍କ ଭୂମିକା ନାହିଁ। ଏହା ଏକ ସ୍ୱୟଂଚାଳିତ ସଂସ୍ଥା। ରେଡ୍ କେତେବେଳେ କ’ଣ ହେବ ତାହା ପୂର୍ବରୁ ନିର୍ଦ୍ଦାରଣ ହୁଏ। ସରକାର ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ।

ସେହିପରି କଂଗ୍ରେସ ବିଧାୟକ ତାରା ବାହାନୀପତି କହିଛନ୍ତି, ଆୟକର ଓ ଜିଏସଟି ରେଡ୍ ହୋଇନି ବରିଂ ଏହା ହେଉଛି ପଲିଟିକାଲ ରେଡ୍। ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଦଳ ନିଜ ନିଜ ଅସ୍ତ୍ରକୁ ବ୍ୟବହାର କରୁଛନ୍ତି। ବିଜେପି ଇଡ଼ି ଓ ସିବିଆଇକୁ ବ୍ୟବହାର କରୁଛି ଏବଂ ବିଜେଡ଼ି ଜିଏସଟିକୁ ବ୍ୟବହାର କରୁଛନ୍ତି। ଲୋକେ ସବୁ ବୁଝିପାରୁଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ଏହାର ସକରାତ୍ମକ ପ୍ରତିଫଳନ କଂଗ୍ରେସ ଉପରେ ପଡ଼ିବ।

ଉଲ୍ଲେଖଯୋଗ୍ଯ, ଏହି ରେଡରୁ କ’ଣ ମିଳିଛି ଉଭୟ ଆୟକର ବିଭାଗ ଏବଂ ଜିଏସଟି ଟିମ୍ ସ୍ପଷ୍ଚ କରିନାହାନ୍ତି। ଯାହା ଉପରେ ସାରା ରାଜ୍ୟର ନଜର ରହିଛି।

Comments are closed.