Latest Odisha News

‘ଜିଲ୍ଲାପାଳ ଭାବେ ପଦ୍ମପୁରକୁ ଯେମିତି ଦେଖିଥିଲି ଏବେ ବି ସେମିତି, ଲୋକେ ବିକାଶରୁ ବଞ୍ଚିତ’

ଭୁବନେଶ୍ୱର: ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଦାବିକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭ୍ରାନ୍ତିକର ବୋଲି କହି ପାଲଟା ଜବାବ ଦେଇଛନ୍ତି।

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି ଯେ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ବିଜେଡି ଘୋଷଣା କରିଥିଲା। ପ୍ରତିଶ୍ରୁତିକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।

“ଏବେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ବିଜେଡି ପୁଣିଥରେ ଜିଲ୍ଲା କାର୍ଡ ଖେଳିଛି। କିନ୍ତୁ ଗୁରୁବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲି, ଯେତେବେଳେ ସେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ କୌଣସି ଯୋଜନା ନାହିଁ ବୋଲି କହିଥିଲେ”।

ବିକାଶର ଏଜେଣ୍ଡା କଥା କହି ଶ୍ରୀମତି ଷଡ଼ଙ୍ଗୀ କହିଥିଲେ, ମୁଁ ୨୦ ବର୍ଷ ପୂର୍ବରୁ ବରଗଡ଼ ଜିଲ୍ଲାପାଳ ଥିଲି। ପଦ୍ମପୁର ସମେତ ଜିଲ୍ଲାର ସମସ୍ତ ସହର ପୂର୍ବଭଳି ଦେଖାଯାଉଛି ଏବଂ ଏଠିକାର ଲୋକେ ଗତ ୨୦ ବର୍ଷ ଧରି ଅନେକ ବିକାଶରୁ ବଞ୍ଚିତ।

“ଗୋଟିଏ ସମୟ ଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକକୁ ମିଶାଇ ମୋଟ ୧୯୮ଟି ବ୍ଲକର ୩୫% ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଁ ଏବେ ବି ଭାବୁଛି, ସେହି ପ୍ରତିଶ୍ରୁତିର କ’ଣ ହେଲା ବୋଲି”।

ଜନପ୍ରତିନିଧି ଜନତାଙ୍କ ନିକଟରେ ଉତ୍ତରଦାୟୀ। ରାଜ୍ୟର ଜଣେ ଭୋଟର ଭାବେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରୁଛି, ସେ ୨୦୨୧-୨୨ ଆର୍ଥିକ ବର୍ଷର ରିପୋର୍ଟ କାର୍ଡ ସାଢେ ୪ କୋଟି ଓଡ଼ିଆଙ୍କୁ ଦେଖାଇଛନ୍ତି କି? ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଉଛି କି ନାହିଁ ତାହା ଲୋକଙ୍କୁ ଜାଣିବାର ଆବଶ୍ୟକତା ରହିଛି ବୋଲି ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଉପରେ ବିଜେପିର ଆଭିମୁଖ୍ୟକୁ ଦୋହରାଇ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାର ଭାରତୀୟ ରେଳକୁ ଜମି ଯୋଗାଇ ଦେବାର ପରଦିନ ଏହି ପ୍ରକଳ୍ପର କାମ ଆରମ୍ଭ ହେବ।

Comments are closed.