ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ରୂପ ହେଉଛି ନାରୀ । ସେ ହେଉଛି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟ ମମତାରେ ଭରପୂର ଏକ ଜୀବନୀ । ସେ ପରିବାରର ଗୁରୁ ଦାୟିତ୍ୱ ନେବା ସହିତ ନିଜର ଅଧୁରା ସ୍ୱପ୍ନକୁ ମଧ୍ୟ ସାକାର କରିବାରେ ସକ୍ଷମ । କାନଭାସ ଚିତ୍ରକୁ ରଙ୍ଗ ଦେଇ ଜୀବନ୍ତ କରିଦେଇଥାଆନ୍ତି ଓଡ଼ିଶାର ସ୍ୱନାମଧନ୍ୟା ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ ।
ଅନନ୍ୟ ପ୍ରତିଭା ସାଇ କଲ୍ୟାଣୀ ୧୯୬୮ ମସିହା ପବିତ୍ର ଦୋଳ ପୂର୍ଣ୍ଣିମାରେ କୂଆଖିଆ ନିକଟସ୍ଥ ଖଣ୍ଡିପଦାରେ ଜନ୍ମ ଗ୍ରହଣ କରିଥିଲେ। କାନଭାସ୍ ଚିତ୍ରରେ ରଙ୍ଗ ଭରି ତାକୁ ଜୀବନ୍ତ କରିପାରୁଥିବା ଚିତ୍ରଶିଳ୍ପୀ ହେଲେ ସାଇ କଲ୍ୟାଣୀ । ପିଲାଟିବେଳୁ ସେ ତାଙ୍କ ଜେଜେବାପା ତଥା ବାପା କୀର୍ତ୍ତନ ଚନ୍ଦ୍ର ସାହୁ ଏବଂ ମାଆ ସୁଖଲତା ସାହୁଙ୍କ ଠାରୁ ଚିତ୍ରକଳା ସଂପର୍କରେ ପ୍ରେରଣା ପାଇଥିଲେ । ଚିତ୍ରକଳା ବ୍ୟତୀତ ସେ ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ତଥା ମଞ୍ଚରେ ନାଟକ ପରିବେଷଣ କରିବାରେ ମଧ୍ୟ ନିପୁଣା । ତାଙ୍କର ଚିତ୍ରଗୁଡିକ ଦେଶର ବିଭିନ୍ନ ଆର୍ଟ୍ ଗ୍ୟାଲେରୀରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି । ସେ ମଣିଷ ଚେହେରାକୁ ଅବିକଳ ଚିତ୍ରଣ କରିବାରେ ସିଦ୍ଧହସ୍ତା । ଗାଁ ସ୍କୁଲ୍ରେ ଶିକ୍ଷା ଆରମ୍ଭ କରିଥିବା ସାଇ କଲ୍ୟାଣୀ ଭଦ୍ରକ ମହାବିଦ୍ୟାଳୟରେ ହିଁ ଶିକ୍ଷା ସମାପ୍ତ କରିଥିଲେ । ଅନ୍ୟ ଚିତ୍ରଶିଳ୍ପୀଙ୍କ ପରି ସେ କୌଣସି ଆର୍ଟ୍-କଲେଜରୁ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ପିଲାଟିବେଳୁ ଚିତ୍ରକଳା ପ୍ରତି ତାଙ୍କର ଅହେତୁକ ଆକର୍ଷଣ ହିଁ ଆଜି ତାଙ୍କୁ ଏକ ବିଶିଷ୍ଟ ଚିତ୍ରଶିଳ୍ପୀର ମାନ୍ୟତା ଦେଇପାରିଛି ।
ତୁଳୀ ଧରି ଜେଜେବାପା ଶିଖାଇଦେଲେ ଚିତ୍ର ଆଙ୍କିବା
୧୯୮୭ ମସିହାରେ ରମେଶ ଚନ୍ଦ୍ର ସାହୁଙ୍କୁ ବିବାହ କରି ନିଜ ସୁଖର ସଂସାର ଆରମ୍ଭ କରିଥିଲେ, ତାଙ୍କର ସ୍ୱାମୀ ପେସାରେ ଜଣେ ଚାଟାର୍ଡ଼୍ ଆକାଉଟାଣ୍ଟ୍ ଭାବେ କାର୍ଯ୍ୟରତ ଥିବା ବେଳେ ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ ପରିବାରର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ଆର୍ଟ ପେଣ୍ଟିଙ୍ଗ୍ ମଧ୍ୟ ଜାରି ରଖିପାରିଥିଲେ । ପିଲାଦିନେ ପାଠପଢା ସହିତ ତାଙ୍କର ପେଣ୍ଟିଂ କରିବା ନେଇ ପରିବାରରେ କେହି ବିରୋଧ କରିନାହାନ୍ତି ବରଂ ଆଗକୁ ଭଲ ଚିତ୍ର ଆଙ୍କିବାକୁ ପ୍ରେରଣା ଦେଇଛନ୍ତି ତାଙ୍କ ପରିବାରର ସମସ୍ତ ସଦସ୍ୟମାନେ । ଚିତ୍ର ଆଙ୍କିବା ଶିଖିବା ନେଇ ସାଇ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହନ୍ତି ଯେ, “ମୋ ବାପା ଜଣେ ଆର୍ଟିଷ୍ଟ ଥିଲେ ଓ ମୋ ଭାଇ ମଧ୍ୟ ପେଣ୍ଟିଂ କରୁଥାଏ । ଭଗବାନଙ୍କ କୃପାରୁ ମୁଁ ଜଣେ ମେଧାବୀ ଛାତ୍ରୀ ଥିଲି, ସ୍କୁଲ୍ ପରୀକ୍ଷାରେ ଭଲ ମାର୍କ ରଖିବା ସହିତ ପ୍ରଥମ ମଧ୍ୟ ହେଉଥିଲି । ସେଥିପାଇଁ ମା, ବାପା କେହିବି ଚିତ୍ର ଆଙ୍କିବାକୁ ନେଇ କିଛି କହନ୍ତି ନାହିଁ ବରଂ ମୋତେ ଚିତ୍ର ଆଙ୍କିବାକୁ ବେଶ୍ ଉତ୍ସାହିତ କରିଥାନ୍ତି । ପିଲାଦିନେ ପ୍ରକୃତରେ ମୁଁ ଜେଜେଙ୍କ ପାଇଁ ହିଁ ଚିତ୍ର ଆଙ୍କିବାକୁ ବେଶୀ ପ୍ରଭାବିତ ହୋଇଥିଲି କହିଲେ ଭୁଲ୍ ହେବନାହିଁ । ଆଜିବି ମୋର ମନେ ଅଛି ପ୍ରତିଦିନ ସନ୍ଧ୍ୟାରେ ମୋ ଜେଜେବାପା ଆମ ଦୁଇ ଭାଇ-ଭଉଣୀଙ୍କୁ ପାଖରେ ବସାଇ ବିଭିନ୍ନ ଚିତ୍ର ଆଙ୍କିବା ପାଇଁ କହିଥାନ୍ତି, ଆମେ ମଧ୍ୟ ଖୁବ୍ ଉତ୍ସାହ ସହକାରେ ଏବଂ ପ୍ରତିଯୋଗୀ ମନୋଭାବ ରଖି ଚିତ୍ର ଆଙ୍କିଥାଉ ।
ବାପା ହିଁ ମୋ ପ୍ରେରଣାର ଉତ୍ସ…
ମୋ ବାପା କୀର୍ତ୍ତନ ଚନ୍ଦ୍ର ସାହୁ ମଧ୍ୟ ଥିଲେ ଜଣେ ଉଚ୍ଚକୋଟୀର ଚିତ୍ରଶିଳ୍ପୀ । ତାଙ୍କର କଳାକୃତି ସେତେବେଳେ ସମଗ୍ର ଭାରତରେ ପରିଚିତ ହୋଇପାରିଥିଲା, ସେ ମାଟିରେ ବିଭିନ୍ନ ଚିତ୍ର ବା ମୂର୍ତ୍ତି ( ବାରୁଆଲି ) ତିଆରି କରୁଥିଲେ, ଆଉ ସେ ସବୁ ଚଳନ୍ତି (ବିଭିନ୍ନ ଅଂଶ ହଲାଇ ପାରୁଥିôବା) ଥିଲା । ସେଥିପାଇଁ ଛୋଟବେଳୁ ହିଁ ମୁଁ ବାପାଙ୍କର ସୌନ୍ଦର୍ଯ୍ୟମୟ କଳାକୃତ୍ତି ଦେଖି ଆସୁଥିଲି ଓ ବୋଧହୁଏ ବାପାଙ୍କ ସେହି ସୂକ୍ଷ୍ମ କଳାତ୍ମକ କାରୁକାର୍ଯ୍ୟ ହିଁ ମୋତେ ପରୋକ୍ଷରେ ଚିତ୍ର ଆଙ୍କିବା ପାଇଁ ବେଶ୍ ପ୍ରେରଣା ଯୋଗାଇଥିଲା ।
ମୁଁ ୭-୮ ବର୍ଷ ବୟସରୁ ହିଁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲି । ଘରେ ସାଧାରଣ ଭାବେ କେତେବେଳେ କେମିତି ଭଲ ଲାଗିଲେ ଚିତ୍ରଟିଏ କରି ସେଥିରେ ତୂଳୀ ଦ୍ୱାରା ରଙ୍ଗ ଭରି ଦେଉଥିଲି । କିନ୍ତୁ ମୁଁ ପ୍ରକୃତରେ ୨୦୧୫ ମସିହାରୁ ହିଁ କାନଭାସ ଉପରେ ଚିତ୍ର କରିବା ଆରମ୍ଭ କରିଥିଲି ।
ସୋସିଆଲ୍ ମିଡ଼ିଆରୁ ମିଳିଲା ପ୍ରେରଣା ଓ ଉତ୍ସାହ
ଚିତ୍ରଶିଳ୍ପୀ ସାଇ କଲ୍ୟାଣୀଙ୍କ କହିବାନୁଯାୟୀ ପିଲାଦିନେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ମଧ୍ୟ ପରିଣତ ବୟସରେ ହିଁ ନିଜେ ନିଜେ ଚିତ୍ରକଳା ଶିଖିଥିଲେ । ପିଲାଟିବେଳେ କେବଳ ପେନ୍ସିଲ ସାହାଯ୍ୟରେ ସବୁ ଚିତ୍ରଗୁଡ଼ିକୁ ଆଙ୍କୁଥିଲେ । ଏଇ କିଛି ବର୍ଷ ପୂର୍ବରୁ ହିଁ ସେ ପୋଟ୍ରେଏଟ୍, ଲାଣ୍ଡସ୍କେପ୍, ଆଦି ବିଭିନ୍ନ ଶୈଳୀରେ ଚିତ୍ର ଗୁଡିକୁ କାନ୍ଭାସ୍ରେ ଆଙ୍କିବା ଆରମ୍ଭ କଲେ । ତାଙ୍କର ସମସ୍ତ ଚିତ୍ରରେ ସମାଜ ପାଇଁ କିଛି ନା କିଛି ମୂଲ୍ୟବାନ ବାର୍ତ୍ତା ରହିଥାଏ । ସେ ବାସ୍ତବବାଦୀ ଚିତ୍ର ତଥା ସମାଜର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଲୋକଲୋଚନକୁ ଆଣିବାକୁ ପ୍ରଚେଷ୍ଟା କରିଥାନ୍ତି, ତାଙ୍କର ପ୍ରତ୍ୟେକ ଚିତ୍ରକଳାକୁ ଗମ୍ଭୀରତା ପୂର୍ବକ ଦୃଷ୍ଟିପାତ କଲେ ଲାଗେ ସାଇ କଲ୍ୟାଣୀଙ୍କ ପ୍ରତ୍ୟେକ ଚିତ୍ର ଯେପରି ସମାଜର ହିତ ସାଧନ ଲାଗି ପ୍ରେରିତ । ସୋସିଆଲ୍ ମିଡ଼ିଆରେ ଅନେକ ବ୍ୟକ୍ତି-ବିଶେଷ ତାଙ୍କର ମୂଲ୍ୟବାନ ଲେଖା, କବିତା, ଗଳ୍ପ, ସ୍ତମ୍ଭ ବା ଆଧ୍ୟାତ୍ମିକ ଅନୁଶୀଳନକୁ ପାଠକ ଓ ଦର୍ଶକଙ୍କ ଲାଗି ପୋଷ୍ଟିଂ କରିଥାନ୍ତି । ସେହିପରି ସାଇ କଲ୍ୟାଣୀ ମଧ୍ୟ ତାଙ୍କର ନିଜସ୍ୱ ଚିତ୍ରକଳା ଗୁଡ଼ିକର ଫଟୋ ଗୁଡ଼ିକୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟିଂ କରିବାକୁ ଲାଗିଲେ । ଏହି ସଂପର୍କରେ ସେ କହନ୍ତି, “ମୁଁ ସେମିତି କିଛି ପ୍ଲାଟଫର୍ମ୍ କେବେ ଆପଣେଇ ନାହିଁ, ବରଂ ଯାହା କେବଳ ସୋସିଆଲ ମିଡିଆକୁ ହିଁ ମାଧ୍ୟମ କରିଛି । ମୁଁ ମୋର ସମସ୍ତ ଚିତ୍ରକୁ ଫେସ୍ବୁକ ପେଜ୍ରେ ପୋଷ୍ଟ କରିଥାଏ । ଆର୍ଟଗୁଡିକୁ ଲୋକମାନେ ଲାଇକ୍ ଓ କମେଣ୍ଟ୍ କଲେ ଖୁସି ଲାଗେ । ଏସବୁ ମୁଁ ମୋ ନିଜ ଖୁସି ପାଇଁ କରିଥାଏ, କାହାର ବାହା-ବାହା ବା ପ୍ରଶଂସା କେବେ ଚାହିଁନି, ହଁ ଏଇଟା ମଧ୍ୟ ସତକଥା ବିନା କର୍ମରେ କେହି ମଧ୍ୟ ପଚାରିବେନି ।
ଛୋଟବେଳେ ମୁରୁଜରେ ବିଭିନ୍ନ ଆର୍ଟ୍ କରୁଥିଲି, ଖାସ୍ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀଚୈତନ୍ୟ ତଥା ବିଭିନ୍ନ ଦେବାଦେବୀଙ୍କ ବିଭିନ୍ନ କଳାକୃତିକୁ ସେ ସମୟରେ ଆମ ପାଖ ପଡ଼ୋଶୀ ଲୋକମାନେ ବହୁତ ପ୍ରଶଂସା କରୁଥିଲେ । ଏହାଛଡା କଲିକତା, ଦିଲ୍ଲୀ ( ଆର୍ଟିଜାନ୍ ଆଟର୍୍ ଗ୍ୟାଲେରୀ ) ଓ ଭୁବନେଶ୍ୱରର ବିଭିନ୍ନ ଆଟର୍୍ ଗ୍ୟାଲେରୀରେ ମୋର ପ୍ରାୟ ଅନେକ ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଭୁବନେଶ୍ୱରରେ ହେଉଥିବା ବିଭିନ୍ନ ସୋଲୋ ପ୍ରଦର୍ଶନୀରେ ମଧ୍ୟ ଆର୍ଟ ଗୁଡିକ ପ୍ରଦର୍ଶିତ ହୋଇଛି । ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆର୍ଟ୍ ଗ୍ୟାଲେରୀରେ ପାଖାପାଖି ୪୦ ଜଣ ବିଭିନ୍ନ ରାଜ୍ୟର ଚିତ୍ରଶିଳ୍ପୀ ନିଜ ନିଜର ଚିତ୍ରକୁ ପ୍ରଦର୍ଶିତ କରିଥିଲେ ଓ ବିଚାରକ ମଣ୍ଡଳୀ ସମସ୍ତ ଫଟୋ ମଧ୍ୟରୁ ମୋ ଚିତ୍ରକଳାକୁ ଅତ୍ୟନ୍ତ ପ୍ରଶଂସା କରି ପୁରସ୍କୃତ କରିଥିଲେ । ଆର୍ଟ୍ ଗ୍ୟାଲେରୀରେ ପ୍ରଦର୍ଶିତ ହେଉଥିବା ମୋ ଆଟର୍୍ ଗୁଡିକ ପ୍ରାୟ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ । ଦିନ ତମାମ ତଥା ବେଳେ ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେ କାନ୍ଭାସ୍, ରଙ୍ଗ, ତୂଳୀ ତଥା ନିଜ ଭାବନା ରାଜ୍ୟରେ ବୁଡ଼ି ରହିଥାନ୍ତି । ରାଜ୍ୟର ଏହି ବିଶିଷ୍ଟ ମହିଳା ଚିତ୍ରଶିଳ୍ପୀ ଜଣକ ସୋସିଆଲ୍ ମିଡ଼ିଆର ସମସ୍ତ ପ୍ରଶଂସକ ମାନଙ୍କ ଠାରୁ ବହୁତ ଉତ୍ସାହ ଏବଂ ଚିତ୍ରକଳାରେ ମଗ୍ନ ରହିବାକୁ ବେଶ୍ ପ୍ରେରଣା ପାଇଥାନ୍ତି ବୋଲି ସେ କହନ୍ତି ।
କଳାଜୀବନରେ ସାଇଙ୍କର ଅନେକ ମନଛୁଆଁ କଥା ଥିଲେ ମଧ୍ୟ ସେ ତାଙ୍କର ଗୋଟିଏ ଅନୁଭୂତିରୁ ଅନେକ ପ୍ରେରଣା ପାଇଥିବା କହନ୍ତି । ସାଇ କହନ୍ତି, “ମୋ ଜୀବନର ସବୁଠାରୁ ବଡ ଅଭୁଲା ସ୍ମୃତି ରହିଛି, ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ତାଙ୍କରି ପ୍ରେରଣା ମୋ ଜୀବନର ମୋଡ ବଦଳାଇ ଦେଇଛି । ସେଦିନ ତାଙ୍କ ସହ କଥା ହୋଇନଥିଲେ ମୋ ଆର୍ଟଗୁଡିକ ସୀମିତ ହୋଇ ରହିଯାଇଥାନ୍ତା, ବୋଧହୁଏ ଆଗକୁ ଅଧିକା ବଢାଇ ପାରିନଥାନ୍ତି । ମୁଁ ଯେବେ ଏଥିରେ କ୍ୟାରିୟର୍ ଆରମ୍ଭ କରିନଥିଲି, ନିଜସ୍ୱ ଚିତ୍ରିତ ଆର୍ଟ ଗୁଡିକୁ ସୋସିଆଲ ମିଡିଆରେ ଛାଡୁଥିଲି । ସେହି ସୋସିଆଲ ମିଡିଆର ଜଣେ ସାଙ୍ଗ ମୋ ପୋଟ୍ରେଟ୍ ପେଣ୍ଟିଂକୁ ଦେଖି ସେ ଆଦୌ ବିଶ୍ୱାସ କରିପାରି ନଥିଲେ ଯେ ମୁଁ ନିଜେ ସେହି ପୋଟ୍ରେଟ୍ ଟି ଆଙ୍କିଛି ବୋଲି । ମୋ ଦକ୍ଷତାର ପରୀକ୍ଷା ନେବାକୁ ଯାଇ ତାଙ୍କ ନିଜର ପୋଟ୍ରେଟ୍ ପେଣ୍ଟିଂ କରିବାକୁ କହିଥିଲେ । ଏମିତି କିଛି ଦିନ ପରେ ତାଙ୍କ ମୁହଁର ଚିତ୍ର କରି ସେହି ସୋସିଆଲ ମିଡିଆରେ ଛାଡିଥିଲି, ସେ ନିଜ ମୁହଁର ଅବିକଳ ଅଙ୍କା ଯାଇଥିବା ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ପରେ ପରେ ଚିତ୍ରର ବହୁତ ପ୍ରଶଂସା କରିଥିଲେ । ସେ ହେଉଛନ୍ତି ଜଣେ ଆଗଧାଡ଼ିର କାର୍ଟୁନିଷ୍ଟ୍ , ଏବଂ ସେହି ପ୍ରସିଦ୍ଧ କାର୍ଟୁନିଷ୍ଟଙ୍କୁ ମୋ ଆଟର୍୍ ଏତେ ମାତ୍ରାରେ ପସନ୍ଦ ଆସିବ ବୋଲି ମୁଁ ମଧ୍ୟ କେବେ ବି ଭାବି ନଥିଲି, ମୋ କ୍ୟାରିୟର୍ର ଆରମ୍ଭ ସେହି ବ୍ୟକ୍ତିଙ୍କ ଉତ୍ସାହ ଓ ପ୍ରେରଣା ପାଇଁ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କଠାରୁ ବହୁତ ଉତ୍ସାହ ପାଇଥିବା କଥା କହି ସେ କହନ୍ତି, “ସେ ମୋତେ ଉତ୍ସାହ କରିନଥିଲେ ବୋଧହୁଏ ମୋ କଳାକୃତି ଗୁଡିକ କେବଳ ଟାଇମ ପାସ୍ ଭାବେ ରହିଯାଇଥାନ୍ତେ” ।
ଅଧିକାଂଶ ସମୟରେ ନିଜକୁ ରଙ୍ଗ/ତୂଳୀ ଭିତରେ ମସ୍ଗୁଲ୍ ରଖୁଥିବା ସାଇ ନିଜର ଅବସର ସମୟରେ ଆଧ୍ୟାତ୍ମିକ ସାହିତ୍ୟ ତଥା ଆଲୋଚନା କରିବାକୁ ପସନ୍ଦ କରିଥାନ୍ତି । ଚିତ୍ରକଳା ତାଙ୍କୁ ଅଶେଷ ଆତ୍ମତୃପ୍ତି ଦେଇଛି ବୋଲି ସେ କହିଥାନ୍ତି । ସାମାଜିକ ମୂଲ୍ୟବୋଧ ତଥା ମାନବବାଦର ନିଛକ ପ୍ରତିଛବିକୁ କାନଭାସ୍ ଉପରେ ସେ ଚିତ୍ରର ରୂପ ଦେଇଥାନ୍ତି । ବାସ୍ତବବାଦୀ ଚିତ୍ର ଆଙ୍କିବାକୁ ସେ ଭଲ ପାଆନ୍ତି । ଏହାସହିତ ଚିତ୍ରଗୁଡିକୁ ବ୍ୟବସାୟ କରାଇବା ପାଇଁ ଆଦୌ ଚେଷ୍ଟା କରନ୍ତି ନାହିଁ । ଏ ନେଇ ସେ କହନ୍ତି, କଳାକୃତି ଗୁଡିକ ମଧ୍ୟରୁ ‘ସେନ୍ସ ଅଫ ହ୍ୟୁମର୍’ ବା ‘ମର୍ଡନ ଆର୍ଟ’ ନାମକ ଚିତ୍ର ସର୍ବପ୍ରଥମେ ବିକ୍ରି ହୋଇଥିଲା । ଓଡିଶାର ବେଷ୍ଟ ୱାଟର୍ କଲର ଆର୍ଟିଷ୍ଟ୍ ଗୁରୁ ରଘୁନାଥ ସାହୁଙ୍କୁ ନିଜର ଗୁରୁ ଭାବେ ଗ୍ରହଣ ସେ ଗ୍ରହଣ କରିଛନ୍ତି । ପ୍ରାୟ ଦୁଇ ବର୍ଷ ହେଲାଣି ତାଙ୍କ ଠାରୁ ଆର୍ଟ ପେଣ୍ଟିଂ ବିଶେଷ ଦିଗ ସଂପର୍କରେ ଶିକ୍ଷା ଗ୍ରହଣ କରିଚାଲିଛନ୍ତି ।
Comments are closed.