Latest Odisha News

BREAKING NEWS

ଡାକ୍ତରଖାନାରେ ମିଳିଲାନି ଆମ୍ବୁଲାନ୍ସ ; ବାଇକରେ ଶବକୁ ବୋହି ଗାଁକୁ ଆଣିଲେ

କୋରାପୁଟ:  ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର। ମେଡ଼ିକାଲରେ ମୃତ ନବଜାତ ଶିଶୁଙ୍କ ଶବ ନେବାପାଇଁ ମିଳିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ମୃତ ନବଜାତ ଶିଶୁର ଶବକୁ ବାଇକରେ ନେଲେ ପରିବାର ଲୋକେ।ଏଭଳି ନଗ୍ନ ଦୃଶ୍ୟ ପୁଣି ଥରେ ହୃଦୟ ଥରାଇ ଦେଇଛି ।

ବୋରିଗୁମ୍ମା ଅଞ୍ଚଳରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବଢି ଚାଲିଛି ।  ଗତ ଏକ ସପ୍ତାହ ମଧ୍ୟରେ ବୋରିଗୁମ୍ମା ବ୍ଲକରେ ୫ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଲାଣି । ବୋରିଗୁମ୍ମା ସହର ବଙ୍କସହି, ସସହାଣ୍ଡିରୁ ଜଣେ ଲେଖାଏ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଥିବାବେଳେ  ନୂଆଗୁଡା ଗ୍ରାମରୁ ୩ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି  । ଏହାକୁ ରୋକିବାରେ ସ୍ୱାସ୍ଥ୍ୟ ବିଭାଗ ବିଫଳ ହୋଇଛି । ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ନୂଆଗୁଡା ଗ୍ରାମକୁ ଯାଇଛି।

ଏସବୁ ଭିତରେ ମଧ୍ୟରେ ଗତକାଲି ପୁଣି ବୋରିଗୁମ୍ମା ମେଡ଼ିକାଲରେ ଜଣେ  ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା । ମୃତ ଶିଶୁପୁତ୍ରର ମା’ ନାରୀଗା ପଞ୍ଚୟତର ସରପଞ୍ଚ ବୋଲି ଜଣାପଡ଼ିଛି।   ମୃତ ଶିଶୁକୁ ନେବା ପାଇଁ ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସଟିଏ ବି ଯୋଗାଇ ଦିଆଯାଇ ନ ଥିଲା । ଫଳରେ ପରିବାର ଲୋକେ ଏକ ମୋଟର ସାଇକେଲରେ ଶବକୁ ନେଇ ଗାଁକୁ ଆସିଥିଲେ ।

ବୋରିଗୁମ୍ମା ଡାକ୍ତରଖାନାରେ ଚିକିତ୍ସା ଜନିତ ଅବହେଳା ଲାଗି ରହିଛି । ସନ୍ତାନକୁ ହରାଇବା ଦୁଃଖଠାରୁ ଏ ଦୁଃଖ ବଳି ପଡ଼ୁଛି ।   ବୋରିଗୁମ୍ମା ମେଡ଼ିକାଲରେ ଅନେକ ଦିନ ଧରି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି। ଯାହାର ଫଳ ସ୍ୱରୂପ ଶିଶୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ କରୁଥିବା ବେଳେ ମୃତ୍ୟର କାରଣ ସମ୍ପର୍କରେ ଗଣମାଧ୍ୟମ କୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡା ଅରୁଣ ପାଢ଼ୀ।  ଅନ୍ୟପକ୍ଷେ ଦୀର୍ଘ ୧୧ ଦିନ ଧରି ବ୍ଲକର ସମସ୍ତ ଆଶା କର୍ମୀ  ଧାରଣା ରେ ଥିବା ବେଳେ ଅଧିକାଂଶ ଗର୍ଭବତୀ ମହିଳା ଠିକ ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ କରିପାରୁ ନଥିବା ଅଭିଯେଗା ମଧ୍ୟ ଆସିଛି

Leave A Reply

Your email address will not be published.