Latest Odisha News

BREAKING NEWS

ଓକିଲ ଆନ୍ଦୋଳନକୁ ନେଇ ଓଡ଼ିଶା ପୋଲିସକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜି ଓ ଉତ୍ତରାଞ୍ଚଳ ଆଇଜି । ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନଫରେନ୍ସିଂ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଡିଜିପି, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।

ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି, ପୋଲିସ ଯଦି ପାରୁନି, ଆମକୁ କୁହନ୍ତୁ ପାରା ମିଲିଟାରୀ ଫୋର୍ସ ପଠାଇବୁ । ୧୫ ପ୍ଲାଟୁନ ପୋଲିସ ଫୋର୍ସ ସତ୍ତ୍ୱେ କିଭଳି ଭଙ୍ଗାରୁଜା ହେଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ପୋଲିସର କାର୍ଯ୍ୟ ବୋଲି କୋର୍ଟ କହିଛନ୍ତି ।

ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟରେ ହାଇକୋର୍ଟ ବେଞ୍ଚ ନେଇ ମଧ୍ୟ ଆଲୋଚନା ହୋଇଛି । ଏଥିସହ ଯେଉଁ ଦାବିକୁ ନେଇ ଓକିଲ ଆନ୍ଦୋଳନ କରୁଥିଲେ ତାହା ଉପରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ପଶ୍ଚିମ ଓଡ଼ିଶା କିମ୍ବା ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବର୍ତ୍ତମାନ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆନ୍ଦୋଳନ ଚାଲିଥିଲା । ଓକିଲ ଆନ୍ଦୋଳନ ଦମନ କରିବାକୁ ସୁପ୍ରିମକୋର୍ଟ ବାରମ୍ବାର ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୬ରେ ଆନ୍ଦୋଳନରତ ଓକିଲ ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା କରିଥିଲା । ଯାହା ପରେ ପୋଲିସ ୧୭ ଜଣ ଓକିଲଙ୍କୁ ଗିରଫ କରିଥିଲା । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ୨୫ରୁ ଅଧିକ ଓକିଲଙ୍କ ଲାଇସେନ୍ସ ନିଲମ୍ବିତ କରିଥିଲେ ।

Leave A Reply

Your email address will not be published.