ପୁରୀ : ମା ମଙ୍ଗଳା ପୀଠର ଉନ୍ନତିକରଣ କାମ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ହେବ । ସେହିପରି ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହସପିଟାଲ କାମ ବି ଜୁନ ୨୦୨୩ ସୁଦ୍ଧା ଶେଷ କରିବା ସହିତ କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ କାମ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ୍ ।
୫ଟି ସଚିବ ଭି. କେ. ପାଣ୍ଡିଆନ୍ ଆଜି ସକାଳେ ପୁରୀ, କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିଛନ୍ତି । ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
ମନ୍ଦିର ଜଳନିଷ୍କାସନ, ପାର୍କିଂ, ଯାତ୍ରୀଙ୍କ ସୁବିଧା, ପ୍ରାଚୀ ନଦୀ ଘାଟର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରି ପନ୍ଦର ଦିନ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ପାଣ୍ଡିଆନ୍ ସୂଚନା ଦେଇଥିଲେ । OBCC ଏହି ଯୋଜନା ପ୍ରସ୍ତୁତ କରିବ । ଏହା ପୂର୍ବରୁ ସେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତି ର ସମୀକ୍ଷା କରିଥିଲେ । ପରେ କୋଣାର୍କ ଯାଇ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ । ୫ଟି ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ,ଏସପି, ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.