Latest Odisha News

୩୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅନୁଗୁଳ-ବଳରାମ ରେଳ ଲାଇନ ଉଦ୍‌ଘାଟିତ

ଅନୁଗୁଳ: ୧୪ କିଲୋମିଟର ଦୀର୍ଘ ଅନୁଗୁଳ-ବଳରାମ ରେଳ ଲାଇନ ଉଦ୍‌ଘାଟିତ ହେବା ସହ ତାଳଚେର କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନରେ ବିଶେଷ ସୁବିଧା ହେବ । ଏହାଫଳରେ ମହାନଦୀ କୋଲଫିଲ୍ଡ-ଏମ୍‌ସିଏଲ୍‌ରୁ ଦୈନିକ ୪୦ ହଜାର ଟନରୁ ଅଧିକ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଯାଇପାରିବ । ୩୦୦କୋଟି ଟଙ୍କା ବ୍ୟୟରେ ଅନୁଗୁଳ-ବଳରାମ ରେଳ ସଂଯୋଗୀକରଣ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାରମ୍ଭ କରିବା ଯୋଗୁଁ ଏମ.ସି.ଏଲ ପ୍ରତିଦିନ ଅଧିକ ୧୦ରେକ କୋଇଲା ପରିବହନ କରିପାରିବ।

ମହାନଦୀ କୋଲ ରେଲୱେ ଲିମିଟେଡ(ଏମ୍‌ସିଆରଏଲ) ଦ୍ୱାରା ନିର୍ମତ ଏହି ଏମସିଏଲ, ଆଇଆରସିଓଏନ୍ ଇଣ୍ଟର ନ୍ୟାସନାଲ ଲିମିଟେଡ ଓ ଇଡ୍‌କୋର ମିଳିତ ପ୍ରକଳ୍ପକୁ ଆଜି କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ, ଦୂରସଂଚାର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍‌ଘାଟନ କରିଛନ୍ତି ।

ଅନୁଗୁଳ-ବଳରାମ ରେଳ ସଂଯୋଗ ୬୮ କିଲୋମିଟର ଦୀର୍ଘ ଅନୁଗୁଳ-ବଳରାମ-ପୁତୁଗାଡିଆ ଜରପଡା- ତେନ୍ତୁଲୋଇ ଭିତର କରିଡରର ପ୍ରଥମ ପର୍ଯ୍ୟାୟ ହୋଇଥିବାବେଳେ, ଏହା ଓଡିଶାର ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣିରୁ କୋଇଲା ପରିବହନରେ ସହାୟକ ହେବ ।

ଏହି ଭିତର କରିଡରକୁ ଦୁଇଟି ପର୍ଯ୍ୟାୟରେ ଏମ୍‌.ସି.ଆର.ଏଲ ତ୍ୱରାନ୍ୱିତ କରୁଛି । ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ-ବଳରାମ ୧୪କିଲୋମିଟର ସଂଯୋଗୀକରଣ କାର୍ଯ୍ୟକାରୀ ହୋଇଥିବାବେଳେ ୫୪ କିଲୋମିଟର ଦୀର୍ଘ ବଳରାମ-ପୁତୁଗାଡିଆ-ଜରପଡା-ତେନ୍ତୁଲୋଇ ରେଳ ସଂଯୋଗ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୧୭୦୦ କୋଟି ଟଙ୍କା ବ୍ୟୟରେ ଆଇଆରସିଓଏନ ଆନ୍ତର୍ଜାତିକ ଲିମିଟେଡ ସଂସ୍ଥା ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଛି।

କୋଇଲା ମନ୍ତ୍ରଣାଳୟର ପ୍ରତିନିଧିଭାବେ ଏମସିଆରଏଲ ଓ ଏମସିଏଲର ଶତକଡା ୬୪ଭାଗ ଅଂଶଧନ ଥିବାବେଳେ, ରେଳ ମନ୍ତ୍ରଣାଳୟର ପ୍ରତିନିଧିଭାବେ ଇରକନ୍‌ର ଶତକଡା ୨୬ଭାଗ ଓ ଓଡିଶା ସରକାରଙ୍କ ପ୍ରତିନିଧି ଇଡ୍‌କୋର ଶତକଡା ୧୦ଭାଗ ଅଂଶଧନ ରହିଛି । ଏହି ସଂଯୁକ୍ତ ପଦକ୍ଷେପ ୨୦୧୫ରେ ଗଠନ କରାଯାଇଥିଲା ।

ଏହି ରେଳ ସଂଯୋଗ ତାଳଚେର କୋଇଲା ଖଣି ବ୍ୟତୀତ ଖଣିଜ ଉତ୍ପାଦନକାରୀଙ୍କ ଆବଣ୍ଟିତ କୋଲବ୍ଲକରୁ ଶୁଷ୍କ ଇନ୍ଧନ ଅପସାରଣରେ ମଧ୍ୟ ସହାୟତା କରିବ।

 

 

Comments are closed.