Latest Odisha News

ଭାଷା ଭାଗବତ : ଅକ୍ଷର ମଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପରିସ୍ଥିତି ଓ ମନୋବୃତ୍ତି

ସଂଘର୍ଷ କଲେ, ନାହିଁ ଶାଂତି

ସ୍ଥିତି ହୋଇଲେ ଅଣାୟତ୍ତ

ପ୍ରଥମେ ସ୍ଥିର କଲେ ଚିତ୍ତ

 

ମନରେ ଶାଂତି ହୁଏ ଜାତ

ହୁଏନି ଆଉ ବିଚଳିତ

ପରିସ୍ଥିତିର ଦାସ ହୋଇ

ରହିଲେ ସୁଖ ମିଳେନାହିଁ

 

ଗୋଟିଏ ଧ୍ବନି ଘନ ଘନ

କରିଲେ ଧୀରେ ଉଚ୍ଚାରଣ

ମନ ବି ହୁଏ ଆପେ ଶାଂତ

ପରୀକ୍ଷା କରି ଦେଖଂତୁ ତ!

 

ଯାହାକୁ କହୁଁ ନିଜ ମନ

ନ କଲେ ତାହା ନିୟଂତ୍ରଣ

ମିଳଇ ନିଶ୍ଚିତ କଷଣ

କାମ ଦିଏନି ପ୍ରବଚନ

 

ଗୋଟିଏ ଧ୍ବନି ନେଇ ବାଛି

ଯାହାର ଯେଉଁପରି ରୁଚି

କରିଲେ ତାହାର ଆବୃତ୍ତି

ବଦଳିଯାଏ ମନୋବୃତ୍ତି

 

ଭାଷାର ଚମତ୍କାରୀ ଗୁଣ

ସ୍ବାନୁଭବରୁ ବୁଝ, ଜାଣ

କରିଲେ ନିତି ଉପଯୋଗ

ମିଳିବ ଅଜଣା ସୁଯୋଗ

 

କେବଳ ଗୋଟିଏ ଅକ୍ଷର

କହି, ଲେଖିଲେ ବାରଂବାର

ତାହା ହିଁ ହୋଇଯାଏ ମଂତ୍ର

ବ୍ୟକ୍ତିକୁ କରଇ ସ୍ବତଂତ୍ର

 

ମନ ଓ ଦେହର ଏକତ୍ବ

ହୋଇବ ଯେବେ ଅନୁଭୂତ

ଅଶାଂତି ହେବ ଦୂରୀଭୂତ

ମନ ହେବନି ଆଂଦୋଳିତ

Comments are closed.