Latest Odisha News

ରାଜଧାନୀର ମଶା ଉପଦ୍ରବ ଆଗରେ ଆଣ୍ଠେଇଲା ବିଏମସି !

ଭୁବନେଶ୍ୱର: ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରେ କେତେ କଣ ବଦଳୁଛି। ହେଲେ ଯେଉଁ ମଶା ଲୋକଙ୍କୁ କଲବଲ କରୁଛି ତାକୁ ନିୟନ୍ତ୍ରଣ କରିବାରେ ଭୁବନେଶ୍ୱର ମହାନଗର ନିଗମ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଡ୍ରୋନ ଜରିଆରେ ମଶା ଉପଦ୍ରବ ଦମନ କରିବାକୁ ଯାଇ ବିଏମସି ଏକ ପ୍ରକାର ଆଣ୍ଠେଇ ପଡିଛି।

ବିଏମସି ନିଜ ଉଦ୍ଦେଶ୍ୟରେ ବିଫଳ ହେବା ପଛରେ ନିମ୍ନମାନର ତେଲ ବ୍ୟବହାର ବୋଲି ସୂଚନା ରହିଛି। ଡ୍ରୋନ୍ ଜରିଆରେ ଜଳାଶୟ ଓ ଡ୍ରେନରେ ମଶା ଲାର୍ଭାସିଡାଲ୍ ତେଲ ସିଞ୍ଚନ କରାଯାଇଥିଲେ ମଧ୍ୟ ଭୁବନେଶ୍ୱରରେ ମଶାଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଗ୍ରହଣ କରି ବିଏମସି ମେୟର ସୁଲୋଚନା ଦାସ ଓ ନିଗମର ସାନିଟାରୀ କମିଟି ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀଙ୍କ ମଶା ତେଲ ଗୋଦାମରେ ଚଢ଼ଉ କରିଥିଲେ। ସେପଟେ ପୌରପାଳିକା ପକ୍ଷରୁ ତେଲର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଅପରପକ୍ଷରେ ମେୟର ସୁଲୋଚନା ଦାସ କହିଛନ୍ତି, ଭୁଲ୍ ତେଲର କମ୍ପୋଜିସନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇପାରେ।

ସୂଚନାୟୋଗ୍ୟ, ମଶାଙ୍କ ଉପଦ୍ରବକୁ ରୋକିବା ପାଇଁ ବିଏମସି ପକ୍ଷରୁ ପ୍ରତି ଓ୍ୱାର୍ଡରେ ନିୟମିତ ଭାବେ କେମିକାଲ ସ୍ପ୍ରେ କରିବା ପାଇଁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ନଗରପାଳିକା ପକ୍ଷରୁ ସିଞ୍ଚନ ପାଇଁ ମାନବ ସମ୍ବଳ ଓ ଭିତ୍ତିଭୂମି ବୃଦ୍ଧି କରାଯାଇଛି। ଏହାକୁ ଦୁଇଟି ୟୁନିଟରୁ ନଅ ୟୁନିଟକୁ ବୃଦ୍ଧି କରାଯାଇଛି।

ମଶା ବଂଶ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତ୍ୟେକ ଓ୍ୱାର୍ଡରେ ଡ୍ରେନରେ କେମିକାଲ ସ୍ପ୍ରେ କରିବା ସହ ଏଥିପାଇଁ ମାନବସମ୍ବଳ ବୃଦ୍ଧି କରାଯାଉଥିଲେ ମଧ୍ୟ ଫଳାଫଳ ସନ୍ତୋଷଜନକ ନଥିବା ଅଭିଯୋଗ ହେଉଛି। ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି ଥିବା ବେଳେ ମଶା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତେବେ ଏଥିପାଇଁ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ ମଶା ଉପଦ୍ରବ ବଢୁଥିବା ଦେଖି ଏହାକୁ ସ୍ମାର୍ଟ ଉପାୟରେ ଦମନ କରିବାକୁ ଚିନ୍ତା କରି ରାତା ରାତି କୋଲକାତାର ଏକ କମ୍ପାନୀ ସହ ଏମଓୟୁ କରିଥିଲା ବିଏମସି। ଉଦ୍ଦେଶ୍ୟ ଥିଲା ଡ୍ରୋନ ଜରିଆରେ ମଶାର ଉତ୍ପତ୍ତି ସ୍ଥଳ ଚିହ୍ନଟ କରି ମଶା ତେଲ ସିଞ୍ଚନ ହେବ। ଏପରି କରି ମଶା ଦମନ କରିବାକୁ ଚିନ୍ତା କରିଥିଲା ବିଏମସି। ହେଲେ ଏହି ଉଦ୍ଦେଶ୍ୟ ବହୁ ଆଡମ୍ବରରେ ଲଘୁ କ୍ରିୟା ଭଳି ହୋଇଛି।

ଏମଓୟୁ କରିଥିବା କମ୍ପାନୀ କୋଲକାତାର। ହେଲେ ବିନା ଟେଣ୍ଡରରେ କିପରି ଏହି ଏମଓୟୁ ହେଲା ତାହା ମଧ୍ୟ ପ୍ରଶ୍ନ ଘେରରେ ରହିଛି। ସେହିପରି ମିଳିଥିବା ସୂଚନା ଅନୁଯାୟୀ କୋଲକାତା ସହରରେ ମଧ୍ୟ ମଶା ଦମନ ପାଇଁ ଏହି କମ୍ପାନୀ ଡ୍ରୋନ ଜରିଆରେ ସେବା ଯୋଗାଇ ଦେଇଥିଲା। ସେଠାରେ ମଧ୍ୟ ଡ୍ରୋନ ଜରିଆରେ ମଶା ଅଭିଯାନ ଫେଲ୍ ମାରିଥିଲା ବୋଲି ସୂଚନା ରହିଛି।

 

 

Comments are closed.